Below header

ଖାଦ୍ୟ ଉପରେ ଅତ୍ୟଧିକ କଟକଣା ପାଇଁ ଆପଣ ହୋଇପାରନ୍ତି ଏକଲାପଣର ଶିକାର: ସର୍ଭେ

ଭାରତରେ ଉତ୍ସବର ଅର୍ଥ ସ୍ୱାଦିଷ୍ଟ ଖାଦ୍ୟପେୟ ଭୋଜନ ଓ ମଜାମସ୍ତି। କିନ୍ତୁ ଉତ୍ସବର ମସ୍ତିଭରା ମାହୋଲରେ ମଧ୍ୟ କିଛି ଲୋକ ନିଜ ଡାଏଟ୍‌କୁ ଜଗିଥାନ୍ତି। କ’ଣ ଖାଇବେ ନ ଖାଇବେ ସେ ବିଷୟରେ ସେମାନେ ଆଗୁଆ ସଚେତନ ରହିଥାନ୍ତି। ଫଳରେ ସେମାନେ ଉତ୍ସବର ମଜାକୁ ଠିକ୍‌ ଭାବେ ଉଠାଇପାରିନଥାନ୍ତି ଓ ନିଜକୁ ଏକଲା ମନେ କରିଥାନ୍ତି। ଏକଲାପଣକୁ ନେଇ କରାଯାଇଥିବା ଏକ ସର୍ଭେରେ ଏଭଳି ନିଷ୍କର୍ଷ ବାହାରିଛି।

ଶିଶୁ ଓ ବୟସ୍କଙ୍କ ଏକଲାପଣର କାରଣ ଜାଣିବାକୁ କରାଯାଇଥିବା ଏକ ସର୍ଭେରେ ଜଣାଯାଇଥିଲା ଯେ ଲୋକ ଗହଳି ଭିତରେ ଥିଲେ ମଧ୍ୟ ଡାଏଟିଂ ଯୋଗୁ ଖାଦ୍ୟଗ୍ରହଣ କରୁନଥିବା ବ୍ୟକ୍ତି ଅନ୍ତରରୁ ଏକଲା ହୋଇଥାନ୍ତି। ସେମାନେ ଅନ୍ୟମାନଙ୍କ ସହ ଖୋଲାଖୋଲି ମିଶିପାରନ୍ତି ନାହିଁ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ ଏକା ଥିବା ବେଳେ ଖାଦ୍ୟ ଗ୍ରହଣ ନ କରିବା ସହଜ ହୋଇଥିବା ବେଳେ ଏକାଠି କୌଣସି ଭୋଜି ବା ଉତ୍ସବରେ ଖାଦ୍ୟ ନ ଖାଇବା କଷ୍ଟକର ହୋଇଥାଏ। ଡାଏଟିଂକୁ ଅଧିକ ଧ୍ୟାନ ଦେଉଥିବା ଲୋକେ ଭୋଜିରେ ମଧ୍ୟ ଖାଦ୍ୟଗ୍ରହଣ କରିନଥାନ୍ତି। ଫଳରେ ସେମାନେ ମାନସିକ ଭାବେ ଚାପଗ୍ରସ୍ତ ହୋଇପଡ଼ନ୍ତି ଓ ଧୀରେ ଧୀରେ ଡିପ୍ରେସନ୍‌ର ଶିକାର ହୁଅନ୍ତି।

ସେହିଭଳି ଛୋଟ ଛୋଟ ପିଲାମାନେ ପାଠପଢ଼ା ଯୋଗୁ ଯେତିକି ଚାପରେ ନ ଥାନ୍ତି ଖାଦ୍ୟ ଖାଇବାରେ ପ୍ରତିବନ୍ଧକ ଯୋଗୁ ଅଧିକ ଚିନ୍ତାରେ ରହିଥାନ୍ତି। ସାଙ୍ଗମାନଙ୍କ ଗହଣରେ ପିଲାମାନେ ଅଧିକ ସୁରକ୍ଷିତ ମନେ କରୁଥିବା ବେଳେ ଖାଦ୍ୟ ଖାଇବାରେ ଥିବା ପ୍ରତିବନ୍ଧକ ଯୋଗୁ ନିଜକୁ ଏକୁଟିଆ ଭାବିଥାନ୍ତି। ରିସର୍ଚ୍ଚରେ ଭାଗ ନେଇଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରୁ ପ୍ରାୟ ୩୦ ପ୍ରତିଶତ ଲୋକ ଖାଦ୍ୟରେ ପ୍ରତିବନ୍ଧକ ଯୋଗୁ ଏକଲା ଅନୁଭବ କରୁଥିବା କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.