ଅନ୍ୟ ମେଳଣ ଅପେକ୍ଷା କାହିଁକି ନିଆରା ଓଳକଣା ମେଳଣ ? ଜାଣନ୍ତୁ କଣ କହେ କିମ୍ବଦନ୍ତୀ

ମାହାଙ୍ଗା (କେନ୍ୟୁଜ): ବିଭିନ୍ନ ସ୍ଥାନରେ ହେଉଥିବା ବିଭିନ୍ନ ଦୋଳ ମେଳଣ ମଧ୍ୟରୁ ଅବିଭକ୍ତ କଟକ ଜିଲ୍ଲା ତଥା କଟକ, କେନ୍ଦ୍ରାପଡ଼ା, ଯାଜପୁର ଜିଲ୍ଲାର ମିଳନ ସ୍ଥଳରେ ହେଉଥିବା ଓଳକଣା ମେଳଣ ଏକ ସ୍ବତନ୍ତ୍ର ତଥା ପୌରାଣିକ ତଥ୍ୟ ସହ ଜଡ଼ିତ ଥିବା ମେଳଣ ଅଟେ। କାରଣ ଏହି ମେଳଣ ପଡ଼ିଆଟି ମହାଭାରତର ବିଭିନ୍ନ ଚରିତ୍ର ସହ ଏହାର ସାମଞ୍ଜସ୍ୟ ରହିଛି।ଏହି ପଡ଼ିଆରେ ଭକ୍ତ ବିଦୁର, ଉଦ୍ଧବ ଓ ଦ୍ରୋଣ ମନ୍ଦିର ଥିବାବେଳେ ଏହାର ଅଳ୍ପକିଛି ଦୂରରେ ପାଣ୍ଡବ ପାଞ୍ଚଭାଇଙ୍କ ମନ୍ଦିର ସହ କୁନ୍ତୀ ଓ ଦ୍ରୌପଦୀଙ୍କ ମନ୍ଦିର ରହିଛି।

କଥାରେ ଅଛି
“ଓଳକଣା ମେଳଣ,
ଆଳି ରାଜା ଝୁଲଣ
ଅସୁରେଶ୍ୱର ରାମ ନବମୀ,
ପୁରସ୍ତମ ଚନ୍ଦନ”

ଏକଥା ର ତାତ୍ପର୍ଯ୍ୟ ନିରାଟ ସତ୍ୟ। ଅଭିଭକ୍ତ କଟକ ଜିଲ୍ଲାର ଓଳକଣା ଠାରେ ପୁରାଣ ପ୍ରସିଦ୍ଧ ଓଳକଣା ଦୋଳ ମେଳଣ ଅନୁଷ୍ଠିତ ହୋଇ ଯାଇଛି। ଏହି ପୁରାଣ ପ୍ରସିଦ୍ଧ ମେଳଣ କାହିଁ କେଉଁ କାଳରୁ ହୋଇ ଆସୁଅଛି, ତାହା କେହି କହି ପାରିବେ ନାହିଁ। ଏହା ପୂରାଣ ଯୁଗର କଥା। ପାଞ୍ଚ ପାଣ୍ଡବ ଭାଈ ମାନେ ପଶା ଖେଳରେ କୌରବ ମାନଙ୍କ ଠାରୁ ହାରିଯିବା ଫଳରେ ସର୍ତ୍ତ ଅନୁଯାୟୀ ୧୨ ବର୍ଷ ଅଜ୍ଞାତ ବନବାସ ରେ ରହି ଯେତେବେଳେ ହସ୍ତିନାପୁରକୁ ଫେରିଲେ, ସେତେବେଳେ ତାଙ୍କୁ ରହିବା ପାଇଁ ପଡ଼ା ଦିଆ ଯାଇନଥିଲା । ଏହା ଦେଖି ମହାପ୍ରଭୁ ଶ୍ରୀକୃଷ୍ଣ ପାଣ୍ଡବ ମାନଙ୍କ ପାଇଁ କୌରବ ରାଜା ଦୁର୍ଯ୍ୟଧନଙ୍କ ପାଖକୁ ଯାଇ ସେମାନଙ୍କ ପାଇଁ ୫ ଗୋଟି ପଡ଼ା ପାଇଁ ଭିକ୍ଷା ମାଗିଥିଲେ । କିନ୍ତୁ ଅହଙ୍କାରୀ ରାଜା ଦୁର୍ଯ୍ୟଧନ କହିଥିଲେ “ବିନା ଯୁଦ୍ଧେ ଦେବିନାହିଁ ସୂଚଗ୍ରେ ମେଦିନି”। ଏହା ପରେ ମହାପ୍ରଭୁ ଶ୍ରୀକୃଷ୍ଣ ମନଦୁଃଖର ଫେରିଆସି ଓଳକଣା ପଡିଆ ଠାରେ ବିଦୂରଙ୍କ ଆଶ୍ରମଠାରେ ପହଞ୍ଚିଥିଲେ । ବିଦୂର ମହାପ୍ରଭୁ ଶ୍ରୀକୃଷ୍ଣ କୁ ଶାଗ ଭାତ ଦେଇ ତାଙ୍କ କ୍ଷୁଧା ମେଣ୍ଟାଇଥିଲେ।

ପ୍ରଭୁ ଶ୍ରୀକୃଷ୍ଣ ଭକ୍ତ ବିଦୁରଙ୍କ ଆତିଥ୍ୟରେ ମୁଗ୍ଧ ହୋଇ କହିଥିଲେ କି ବର ମାଗୁଛୁ ମାଗ । ବିଦୂର କହିଲେ ପ୍ରଭୁ ମୁଁ ଆପଣଙ୍କୁ ହର ଆଉ ହରି ରୂପରେ ଦେଖିବା ପାଇଁ ଚାହୁଁଛି । ପ୍ରଭୁ ଶ୍ରୀକୃଷ୍ଣ ବିଦୂର ଙ୍କୁ କହିଲେ, ଫାଲଗୁନ ଶୁକ୍ଲ ଚତୁର୍ଦ୍ଦଶୀ ତିଥିର ବ୍ରାହ୍ମ ମୁହୂର୍ତ୍ତରେ ମୋତେ “ହରିହର” ରୂପରେ ଦର୍ଶନ ପାଇବେ। ସେହି କଥାକୁ ରକ୍ଷା କରି ପ୍ରଭୁ ଶ୍ରୀକୃଷ୍ଣ, ଭଦ୍ରେଶ୍ୱର ବିମାନରେ ରାଧାକୃଷ୍ଣଙ୍କ ବିଗ୍ରହ ସହ ସଂହାରକର୍ତା ହରଙ୍କ ଚୁଳମାଳ ସହ ଏଠାକୁ ଆସିଥାନ୍ତି। ଶ୍ରୀ ବୀରଭଦ୍ରେଶ୍ବରଙ୍କ ପୀଠରୁ ଆସୁଥିବା ଏହି ପୁଷ୍ପକ ବିମାନରେ ରାଧାକୃଷ୍ଣଙ୍କ ବିଗ୍ରହ ସହ “ହର” ଙ୍କୁ ଦ୍ଵାରପାଳ ରୂପେ ଜଗିବା ପାଇଁ ତମ୍ବା ନିର୍ମିତ ଦୁଇଟି ନାଗ ବିଗ୍ରହ ସ୍ଥାପନ କରାଯାଏ। ଏହି ବିମାନ ସହ ୧୦୮ ଘଣ୍ଟୁଆ ଘଣ୍ଟ ନାଦ କରି ପ୍ରଭୁଙ୍କୁ ପାଛୋଟି ଆଣନ୍ତି ମେଲଣ ପଡିଆକୁ।

2222

ଆଧ୍ୟାତ୍ମିକର ପରିବେଶ ସୃଷ୍ଟି ହୁଏ ସମଗ୍ର ଅଂଚଳରେ। ଆଉ ଭକ୍ତ ବିଦୁର ମାଗିଥିବା ବର ଅନୁସାରେ ଶ୍ରୀକୃଷ୍ଣ ଆଜିର ଦିନର ବ୍ରାହ୍ମ ମୁହୂର୍ତ୍ତରେ “ହରିହର” ରୂପେ ଦର୍ଶନ ଦିଅନ୍ତି। ଶତାଧିକ ବିମାନରେ କେବଳ ରାଧା କୃଷ୍ଣ ଆସୁଥିବାବେଳେ ଗୋଟିଏ ବିମାନରେ ହର ଓ ହରି ଆସିଥାନ୍ତି। ଏହି ପରମ୍ପରା କାହିଁ କେଉଁ ପୁରାଣ ଯୁଗରୁ ପ୍ରଚଳିତ ହୋଇ ଆସୁଅଛି । ସବୁଠାରୁ ବଡ଼ କଥା ହେଲା, ଏହି ଓଳକଣା ମେଲଣ ପଡିଆକୁ ଯେତେ ବିମାନ ଆସିଥାନ୍ତି କାହାରିକୁ ନିମନ୍ତ୍ରଣ କରାଯାଇ ନଥାଏ, କି ବିଦାକି ଦିଆ ଯାଇନଥାଏ। ଏଠି ଭକ୍ତ ଆଉ ଭଗବାନ ସମସ୍ତେ ଏକକାର। ଏହି ଓଳକଣା ପଡିଆ କୁ ପୂର୍ବ ଦିଗରୁ ଆଳି ରାଜାଘର ବିମାନଙ୍କ ସହ ମା’ ଲକ୍ଷ୍ମୀ ଠାକୁରାଣୀ ଙ୍କ ବିମାନ ପ୍ରବେଶ କଲା ପରେ ଅନ୍ୟ ବିମାନ ପ୍ରବେଶ କରିଥାନ୍ତି। ପଶ୍ଚିମ ଦିଗରୁ ଲଳିତଗିରି ବିମାନ ପ୍ରବେଶ କଲା ପରେ ଅନ୍ୟ ବିମାନ ପ୍ରବେଶ କରନ୍ତି ।

ସେହିପରି ଉତ୍ତରଦିଗରୁ ଓଳାସୁଣୀ ବିମାନ ସହ ମିଶ୍ର ଘର ବିମାନ ପଡିଆକୁ ପ୍ରବେଶ କଲାପରେ ଶେଷରେ ଅନ୍ୟ ବିମାନ ପ୍ରବେଶ କରିଥାନ୍ତି।  ସେହିପରି ଦକ୍ଷିଣ ଦିଗରୁ ମଣ୍ଡୁଅ ବିମାନ ପ୍ରବେଶ କଲା ପରେ ଅନ୍ୟ ବିମାନ ସବୁ ପ୍ରବେଶ କରନ୍ତି। ସମସ୍ତ ବିମାନ ପଡ଼ିଆରେ ଥିବା ହର ଆଉ ହରି ଙ୍କ ଦ୍ଵାର ଦେଇ ପ୍ରବେଶ କରନ୍ତି। ସମସ୍ତ ବିମାନ ଗୁଡିକ ପାରମ୍ପରିକ ପଟୁଆରରେ ପଡିଆକୁ ପ୍ରବେଶ କରନ୍ତି । ଯଥା ଘଣ୍ଟ ଘଣ୍ଟା , କୀର୍ତ୍ତନ , ଷଣ୍ଢ ନାଚ, ଡିବି ଝାଡ଼ ଓ ମଶାଲ ବତି ଶହ ଆତାସବାଜି ସହ ଯେତେବଳେ ପଡ଼ିଆରେ ପ୍ରବେଶ ହୋଇଥାଏ ସେତେବେଳେ ଆଧ୍ୟାତ୍ମିକ ଭାବବେଗ ର ପରିବେଶ ସୃଷ୍ଟି ହୋଇଥାଏ।

ଶେଷରେ ବୀର ଭଦ୍ରେଶ୍ୱର ଙ୍କ ବିମାନ ଆସିଲା ପରେ ବିଦୁର ଙ୍କ ନିକଟରେ ଆଳତି ପରେ ମେଳଣ କାର୍ଯ୍ୟ ସମାପନ ହୋଇଥାଏ। ଓଡ଼ିଶାର କୋଣ ଅନୁକୋଣରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ ହରିହର ଦର୍ଶନ ନିମନ୍ତେ । କୁହାଯାଏ ଯେ ଏହି ଓଳକଣା ମେଲଣ କୁ ଯିଏ ଥରୁଟିଏ ଆସେ ତାହାର ମନୋକାମନା ପୂରଣ ହେବା ସହ ଭକ୍ତ ଓ ଭଗବାନ ଙ୍କ ସହ ମିଳନ ଘଟିଥାଏ ବୋଲି ବିଶ୍ୱାସ ଅଛି। ସୁରକ୍ଷା ନିମନ୍ତେ ମାହାଙ୍ଗା ଓ ଡେରାବିଶ ପୋଲିସ୍ ସମେତ ଓଳକଣା ମେଳଣ କମିଟି ପକ୍ଷରୁ ବ୍ୟବସ୍ଥା କଡାକଡି କରାଯାଇଥାଏ। ଏହି ଅବସରରେ ବହୁ ଉଠା ଦୋକାନୀ ମାନେ ନିଜର ବ୍ୟବସାୟ ପ୍ରତିଷ୍ଠାନ କରିଥାନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.