ଅଧୁରା ରହିଗଲା ଦ୍ୱିତୀୟ କୋଣାର୍କ ସ୍ୱପ୍ନ, ଅଧାରୁ ବାହୁଡ଼ିଗଲେ ଶିଳ୍ପୀ

ଭୁବନେଶ୍ୱର (କେ ନ୍ୟୁଜ୍‌) : କରୋନା ଆଜି ଆମଠାରୁ ଛଡ଼ାଇ ନେଇଛି ରାଜ୍ୟର ଆଉ ଜଣେ ବିଶିଷ୍ଟ ବ୍ୟକ୍ତିଙ୍କୁ । ବିଶିଷ୍ଟ ପ୍ରସ୍ତର ଶିଳ୍ପୀ ରଘୁନାଥ ମହାପାତ୍ର ଆଉ ନାହାନ୍ତି । ଆଜି ଅପରାହ୍ନରେ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି ସେ । ତା ସହିତ ତାଙ୍କର ଦ୍ୱିତୀୟ କୋଣାର୍କ ନିର୍ମାଣର ସ୍ୱପ୍ନ ମଧ୍ୟ ଅଧୁରା ରହି ଯାଇଛି ।

ପଦ୍ମଶ୍ରୀ, ପଦ୍ମ ଭୂଷଣ ଓ ପଦ୍ମ ବିଭୂଷଣରେ ସମ୍ମାନିତ ରଘୁନାଥଙ୍କର ୭୮ ବର୍ଷ ବୟସରେ ପରଲୋକ ଘଟିଛି । ସେ କରୋନାରେ ପୀଡ଼ିତ ହୋଇ ଭୁବନେଶ୍ୱର ଏମ୍‌ସରେ ଚିକିତ୍ସିତ ହେଉଥିଲେ । ବର୍ତ୍ତମାନ ସେ ରାଜ୍ୟସଭା ସାଂସଦ ମଧ୍ୟ ଥିଲେ ।

୧୯୪୩ ମସିହା ମାର୍ଚ୍ଚ ୨୪ ତାରିଖରେ ପୁରୀରେ ଜନ୍ମ ଗ୍ରହଣ କରିଥିଲେ ରଘୁନାଥ । ଜଣେ ଶିଳ୍ପୀଗୁରୁ ଭାବେ ବେଶ୍‌ ଖ୍ୟାତି ଅର୍ଜନ କରିଥିବା ରଘୁନାଥ ନିଜର କଳାକୃତି ପାଇଁ ଦେଶର ସର୍ବୋଚ୍ଚ ସମ୍ମାନ ପାଇଥିଲେ । ୧୯୭୬ ମସିହାରେ ପଦ୍ମଶ୍ରୀ, ୨୦୦୧ରେ ପଦ୍ମ ଭୂଷଣ ଏବଂ ୨୦୧୩ରେ ପଦ୍ମ ବିଭୂଷଣ ସମ୍ମାନ ଲାଭ କରିଥିଲେ ।

ନିଜର ଅନେକ କଳାକୃତି ପାଇଁ ପ୍ରସିଦ୍ଧ ଏହି ବ୍ୟକ୍ତି କିନ୍ତୁ ଖୁବ୍‌ ଚର୍ଚ୍ଚା ସୃଷ୍ଟି କରିଥିଲେ ଦ୍ୱିତୀୟ କୋଣାର୍କ ନିର୍ମାଣକୁ ନେଇ । ଯାହା ତାଙ୍କର ସବୁଠାରୁ ବଡ଼ ସ୍ୱପ୍ନ ଥିଲା । ଏମିତି ଏଦିଗରେ ସେ କାମ ମଧ୍ୟ ଆରମ୍ଭ କରି ଦେଇଥିଲେ । ଓଡ଼ିଶାର କାରିଗରମାନଙ୍କୁ ନେଇ ସେ ଅବିକଳ କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣ କରିବାକୁ ଅଣ୍ଟା ଭିଡ଼ିଥିଲେ । ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଓ ସାତଶଙ୍ଖ ମଝିରେ ଏଥିପାଇଁ ଜାଗା ମଧ୍ୟ ନେଇ ସାରିଥିଲେ । ଏହି ଦ୍ୱିତୀୟ କୋଣାର୍କ ମନ୍ଦିରର ଦୁଇଟି ଚକ ଓ ଗୋଟିଏ ବାଡ଼ ମଧ୍ୟ ସେ ତିଆରି କରି ସାରିଥିଲେ ।

ପ୍ରାୟ ଦୁଇ ହଜାର ଶିଷ୍ୟ ସୃଷ୍ଟି କରିଥିବା ରଘୁନାଥ ଅନେକ ସ୍ମାରକୀ ନିର୍ମାଣ କରିଛନ୍ତି । ତାଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟପାଳ ପ୍ରଫେସର ଗଶେଶୀ ଲାଲ, ସାଂସଦ ତଥା କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି ।

FOUNDER

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.