କେବଳ ପାଣି ନୁହେଁ ପବନରେ ବି ପହଁରିବ ବୋଟ୍ !

(କେନ୍ୟୁଜ) : କ’ଣ ନକରିପାରୁଛି ଏ ମଣିଷ । ଇଚ୍ଛା ଅନୁସାରେ ବିଜ୍ଞାନକୁ ଅସ୍ତ୍ର କରି ଅସାଧ୍ୟ ସାଧନ କରିପାରୁଛି । ଆଜି ଯାଏଁ ଆପଣ ପାଣିରେ ବୋଟ୍ ଚାଲିବା କଥା ଶୁଣିଛନ୍ତି । ପାଣିର ପ୍ରଖର ସ୍ରୋତକୁ କାଟି ସମୁଦ୍ର ଲହଡ଼ିକୁ ଆଡ଼େଇ ତୀବ୍ର ଗତିରେ ମାଡ଼ିଚାଲେ ବୋଟ୍ । କିନ୍ତୁ ଏବେ ବିଜ୍ଞାନ ଆଉପାଦେ ଆଗେଇଛି । କେବଳ ପାଣି ନୁହେଁ ପବନରେ ବି ଚାଲିବ ବୋଟ୍ ! ଏହା ଆପଣଙ୍କୁ ଆଶ୍ଚର‌୍ୟ୍ୟ କରୁଥିବ ନିଶ୍ଚୟ । ଭାବୁଥିବେ ପାଣି ଉପରେ ଚାଲୁଥିବା ଜିନିଷ ପବନରେ କେମିତି ଚାଲିବ ?

ହଁ, ଏବେ ବୋଟ୍ ଚାଲିବ ପବନରେ । ଇଟାଲୀର ଏକ କମ୍ପାନୀ ତିଆରି କରୁଛି ଏହି ଖାସ୍ ଏୟାର ବୋଟ୍ । ଏହାକୁ ଅତ୍ୟନ୍ତ ବିଳାଶପୂର୍ଣ୍ଣ ଶ୍ରେଣୀରେ ଗଣାଯାଉଛି । ଏହାର ଆକାର କିଛି କମ୍ ନୁହେଁ । ଏହାର ଲମ୍ବ ରହିଛି ୪୯୦ ଫୁଟ୍ । କାର୍ବନ ଫାଇବର ଢ଼ାଞ୍ଚାରେ ନିର୍ମିତ ହୋଇଛି ଏହି ଏୟାର ବୋଟ୍ । ପବନରେ ଦୌଡ଼ିଲା ବେଳେ ବି ଏହାର ବେଗ କିଛି କମ୍ ନୁହେଁ । ବାଇକ୍ କିମ୍ବା କାର୍ ବେଗରେ ଏହା ପବନରେ ପହଁରିପାରେ । ଘଣ୍ଟା ପ୍ରତି ଏହାର ବେଗ ରହିଛି ୧୧୨ କିମି । ଏବେ ଆପଣଙ୍କ ମନକୁ ପ୍ରଶ୍ନ ଆସୁଥିବ ସବୁ ଠିକ୍ ଯେ କିନ୍ତୁ ଏହା ପବନରେ ଚାଲିବ କେମିତି ? କ\’ଣ ପବନ ଏହାକୁ ଠେଲିବ ? ଉପରକୁ ଉଠିବ ବି କେମିତି ? ତଳକୁ ଖସିପଡିବନି ? କିଛି ଦୁର୍ଘଟଣା ଘଟିବନି ତ ?

ନା, ସେଭଳି କୌଣସି ଆଶଙ୍କା ଏପର‌୍ୟ୍ୟନ୍ତ ନାହିଁ । ନିର୍ମାତା ଏହି ଏୟାର ବୋଟକୁ ନେଇ ଦେଖିଛନ୍ତି ଅନେକ ସ୍ବପ୍ନ । ସୌରଶକ୍ତି ସାହାଯ୍ୟରେ ଚାଲିବ ଏହି ବୋଟ୍ । ସୋଲାର ପ୍ୟାନେଲରେ ଲାଗିଛି ୪ଟି ଇଲେକ୍ଟ୍ରିକ ପ୍ରୋପେଲର, ଯାହା ଏହାକୁ ଉଡ଼ିବାରେ ସାହାଯ୍ୟ କରେ । ଏହାର ମୁଖ୍ୟ ଜିନିଷ ହେଉଛି ହିଲିୟମରେ ଭରା ବଡ଼ ବେଲୁନ । ଯାହା ଏହାକୁ ପାଣିରେ ଭାସିବା ସହ ପବନରେ ଉଡ଼ିବାରେ ସାହାଯ୍ୟ କରୁଛି । ଯଦିଓ ଏହି ଏୟାର ବୋଟ୍ ନିର୍ମାଣ ଖର୍ଚ୍ଚକୁ ନେଇ ସଠିକ୍ ହିସାବ ସାମ୍ନାକୁ ଆସିନି ତଥାପି ପ୍ରାରମ୍ଭିକ ଆକଳନ କହୁଛି ଏହାର ନିର୍ମାଣ ବ୍ୟୟବହୁଳ ବା କୋଟି କୋଟି ଟଙ୍କା ଏ ପାଇଁ ଖର୍ଚ୍ଚ ହୋଇଛି ।

ଇଂଲଣ୍ଡର ଏକ କମ୍ପାନୀ ଏହି ଏୟାର ବୋଟକୁ ନେଇ କିଛି ତଥ୍ୟ ସାମ୍ନାକୁ ଆଣିଛି । କମ୍ପାନୀର କହିବା କଥା ଏହା ସର୍ବସାଧାରଣଙ୍କ ପାଇଁ ଉପଲବ୍ଧ ନୁହେଁ । ପ୍ରାଇଭେଟ୍ ମାଲିକଙ୍କ ବ୍ୟକ୍ତିଗତ ବିଳାଶବ୍ୟସନକୁ ଆଖିରେ ରଖି ଏହାକୁ ତିଆରି କରାଯାଉଛି । କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଏୟାର ବୋଟରେ ସଂଯୁକ୍ତ ଅଛି ୩ଶହ ଫୁଟ୍‌ର କାର୍ବନ ଫାଇବର ଢାଞ୍ଚା । ବୋଟର ଚଉଢା ୨୬୦ ଫୁଟ୍ । ବ୍ୟାଟେରୀ ଓ ସୋଲାର ପ୍ୟାନେଲ୍ ଚାଲିବାକୁ ଏଥିରେ ଲାଗିଛି ୮ଟି ଇଂଜିନ । ସବୁଠାରୁ ବଡ଼ କଥା ଏହା ଲମ୍ବା ସମୟ ଧରି ଆକାଶରେ ଉଡ଼ିପାରିବ । ତଗାତର ୪୮ ଘଣ୍ଟା ଉଡ଼ିପାରିବାର କ୍ଷମତା ରଖିଥିବା ନେଇ ଦାବି କରୁଛି ନିର୍ମାତା କମ୍ପାନୀ ।

ଏକଥା ସ୍ପଷ୍ଟ କରାଯାଇଛି ଏହା କୌଣସି ଉଡ଼ାଜାହଜ କି ହେଲିକ୍ୟାପ୍ଟର ନୁହେଁ ଏହା ଏୟାର ବୋଟ୍, ଯାହା ପାଣି ସହ ପବନରେ ବି ଚାଲିବ ।
ଯଦିଓ ଏହାର ନିର୍ମାଣକୁ ନେଇ ବହୁତ କିଛି ସ୍ପଷ୍ଟ କରାଯାଇନି କିନ୍ତୁ ଏତିକି କୁହାଯାଇଛି, ଏଥିରେ ରହିବା ଗାଧୋଇବା ସହ ଶୋଇବାର ସବିଧା । ଯାହା ଆପଣଙ୍କୁ ପାଣିର ଲହଡ଼ିରେ ଆନନ୍ଦ ଦେବା ସହ ୫ ହଜାର ଫୁଟ୍ ଉଚ୍ଚରେ ବି ମଜା ଦେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.