ବିପଦରେ ଇଟାଲୀ: ଜନ୍ମ କମ୍‌ ଓ ମୃତ୍ୟୁ ଅଧିକ, ବଢ଼ୁଛନ୍ତି ବୃଦ୍ଧ, କମୁଛନ୍ତି ଛୁଆ; ଦେଶର ଅସ୍ତିତ୍ୱକୁ ନେଇ ଚିନ୍ତା ପ୍ରକଟ କଲେ ପ୍ରଧାନମନ୍ତ୍ରୀ

ଇଟାଲୀର ଭବିଷ୍ୟତ ବିପଦରେ ଅଛି। ଦେଶରେ ହ୍ରାସ ପାଉଥିବା ଜନସଂଖ୍ୟା ଉପରେ ଚିନ୍ତା ପ୍ରକଟ କରି ପ୍ରଧାନମନ୍ତ୍ରୀ ସେରଜିୟୋ ମାତ୍ତାରେଲା ଏହି କଥା କହିଛନ୍ତି। କଲମ୍ବସ୍‌ ଓ ଗାଲିଲିଓଙ୍କ ଦେଶ ଇଟାଲୀରେ ଲଗାତାର ଭାବେ ଜନ୍ମହାର କମି ଚାଲିଥିବାରୁ ଏହା ଏବେ ସଙ୍କଟ ସ୍ଥିତିରେ ରହିଛି। ୨୦୧୯ରେ ଇଟାଲୀରେ ଲଗାତାର ୫ମ ବର୍ଷରେ ମୃତ୍ୟୁହାର ତୁଳନାରେ ଜନ୍ମହାର ହ୍ରାସ ପାଇଛି।

t1

ଦେଶର ରାଷ୍ଟ୍ରୀୟ ପରିସଂଖ୍ୟାନ ଏଜେନ୍ସି ISTAT ମୁତାବକ, ୨୦୧୯ରେ ୪,୩୫,୦୦୦ ଶିଶୁ ଜନ୍ମ ନେଇଛନ୍ତି। କିନ୍ତୁ ଏହି ସଂଖ୍ୟା ୨୦୧୮ ମସିହା ତୁଳନାରେ ୫,୦୦୦ କମ୍‌। ଅନ୍ୟପଟେ ମୃତ୍ୟୁସଂଖ୍ୟା ୭୪୭,୦୦୦ ରହିଥିଲା, ଯାହାକି ଗତବର୍ଷ ତୁଳନାରେ ୧୪,୦୦୦ ଅଧିକ ଥିଲା।

t6

ସେହି ହିସାବରେ ଇଟାଲୀରେ ଜନ୍ମ ହେଉଥିବା ଲୋକଙ୍କ ସଂଖ୍ୟା ମୃତ ଲୋକଙ୍କ ତୁଳନାରେ ୨,୧୨,୦୦୦ କମ୍‌। ପରିସଂଖ୍ୟାନ ମୁତାବକ, ପ୍ରଥମ ବିଶ୍ୱଯୁଦ୍ଧ ପରେ ଏହା ପ୍ରଥମ ଘଟଣା, ଯେଉଁଠି ଇଟାଲୀରେ ଜନ୍ମହାର ଏତେ ହ୍ରାସ ପାଇଥିବା ଦେଖିବାକୁ ମିଳୁଛି। ଇଟାଲୀ ଜନସଂଖ୍ୟାରେ ଏହି ସଙ୍କଟ ପରିସ୍ଥିତି ଦେଶର ଅର୍ଥବ୍ୟବସ୍ଥା ପାଇଁ ମଧ୍ୟ ଚିନ୍ତାଜନକ ବିଷୟ ପାଲଟିଛି। ଏଠାରେ ବୃଦ୍ଧ ଲୋକଙ୍କ ସଂଖ୍ୟା ଯଥେଷ୍ଟ ବଢ଼ିବାରେ ଲାଗିଛି ଏବଂ ଓ୍ଵାର୍କଫୋର୍ସରେ ହ୍ରାସ ଘଟୁଛି।

t7

ପ୍ରଧାନମନ୍ତ୍ରୀ ସେରଜିୟୋ ମାତ୍ତାରେଲା ଏହି ପରିସଂଖ୍ୟାନ ଉପରେ ଗୁରୁତ୍ୱାରୋପ କରି କହିଛନ୍ତି, ‘ଏହି ସ୍ଥିତି ବର୍ତ୍ତମାନ ଦେଶର ଅସ୍ତିତ୍ୱ ଉପରେ ପ୍ରଭାବ ପକାଇଛି। ଆମ ଦେଶର ଗଢ଼ଣ ଲଗାତାର ଦୁର୍ବଳ ହେବାରେ ଲାଗିଛି। ଏହି ସଙ୍କଟରୁ ବାହାରିବା ପାଇଁ ସବୁ ସମ୍ଭବ ଉପାୟ ଆପଣାଯିବା ଦରକାର’। ୭୮ ବର୍ଷୀୟ ମାତ୍ତାରେଲା କହିଥିଲେ ଯେ ଜଣେ ବୃଦ୍ଧ ବ୍ୟକ୍ତି ହିସାବରେ ମୋତେ ହ୍ରାସ ପାଉଥିବା ଜନ୍ମହାରକୁ ନେଇ ଚିନ୍ତା ହେଉଛି।

t77

ଇଟାଲୀର ମୋଟ ଜନସଂଖ୍ୟା ୧,୧୬,୦୦୦ କମି ବର୍ତ୍ତମାନ ୬୦.୩ ମିଲିୟନ୍‌ ହୋଇଯାଇଛି। ଗୋଟିଏ ପଟେ ଜନ୍ମହାର ହ୍ରାସ ଏବଂ ଅନ୍ୟପଟେ ଦେଶ ଛାଡ଼ି ପଳାୟନ ଆଉ ଏକ ସଙ୍କଟ ଆଣି ଛିଡ଼ା କରାଇଛି। ଯଦିଓ ପ୍ରବାସୀ ନାଗରିକ ଇଟାଲୀର ଜନସଂଖ୍ୟାକୁ ସନ୍ତୁଳନ ରଖିବାରେ ସାହାଯ୍ୟ କରୁଛନ୍ତି। ତେବେ ଇଟାଲୀ ଭଳି ଅନ୍ୟ କେତେକ ୟୁରୋପୀୟ ଦେଶ ମଧ୍ୟ ଏହିଭଳି ସଙ୍କଟକୁ ସାମ୍ନା କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.