ପଶୁ ହୁଅନ୍ତୁ ବା ମଣିଷ ମାଆର ମମତା ସବୁବେଳେ ସମାନ, ଦୁଇ ପଥର ମଝିରୁ ଏମିତି ବଞ୍ଚାଇଲା ମା’ ମାଙ୍କଡ ଦେଖନ୍ତୁ

ବିନା ସ୍ୱାର୍ଥରେ ବିନା ମୂଲ୍ୟରେ ଯିଏ ସାରା ଜୀବନ ଭଲ ପାଇଥାଏ ସିଏ ହେଉଛି ମାଆ। ମା’ ଭଗବାନଙ୍କର ଏପରି ଏକ ସୃଷ୍ଟି ଯାହାର ସ୍ଥାନ ଅପୂରଣୀୟ। ନିଜେ ପେଟକୁ କାଟି ପିଲାକୁ ଖାଦ୍ୟ ଖୁଆଏ ମାଆ। ବାଟରେ ଝୁଣ୍ଟି ପଡିଲେ ପାଟିରୁ ବାହାରି ପଡେ ମା’। ମାଆର ମନ ଯେମିତି ବିଶାଳ, ତାର ସ୍ନେହ ପ୍ରେମ ଭଲପାଇବା ବି ସେମିତି ବିଶାଳ। ଜୀବନରେ ସବୁ କିଛି ଦ୍ୱିତୀୟ ଥର ମିଳିପାରିବ କିନ୍ତୁ ମାଆ ମିଳିପାରିବନି। କୁହାଯାଏ ଯାର ମା’ ନାହିଁ ତାର ସାହା ନାହିଁ। ଆଉ ଏହା ସମ୍ପୂର୍ଣ୍ଣ ଭାବରେ ପ୍ରମାଣିତ ହୋଇଛି ଏହି ଦୃଶ୍ୟରେ।

ଦେଖନ୍ତୁ କିପରି ଏକ ଛୋଟ ମାଙ୍କଡଟି କାନ୍ଥ ମଝିରେ ଫସି ଯାଇଛି। ଆଉ ବାହାରିବାକୁ ରାସ୍ତା ପାଉନି। ମାଆକୁ ଦେଖି ଖାଲି ଗୁମୁରି ଗୁମରୁରି କାନ୍ଦୁଛି। ଏପଟେ ମା ମାଙ୍କଡଟି ବି ପିଲାର ଏପରି ଅବସ୍ଥା ଦେଖି ସହି ପାରୁନି। ପିଲାଟିକୁ ରକ୍ଷା କରିବାକୁ ନିଜ ସବୁ ବଳ ପ୍ରୟୋଗ କରିଦେଲା ମାଆ ମାଙ୍କଡଟି। ପିଲାଟି ବି ମା’କୁ ଦେଖି ବାହାରକୁ ଆସିବାକୁ ଚେଷ୍ଟା କରୁଛି କିନ୍ତୁ ସବୁ ଚେଷ୍ଟା ହୋଇଯାଉଛି ବିଫଳ।

monkey1ଏ ଦୃଶ୍ୟ ଦେଖି ଲାଗୁଛି ଯେମିତି ମାଆ ମାଙ୍କଡଟି କହୁଛି ଆରେ କିଏ କହୁଛି ଆସ ମୋ ଛୁଆକୁ ଉଦ୍ଧାର କର। ସେଠାରେ ଥିବା ବାକି ମାଙ୍କଡ ବି ମାଆ ମାଙ୍କଡ ସହ ମିଶି ଛୁଆ ମାଙ୍କଡକୁ ଉଦ୍ଧାର କରିବାକୁ ଲାଗିପଡିଛନ୍ତି। ବହୁତ ଚେଷ୍ଟା କରିବା ପରେ ଶେଷରେ ମାଆ ମାଙ୍କଡ ପିଲାଟିକୁ ଉଦ୍ଧାର କରିବାରେ ସଫଳ ହୋଇଗଲା। ଆଉ ସଙ୍ଗେ ସଙ୍ଗେ କୋଳେଇ ନେଇ ଗେଲ କରିବାକୁ ଲାଗିଲା। ସେପଟେ ପିଲାଟି ଏତେ ସମୟ କାନ୍ଥ ମଝିରେ ରହିଥିବାରୁ ସଳଖି ଛିଡା ହୋଇପାରୁନି। ମାଆଟି ଛୁଆ ମାଙ୍କଡକୁ କୋଳେଇ ନେଇ ଦୌଡି ଦୌଡି ଯାଇ ତାକୁ ଠିକ କରିବା ପାଇଁ ଚେଷ୍ଟା କରୁଛି।

ସତରେ ଏ ଦୃଷ୍ୟ ଦେଖି ଲାଗୁଛି ମାଆ ପାଖରେ ତାର ପିଲାର ସ୍ନେହ ସମାନ, ତେଣିକି ସେ ପଶୁ ହୁଅନ୍ତୁ ଅବା ମଣିଷ। ମାର ମମତା ତାର ଛୁଆ ପାଇଁ ସବୁବେଳେ ସମାନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.