ପାରାଅଲିମ୍ପିକ ଚାମ୍ପିୟନ ପ୍ରମୋଦ ଭଗତଙ୍କ ବିଷୟରେ ଜାଣନ୍ତୁ

ବିଶ୍ୱର ଏକ ନମ୍ୱର ଖେଳାଳି ଏବେ ପାରାଅଲିମ୍ପିକ ଚାମ୍ପିୟନ । ଓଡ଼ିଶାର ପ୍ରମୋଦ ଭଗତ ଟୋକିଓରେ ଚାଲିଥିବା ପାରାଅଲିମ୍ପିକ ବ୍ୟାଡ଼ମିଣ୍ଟନରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ନିଜର ନିଷ୍ଠା, ପରିଶ୍ରମ ଯୋଗୁ ଆଜି ସେ ଏ ସ୍ଥାନରେ ପହଂଚି ପାରିଛନ୍ତି । ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ପ୍ରମୋଦଙ୍କ ଘର ବରଗଡ଼ ଜିଲ୍ଲା ଅତାବିରା ଠାରେ । ୧୯୮୮ ମସିହା ଜୁନ ୪ ତାରିଖରେ ତାଙ୍କର ଜନ୍ମ । ପରିବାରରେ ଛଅ ଭାଇ ଭଉଣୀ । ପ୍ରମୋଦଙ୍କୁ ୫ ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ଗୋଡ଼ରେ ସମସ୍ୟା ଦେଖା ଦେଇଥିଲା । ପୋଲିଓ ଯୋଗୁ ସେ ପାଲଟିଗଲେ ଆଂଶିକ ଦିବ୍ୟାଙ୍ଗ ।

ଗରିବ ପରିବାରରେ ଚାଲିଥିଲା ଜୀବନ ସଂଘର୍ଷ । ତାଙ୍କୁ ୧୩ ବର୍ଷ ବେଳକୁ ସେ ଏକ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ଦେଖି ଏହି ଖେଳ ପ୍ରତି ଆକର୍ଷିତ ହୋଇଥିଲେ । ତାପରେ ଖେଳ ଆରମ୍ଭ କଲେ ଓ ଦୁଇ ବର୍ଷ ଭିତରେ ଟୁର୍ନାମେଣ୍ଟ ମଧ୍ୟ ଖେଳିଲେ । ପ୍ରଥମେ ସାଧାରଣ ବର୍ଗରେ ପରେ ଦିବ୍ୟାଙ୍ଗ ବର୍ଗରେ ଖେଳି ଚାଲିଲେ ଓ ଗୋଟିଏ ପରେ ଗୋଟିଏ ସଫଳତା ପାଇଁ ଚାଲିଲେ । କୋଚ ଶିବ ପ୍ରସାଦ ଦାସଙ୍କ ତାଲିମ ପାଇ ପ୍ରମୋଦ ଏ ପର‌୍ୟ୍ୟନ୍ତ ୫ ଥର ବିଶ୍ୱ ଚାମ୍ପିଅନ୍ ହୋଇଛନ୍ତି । ତାଙ୍କ ନାଁରେ ୪୬ଟି ଅନ୍ତର୍ଜାତୀୟ ପଦକ ଜିତିବାର ଗୌରବ ରହିଛି ।

ପାରାଅଲିମ୍ପିକ୍ସ ପ୍ରଥମ ଥର ସ୍ଥାନ ପାଇଛି ବ୍ୟାଡ଼ମିଣ୍ଟନ । ଆଉ ପ୍ରଥମ ଥର ଅଲିମ୍ପିକ୍ସରେ ଭାଗ ନେଇଥିଲେ ପ୍ରମୋଦ । ଏହା ସହିତ ପ୍ରଥମ ଥର ଦେଶ ଓ ରାଜ୍ୟ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ୨୦୧୯ରେ ପ୍ରମୋଦଙ୍କୁ ଅର୍ଜୁନ ଏବଂ ବିଜୁ ପଟନାୟକ କ୍ରୀଡା ପୁରସ୍କାର ମିଳିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.