ଆଜିଠୁ ଆରମ୍ଭ ହେଉଛି ଧର୍ମ ମାସ କାର୍ତ୍ତିକ, ମୋକ୍ଷ ପ୍ରାପ୍ତି ପାଇଁ ଏମିତି ପାଳନ କରନ୍ତୁ ବ୍ରତ

ଆଜିଠୁ ଆରମ୍ଭ ହୋଉଛି ଧର୍ମ ମାସ କାର୍ତ୍ତିକ । ଆଉ ଏହା ସହ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ ବିଧାନ। ପରମ୍ପରା ଓ ବିଶ୍ୱାସକୁ ଆଧାର କରି ପୁର ପଲ୍ଲୀରେ ମହିଳାମାନେ ପାଳନ କରୁଛନ୍ତି ଏହି କାର୍ତ୍ତିକ ବ୍ରତ । ଧର୍ମ ମାସ କାର୍ତ୍ତିକରେ ପୁଣ୍ୟ ଅର୍ଜନ ପାଇଁ ରାଜ୍ୟର କୋଣ ଅନୁକୋଣରୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ଆସି ରହିଲେଣି ।

ଏବେ ଆସନ୍ତୁ ଜାଣିବା କାର୍ତ୍ତିକ ମାସ ଓ ବ୍ରତ ସମ୍ପର୍କରେ …

ବର୍ଷର ବାର ମାସ ଭିତରୁ ଚାରିଟି ମାସ ଆଷାଢ଼, କାର୍ତ୍ତିକ, ମାଘ ଓ ବୈଶାଖ ହେଉଛି ଅତି ପବିତ୍ର ଓ ଧର୍ମ ମାସ । କାର୍ତ୍ତିକ ହେଉଛି ଶ୍ରେଷ୍ଠ ଧର୍ମ ମାସ । ଆବାଳ ବୃଦ୍ଧ ବନିତା ଆଦି ଭୋର୍ ରୁ ସବୁ ବୟସର ପୁରୁଷ ଓ ମହିଳା ସ୍ନାନ କରି ଦେବପୂଜା ଓ ଦାନ ଧର୍ମରେ ସମୟ ଅତିବାହିତ କଲେ ପୁଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି । ବଡ଼କଥା ହେଲା ଏହି ମାସରେ ହବିଷ୍ୟ ପାଳନ କରୁ ନଥିବା ମହିଳା ଓ ପୁରୁଷ ସମସ୍ତେ ଆମିଷ ଭୋଜନ ପରିତ୍ୟାଗ କରନ୍ତି । ହିନ୍ଦୁ ବ୍ରାହ୍ମଣ ଘରର ବିଧବାଙ୍କ ପାଇଁ ହବିଷ୍ୟ ପାଳନ ଏକ ବିଧି ଭାବେ ପ୍ରଚଳିତ । ପ୍ରତ୍ୟୁଷରୁ ସ୍ନାନ ଓ ଦେବଦର୍ଶନ ପରେ ଏକାଠି ହୋଇ ହବିଷ୍ୟାଳିମାନେ ଚଉରା ମୂଳେ ରାଇ ଦାମୋଦର ପୂଜା କରନ୍ତି ଏବଂ କାର୍ତ୍ତିକ ମାହାତ୍ମ୍ୟ ପାଠ ବା ଶ୍ରବଣ କରନ୍ତି । ସୂର୍ଯ୍ୟାସ୍ତ ପୂର୍ବରୁ ହବିଷ୍ୟ ପାଳନ କରନ୍ତି ।

ସେହି ଭଳି ସନ୍ଧ୍ୟାରେ ଆକାଶଦୀପ ପ୍ରଜ୍ଜ୍ୱଳନ କାର୍ତ୍ତିକ ବ୍ରତର ଏକ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ । ପିତୃଗଣଙ୍କୁ ପଥ ପ୍ରଦର୍ଶନ ଏବଂ ସେମାନଙ୍କ ଅନ୍ଧକାରାଚ୍ଛନ୍ନ ପଥକୁ ଆଲୋକିତ କରିବା ସକାଶେ ସୁଉଚ୍ଚ ସ୍ଥାନରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥାଏ । କାର୍ତ୍ତିକ ମାସରେ ତୁଳସୀ ବୃକ୍ଷକୁ ଭକ୍ତି ସହକାରେ ଆରାଧନା କରାଯାଏ । ମାନ୍ୟତା ଅନୁଯାୟୀ ତୁଳସୀ ଭଗବାନ ବିଷ୍ଣୁଙ୍କ ଅତିପ୍ରିୟ। ତୁଳସୀ ପୂଜା ଜରିଆରେ ଭଗବାନ ବିଷ୍ଣୁଙ୍କୁ ମଧ୍ୟ ପୂଜା କରାଯାଇପାରିବ। ଶାସ୍ତ୍ରରେ ଏ ସମ୍ପର୍କରେ ମଧ୍ୟ ଉଲ୍ଲେଖ ରହିଛି ଯେ ତୁଳସୀଙ୍କ କଥା ଭଗବାନ ବିଷ୍ଣୁ କେବେ ଟାଳି ନଥାନ୍ତି। ଏପରି ସ୍ଥିତିରେ ବିଧିପୂର୍ବକ ତୁଳସୀଙ୍କୁ ପୂଜା କରିବା ଦ୍ୱାରା ସମସ୍ତ ଦୁଃଖ, ରୋଗ ଆଦି ଦୂର ହୁଏ। ଏଥିସହିତ ଏହି ଧର୍ମ ମାସରେ ଜଗନ୍ନାଥଙ୍କୁ ପ୍ରତିଦିନ ତୁଳସୀ ଲାଗି କରାଯାଏ ।

ଏଥି ସହିତ କାର୍ତ୍ତିକ ମାସର ସୋମବାର ଦିନ ଶିବଙ୍କୁ ପୂଜା କରାଯାଏ ଏବଂ ସୋମବାର ବ୍ରତ ପାଳନ କରାଯାଏ । କାର୍ତ୍ତିକ ସୋମବାର ହବିଷ୍ୟ ପାଳନ ପୂର୍ବକ ଆଶୁତୋଷଙ୍କ ପୂଜାକଲେ ରୋଗ ଶୋକରୁ ମୁକ୍ତି ମିଳେ । ଏହି ମାସରେ ପଡ଼ୁଥିବା ଅନେକ ପର୍ବପର୍ବାଣୀ ମଧ୍ୟରୁ ଅକ୍ଷୟ ନବମୀ ବା ଅଁଳା ନବମୀ ଅନ୍ୟତମ। ଅକ୍ଷୟ ନବମୀ ଦିନ ସକାଳୁ ଅଁଳା ବୃକ୍ଷ ଆଗରେ ଭଗବାନ ବିଷ୍ଣୁଙ୍କ ପୂଜା କରାଯିବାର ବିଧି ରହିଛି। ଏହାପରେ ସେହିଠାରେ ଦାନ ଆଦି କରିବା ପରେ ପ୍ରସାଦ ରୂପରେ ବିଧିବଦ୍ଧ ଭୋଜନ ମଧ୍ୟ ଗ୍ରହଣ କରିବାର ପରମ୍ପରା ରହିଛି। ମାସର ଶେଷ ୫ ଦିନ ମଧ୍ୟ ବ୍ରତ ରଖାଯାଇଥାଏ। ଏହାକୁ କାର୍ତ୍ତିକ ପଞ୍ଚକ କୁହାଯାଏ। କାର୍ତ୍ତିକ ମାସର ମହତ୍ୱ ଅନ୍ୟମାସ ତୁଳନାରେ ଯେ ସ୍ରେଷ୍ଠ ତଥା ଅଧିକ ଏହା ନିଃସନ୍ଦେହରେ କୁହାଯାଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.