ଗଧଙ୍କ ଉପରେ ସଙ୍କଟ: ଯୌନ ଶକ୍ତି ବଢ଼ାଇବା ପାଇଁ ମାଂସ ଖାଉଛନ୍ତି ଲୋକେ, କମି କମି ଯାଉଛି ସଂଖ୍ୟା

ଭାରତରେ ଗଧକୁ ବିଲୁପ୍ତମୁଖୀ ପ୍ରାଣୀ ତାଲିକାରେ ରଖାଯାଇଛି। ଯଦି ବହୁତ ଜଲ୍‌ଦି ଏମାନଙ୍କ ସଂଖ୍ୟା ବୃଦ୍ଧି ନ ଘଟେ, ତା’ହେଲେ କିଛି ରାଜ୍ୟରେ ଏହି ପ୍ରାଣୀ ସମ୍ପୂର୍ଣ୍ଣ ଭାବେ ଗାଏବ ହୋଇଯାଇ ପାରନ୍ତି। ତେବେ ଗଧଙ୍କ ସଂଖ୍ୟା ହ୍ରାସ ପାଇବାର ଏକ ପ୍ରମୁଖ କାରଣ ହେଉଛି, ମାଂସ ପାଇଁ ଏମାନଙ୍କୁ ହତ୍ୟା କରାଯିବା। ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ମୁତାବକ, ଗଧ ‘ଫୁଡ୍‌ ଆନିମଲ୍‌’ ରୂପେ ରେଜିଷ୍ଟର ହୋଇନି। ତେଣୁ ଏମାନଙ୍କୁ ମାରିବା ବେଆଇନ କାର୍ଯ୍ୟ।

ଏକ ସୂତ୍ରରୁ ଜଣାପଡ଼ିଛି ଯେ ଭାରତର ଏକ ରାଜ୍ୟରେ ଗଧଙ୍କ ସଂଖ୍ୟା ଲୋପ ପାଇଯିବାକୁ ବସିଛି। ଏଠାରେ ଗଧମାନଙ୍କୁ ମାରି ତାଙ୍କ ଅବଶେଷଗୁଡ଼ିକୁ କେନାଲ୍‌ରେ ଫିଙ୍ଗି ଦିଆଯାଉଛି। ଏହାଦ୍ୱାରା ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ବି ବିପଦ ଆଶଙ୍କା ସୃଷ୍ଟି ହୋଇଛି। ବଜାରରେ ଗଧ ମାଂସ ପାଖାପାଖି ୬୦୦ ଟଙ୍କା କିଲୋ ଦରରେ ବିକ୍ରି ହେଉଛି। ମାଂସ ବିକ୍ରି କରୁଥିବା ବ୍ୟକ୍ତି ଗଧ କିଣିବା ପାଇଁ ୧୫ରୁ ୨୦ ହଜାର ପର୍ଯ୍ୟନ୍ତ ଟଙ୍କା ଦେଉଛନ୍ତି। ମାଂସ ପାଇଁ ଗଧମାନଙ୍କୁ ମନଇଚ୍ଛା କଟାଯାଉଛି। ଏହା ଉପରେ ରୋକ୍‌ ଲଗାଇବା ଏଠାକାର ରାଜ୍ୟ ସରକାରଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି।

ଆଶ୍ଚର୍ଯ୍ୟର କଥା, ଏଠାରେ ଗଧ ମାଂସକୁ ନେଇ ଲୋକଙ୍କ ମଧ୍ୟରେ ଅନେକ ଧାରଣା ରହିଛି। ଲୋକେ ବିଶ୍ୱାସ କରନ୍ତି କି, ଗଧ ମାଂସ ଅନେକ ସମସ୍ୟାକୁ ଦୂର କରିପାରିବ। ଯେପରି, ଗଧ ମାଂସ ଖାଇଲେ ଶ୍ୱାସ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳିପାରିବ। ବ୍ୟକ୍ତିର ଯୌନ କ୍ଷମତା ବି ବଢ଼ିପାରିବ। ଏମିତି ଧାରଣା ଯୋଗୁ ଲୋକେ ଗଧ ମାଂସକୁ ଭୋଜନ ରୂପେ ଗ୍ରହଣ କରୁଛନ୍ତି।

ଆନିମଲ୍‌ ରେସ୍‌କ୍ୟୁ ଅର୍ଗାନାଇଜେଶନ ସେକ୍ରେଟାରୀ ଗୋପାଳ ଆର୍‌ ସୁରବାଥୁଲାଙ୍କ କହିବା ହେଲା, ଗଧଙ୍କ ଅସ୍ତିତ୍ୱ ଉପରେ ଗମ୍ଭୀର ସଙ୍କଟ ରହିଛି। ଏହି ରାଜ୍ୟରୁ ଗଧମାନେ ଧୀରେ ଧୀରେ ଗାଏବ ହୋଇଯାଉଛନ୍ତି। ପ୍ରାଣୀ କ୍ରୁରତା ନିବାରଣ ଆକ୍ଟ ୧୯୬୦ ଅନୁସାରେ ଏମାନଙ୍କୁ ବେଆଇନ ଭାବେ ମାରି ଦିଆଯାଉଛି। ଏହା ସ୍ଥାନୀୟ ନଗରପାଳିକା ଆକ୍ଟ ସହ ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରୁଛି। ତେବେ ଏହି ମାମଲା ଆନ୍ଧ୍ର ପ୍ରଦେଶର ବୋଲି କୁହାଯାଉଛି। ସୂଚନାଥାଉ କି, ୨୦୧୯ରେ ଏହି ରାଜ୍ୟରେ ଗଧଙ୍କ ସଂଖ୍ୟା ମାତ୍ର ୫୦୦୦ ରହିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.