ସାମ୍ନାକୁ ଆସିଲା ଓମିକ୍ରନର ନୂଆ ଲକ୍ଷଣ, ଯାହା କେବଳ ରାତିରେ ହିଁ ଦେଖା ଦେଉଛି

ଥମିବାର ନାଁ ଧରୁନି କରୋନା ମହାମାରୀ। ନୂଆ ନୂଆ ରୂପରେ ବାରମ୍ବାର ସାମ୍ନାକୁ ଆସୁଛି କୋଭିଡ। ଡେଲ୍ଟା ଭ୍ୟାରିଏଣ୍ଟ ପରେ ଏବେ ଓମିକ୍ରନ ନୂଆ ବିପଦ ହୋଇ ସାମ୍ନାକୁ ଆସିଛି। ପୂର୍ବରୁ ଡେଲ୍ଟା ଯେଭଳି ବିପଦପୂର୍ଣ୍ଣ ଥିଲା ଓମିକ୍ରନ ତା ଠାରୁ ଅଧିକ ଭୟଙ୍କର ହେବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି। ତେବେ ସବୁଠୁ ବଡ଼ କଥା ହେଉଛି ଏହି ନୂଆ ଭ୍ୟାରିଏଣ୍ଟ ପୂର୍ବରୁ ସଂକ୍ରମିତ ଲୋକଙ୍କୁ ବି ସଂକ୍ରମିତ କରିବ। ଆଉ ଏହି ଓମିକ୍ରନ ବିପକ୍ଷରେ ଦୁଇଟି ଯାକ ଡୋଜ୍ ବି କାମ ନ କରିପାରେ ବୋଲି ମଧ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି।

ତେବେ ଓମିକ୍ରନକୁ ନେଇ ନୂଆ ନୂଆ ତଥ୍ୟ ଧୀରେ ଧୀରେ ସାମ୍ନାକୁ ଆସୁଛି। ଏବେ ଏହାର ଏକ ନୂଆ ଲକ୍ଷଣ ସମ୍ପର୍କରେ ବୈଜ୍ଞାନିକ ସୂଚନା ଦେଇଛନ୍ତି। ଦକ୍ଷିଣ ଆଫ୍ରିକାର ସ୍ୱାସ୍ଥ୍ୟ ବିଭାଗର ଜେନେରାଲ ପ୍ରାକ୍ଟିସନର ଡା. ଉନବେନ ପିଲ୍ଲେ କହିଛନ୍ତି, ଓମିକ୍ରନ ସଂକ୍ରମିତ ରୋଗୀଙ୍କ ଠାରେ ରାତିରେ ପ୍ରବଳ ଝାଳ ବୋହିବା ଭଳି ସମସ୍ୟା ଦେଖାଦିଏ। ବେଳେବେଳେ ଝାଳ ଏତେ ମାତ୍ରାରେ ବୋହିଥାଏ ଯେ ଲୁଗା ପଟା ଏମିତି କି ବିଛଣା ବି ଓଦା ହୋଇଯାଏ। ସଂକ୍ରମିତ ଥଣ୍ଡା ଜାଗାରେ ରହିଲେ ବି ଝାଳ ବୋହିବା ଭଳି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଏଥିସହ ରୋଗୀଙ୍କ ଶରୀରରେ ପୀଡ଼ା ମଧ୍ୟ ରହିଥାଏ।

ସୂଚନାଯୋଗ୍ୟ ଯେ ଇତିମଧ୍ୟରେ ୫୯ ଟି ଦେଶକୁ ବ୍ୟାପିଲାଣି ଓମିକ୍ରନ। ଏହାକୁ ନେଇ ବିଶ୍ୱବ୍ୟାପୀ ଆତଙ୍କ ଦେଖାଯାଇଛି। ଦକ୍ଷିଣ ଆଫ୍ରିକାରେ ନଭେମ୍ବର ୨୫ରେ ପ୍ରଥମ ଓମିକ୍ରନ କେସ୍ ସାମ୍ନାକୁ ଆସିଥିଲା। ଏହାପରେ ସଂକ୍ରମଣ ବ୍ୟାପିବା ସହ ଚତୁର୍ଥ ଲହର ଆସିଛି। କୋଭିଡର ଅନ୍ୟ ଭ୍ୟାରିଏଣ୍ଟ ତୁଳନାରେ ଓମିକ୍ରନ ସଂକ୍ରମଣ ଆରମ୍ଭରୁ ହିଁ ଲୋକଙ୍କ ପ୍ରତିରୋଧକ ଶକ୍ତିକୁ କମାଇ ଦେଉଛି। ଏହା ଦ୍ୱାରା ବିଟା ଓ ଡେଲଟା ଭ୍ୟାରିଏଣ୍ଟ ତୁଳନାରେ ୭ ଗୁଣା ଅଧିକ ପୁନଃସଂକ୍ରମଣ ହେଉଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି।

ସେହିପରି ଅନ୍ୟ ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଅଗଷ୍ଟ ସୁଦ୍ଧା ୬୦ ପ୍ରତିଶତ ଲୋକଙ୍କୁ ସଂକ୍ରମିତ ହୋଇଥିଲେ। ଏଥିସହ ବୟସ୍କଙ୍କ ମଧ୍ୟରୁ ୪୦ ପ୍ରତିଶତଙ୍କୁ ଟିକାକରଣ କରାଯାଇଥିଲା। ଏଥିଯୋଗୁ ଦକ୍ଷିଣ ଆଫ୍ରିକାରେ ଛୋଟଧରଣର ଚତୁର୍ଥ ଲହର ଆଶା କରାଯାଉଥିଲା । କିନ୍ତୁ ଓମିକ୍ରନ ମ୍ୟୁଟେସନ ଯୋଗୁ ଲୋକଙ୍କ ସ୍ୱାଭାବିକ ପ୍ରତିରୋଧକ ଶକ୍ତି ମାତ୍ ଦେଉଥିବାରୁ ଚିନ୍ତା ବଢ଼ିଛି। ଏପରିକି ଭ୍ୟାକ୍ସିନ ନେଇଥିବା ଲୋକଙ୍କୁ ମଧ୍ୟ ଓମିକ୍ରନ ସଂକ୍ରମଣର ଆଶଙ୍କା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.