ପ୍ରେମ ପାଇଁ ଦିଲ୍ଲୀରୁ ସ୍ୱିଡେନ୍‌ ସାଇକେଲ ଯାତ୍ରା

ଜଣେ ଗରିବ ଯୁବକ ଜଣେ ଧନୀ ବିଦେଶୀ ଯୁବତୀଙ୍କୁ ଭେଟେ । ସେମାନେ ପ୍ରେମରେ ପଡ଼ନ୍ତି । ବିବାହ କରିବାକୁ ନିଷ୍ପତ୍ତି ନିଅନ୍ତି । ଝିଅଟି ନିଜ ଦେଶକୁ ଫେରିଯାଏ ।

ଅନୁଗୁଳ (କେନ୍ୟୁଜ୍‌ ): ଜଣେ ଓଡ଼ିଆ ଯୁବକ ଉପରେ ହଲିଉଡ୍‌ ଫିଲ୍ମ । ବିଶ୍ୱାସ ହେଉନଥିବ । ହେଲେ ସେ ଯୁବକର କାହାଣୀ ଏମିତି ଯେ ହଲିଉଡ୍‌ ପ୍ରଯୋଜକ ଓ ନିର୍ଦ୍ଦେଶକ ବି ଅଭିଭୂତ ହାଇଗଲେ । ଆଉ ତାଙ୍କରି କାହାଣୀକୁ ନେଇ ଆରମ୍ଭ କରି ଦେଇଛନ୍ତି ସିନେମା । ଜଣେ ଗରିବ ଯୁବକ ଜଣେ ଧନୀ ବିଦେଶୀ ଯୁବତୀଙ୍କୁ ଭେଟେ । ସେମାନେ ପ୍ରେମରେ ପଡ଼ନ୍ତି । ବିବାହ କରିବାକୁ ନିଷ୍ପତ୍ତି ନିଅନ୍ତି । ଝିଅଟି ନିଜ ଦେଶକୁ ଫେରିଯାଏ । ପୁଅ ଜଣକ ସେଠାକୁ ଯିବା ପାଇଁ ଆପ୍ରାଣ ଉଦ୍ୟମ କରି ବିଫଳ ହୁଏ । ଶେଷରେ ସାଇକେଲକୁ ସାହାରା କରି ୮ଟି ଦେଶ ଡେଇଁ ସେ ପହେଞ୍ଚ ନିଜ ପ୍ରେମିକା ପାଖରେ । ଯୁବକଟି ଓଡ଼ିଶା ମଫସଲ ଗାଁର ଦଳିତ ପରିବାରର ସନ୍ତାନ । ଆଉ ଝିଅଟି ସୁଦୂର ୟୁରୋପର ସ୍ୱିଡେନ୍‌ ରାଜ ପରିବାରର କନ୍ୟା । ଠିକ୍‌ ବହିର କାହାଣୀ ପରି । ତେବେ ଏ ବିଭେଦ ସେମାନଙ୍କ ପ୍ରେମରେ ବାଧା ଦେଇ ନଥିଲା । ୭୦ ଦଶକର ପ୍ରଥମାର୍ଦ୍ଧରେ ସେମାନେ ପରସ୍ପର ପ୍ରେମରେ ପଡ଼ିଲେ ଓ ବିବାହ ବି କଲେ । ପ୍ରେମିକାରୁ ପତ୍ନୀ ପାଲଟିଥିବା ସ୍ୱିଡେନ ରାଜକୁମାରୀଙ୍କୁ ଭେଟିବାକୁ ପ୍ରେମିକ ପ୍ରଦ୍ୟୁମ୍ନଙ୍କ ପାଖରେ ଅର୍ଥ ନଥିଲା । ତେଣୁ ଦିଲ୍ଲୀରୁ ସାଇକେଲ ଯାତ୍ରା କରି ପହଞ୍ଚିଥିଲେ ସ୍ୱିଡେନରେ । ଦୀର୍ଘ ୫ ମାସ କାଳ ଅବିଶ୍ୱସନୀୟ ସାଇକେଲ ଯାତ୍ରା । … ଏଭଳି ଏକ ସଫଳ ପ୍ରେମ କାହାଣୀ ଓଡ଼ିଆ ଚିତ୍ରଶିଳ୍ପୀ ପ୍ରଦ୍ୟୁମ୍ନ କୁମାର ମହାନନ୍ଦିଆ ଏବଂ ସ୍ୱିଡେନ୍‌ ରାଜକୁମାରୀ ଚାର୍ଲଟଙ୍କର । ସେହି ପ୍ରେମ କାହାଣୀ ଖୁବ ଶୀଘ୍ର ହଲିଉଡ ଫିଲ୍ମରେ ସ୍ଥାନ ପାଇବ । ଆଉ ପରଦାକୁ ଆସିବ ।

ସ୍ୱିଡେନ ଯିବା ଲାଗି ଅର୍ଥ ଯୋଗାଡ଼ରେ ବିଫଳ ହେବା ପରେ ୬୦ ଟଙ୍କାରେ ଏକ ପୁରୁଣା ସାଇକଲ ଯୋଗାଡ଼ କରନ୍ତି ଯୁବକ ପ୍ରଦ୍ୟୁମ୍ନ । ୧୯୭୭ ମସିହା ଜାନୁଆରି ୨୨ ତାରିଖରେ ଦିଲ୍ଲୀରୁ ଆରମ୍ଭ ହୁଏ ତାଙ୍କର ସାଇକେଲ ଯାତ୍ରା । ସେତେବେଳେ ଯୋଗାଯୋଗ ବି ଏତେଟା ସହଜ ନଥିଲା । ତଥାପି ମନୋବଳ ଭାଙ୍ଗି ନଥିଲା ତାଙ୍କର । ପାକିସ୍ତାନ, ଆଫଗାନିସ୍ତାନ, ତୁର୍କୀ ଦେଇ ସେ ୟୁରୋପରେ ପହଞ୍ଚିଥିଲେ । ଦୀର୍ଘ ୪ ମାସ ୩ ସପ୍ତାହ ଯାତ୍ରା କରି ସେ ସ୍ୱିଡେନର ଗୋଥେନବର୍ଗରେ ପହଞ୍ଚିଥିଲେ । ପ୍ରଦ୍ୟୁମ୍ନ ଚାର୍ଲଟଙ୍କୁ ଧରି ଓଡିଶା ଆସିଥିଲେ । ସେତେବେଳେ ଢେଙ୍କାନାଳ ଭୁବନରେ ତାଙ୍କ ବାପା ପୋଷ୍ଟ ମାଷ୍ଟର ଥିଲେ । ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ଵିତ କରି ଭୁବନ ରେ ପହଂଚିବା ପରେ ବାପା  ଶ୍ରୀଧର ମହାନନ୍ଦିଆଙ୍କ ଅନୁମତି କ୍ରମେ ହିନ୍ଦୁ ରୀତି ନୀତି ଅନୁସାରେ ବିବାହ ହୋଇଥିଲା ।  ଓଡିଶା ରେ କିଛି ଦିନ କଟାଇବା ପରେ ପ୍ରଦ୍ୟୁମ୍ନ ଏବଂ ଚାର୍ଲଟ ଦିଲ୍ଲୀ ଫେରି  ଯାଇଥିଲେ । ସେଠାରୁ ଚାର୍ଲଟ ସ୍ୱିଡ଼େନ ଫେରି ଯାଇଥିଲେ । ଚିତ୍ରକଳାରେ ଡିଗ୍ରୀ ପାଇବା ପରେ ପ୍ରଦ୍ୟୁମ୍ନ ଠିକ କଲେ ପତ୍ନୀଙ୍କ ସହାୟତାରେ ନୁହେଁ ଜଣେ ଭାରତୀୟ ସ୍ୱାଭିମାନୀ ସ୍ୱାମୀ ଭାବରେ ନିଜ ଖର୍ଚ୍ଚରେ ସ୍ୱିଡେନ ଯିବେ । ୧୯୭୭ ମସିହା ମାର୍ଚ୍ଚ ମାସରେ ଜଣେ ଟୁରିଷ୍ଟ ଭାବରେ ମାତ୍ର ୮୦ ଡଲାର ଓ ସାଙ୍ଗରେ କିଛି ରଙ୍ଗ ତୁଳୀ ଧରି ବାହାରି ଯାଇଥିଲେ ।

୨୮ ମେ ୧୯୭୭ ମସିହାରେ ସ୍ୱିଡ଼େନରେ ପହଂଚି ଥିଲେ ।  ଯାତ୍ରା ପଥରେ ସାଇକେଲ ଖରାପ ହୋଇଛି, ଭାଙ୍ଗିଛି । ବେଳେ ବେଳେ ବିଭିନ୍ନ ଗାଡି ଓ ଟ୍ରକରେ ଲିଫ୍ଟ ମାଗି ଯାତ୍ରା କରିଥିଲେ । ବିଭିନ୍ନ ସ୍ଥାନରେ ପେଣ୍ଟିଙ୍ଗ ଓ ଚିତ୍ର କରି ନିଜ ପାଇଁ ଖାଦ୍ୟ ଯୋଗାଡ଼ କରୁଥିଲେ । ଆଉ ତା ସହିତ ଆଗେଇ ଚାଲିଥିଲେ ସ୍ୱିଡେନ୍‌ ଅଭିମୁଖେ । ମୋଟ ୪ ହଜାର ମାଇଲର ସାଇକେଲ ଯାତ୍ରା ଥିଲା । ଅର୍ଥାତ୍‌ ୬ ହଜାର ୫୦୦ କିଲୋମିଟର । ଜଣେ ଭାରତୀୟ ସାଇକେଲ ଆରୋହୀଙ୍କୁ ଦେଖି ସ୍ୱିଡେନ ଇମିଗ୍ରେସନ୍ ଅଧିକାରୀମାନେ ଯେତିକି ଆଶ୍ଚର୍ଯ୍ୟ ହୋଇଥିଲେ, ସେତିକି ସନ୍ଦେହ ପ୍ରକଟ କରିଥିଲେ । ସେମାନେ ତାଙ୍କୁ ଦେଶ ଭିତରକୁ ଯିବାକୁ ଦେଇନଥିଲେ । ଏପରିକି ତାଙ୍କ ପ୍ରେମ କାହାଣୀକୁ ବି ବିଶ୍ୱାସ କରିନଥିଲେ । ରାଜକୁମାରୀ  ଚାର୍ଲଟ ଏ ଖବର ପାଇବା ପରେ ନିଜେ ଘରୁ ୭୦ କିଲୋମିଟର ଗାଡ଼ି ଚଳାଇ ଯାଇ ଗୋଥେନବର୍ଗରେ ପହଞ୍ଚିଥିଲେ ଓ ପ୍ରଦ୍ୟୁମ୍ନଙ୍କୁ ପାଛୋଟି ନେଇଥିଲେ ।

ଅନୁଗୁଳ ଜିଲ୍ଲା କନ୍ଧପଡ଼ା ଗାଁରେ ଜନ୍ମ ପ୍ରଦ୍ୟୁମ୍ନ କୁମାର ମହାନନ୍ଦିଆଙ୍କର । ସ୍କୁଲରେ ପାଠ ପଢ଼ିବା ବେଳେ ଭେଦଭାବର ଶିକାର ହୋଇଥିଲେ। ତଥାପି ପାଠପଢ଼ା ଛାଡ଼ିନଥିଲେ । ପାଠ ସହିତ ତାଙ୍କର ଚିତ୍ରକଳା ପ୍ରତି ଦୁର୍ବଳତା ଥିଲା। ଏହି ଆଗ୍ରହରୁ ସେ ୧୯୭୧ ମସିହାରେ ଦିଲ୍ଲୀରେ ଏକ ଆର୍ଟ କଲେଜରେ ନାମ ଲେଖାଇ ଥିଲେ। ବାହାରେ ଚିତ୍ର ବି କରୁଥିଲେ । ସେହି ସମୟରେ ସ୍ୱିଡେନର ରାଜକୁମାରୀ ଚାର୍ଲୋଟ ଭୋନ୍ ସଚେଡଭିନ ଦିଲ୍ଲୀ ଆସିଥିଲେ ।  ମହାନନ୍ଦିଆଙ୍କ ଚିତ୍ରକଳା ଉପରେ ତାଙ୍କର ନଜର ପଡ଼ିଥିଲା ଆଉ ତାଙ୍କ ଚିତ୍ର କେବଳ ନୁହେଁ ବ୍ୟବହାର ଆଦି ମନ ଜିଣି ନେଇଥିଲା ରାଜକୁମାରୀଙ୍କର । ଶେଷରେ ଉଭୟ ପ୍ରେମ ବିବାହ କରିଥିଲେ। ଠିକ୍‌ ପରୀ କାହାଣୀ ଭଳି ଥିଲା ଉଭୟଙ୍କ ପ୍ରେମ କାହାଣୀ ଓ ବିବାହ ।

ବିବାହ ପରେ ଚାର୍ଲୋଟ ସ୍ୱିଡେନ୍ ଫେରି ଯାଇଥିଲେ। ପରେ ୧୯୭୭ ମସିହାରେ ପ୍ରଦ୍ୟୁମ୍ନ ଓରଫ ପି.କେ. ମହାନନ୍ଦିଆ ନିଜର ସବୁ ଜିନିଷ ବିକ୍ରି କରି ଏକ ପୁରୁଣା ସାଇକେଲ କିଣି ସେଥିରେ ସ୍ୱିଡେନ୍‌ ଯାଇଥିଲେ। ସେବେ ଠାରୁ ସେ ସ୍ୱିଡେନର ନାଗରିକତ୍ୱ ଗ୍ରହଣ କରି ସେହିଠାରେ ବସବାସ କରୁଛନ୍ତି। ନିକଟରେ ପିକେ ମହାନନ୍ଦିଆଙ୍କ ଜୀବନୀ ଉପରେ ଆରମ୍ଭ ହୋଇଛି ହଲିଉଡ୍‌ ଚଳଚ୍ଚିତ୍ର ନିର୍ମାଣ । ସେହି ଫିଲ୍ମ ସୁଟିଂ ପାଇଁ ନିର୍ମାତା ଓ ନିର୍ଦ୍ଦେଶକଙ୍କ ସହ ପୂରା ଟିମ୍‌ ଅନୁଗୁଳ ଜରପଡ଼ାର ପୁଟଗାଡିଆ ଠାରେ ପହଞ୍ଚିଥିଲେ । ପୁଟଗାଡିଆର ଗାଁ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଆଉ ଖୁସି ବ୍ୟକ୍ତ କରିଥିଲେ । ଏହି ଅବସରରେ ମହାନନ୍ଦିଆ ପୁଟଗାଡ଼ିଆ ସେବାଶ୍ରମ ସ୍କୁଲରେ ଛାତ୍ର ଛାତ୍ରୀଙ୍କ ସହ ବେଶ୍‌ କିଛି ସମୟ ବିତାଇଥିଲେ । ନିଜ ପିଲାବେଳର କଥା ମନେ ପକାଇଥିଲେ ।

ପି.କେ ମହାନନ୍ଦିଆଙ୍କ ବିବାହ ପଛର ସଂଘର୍ଷପୂର୍ଣ୍ଣ କାହାଣୀକୁ ନେଇ ସ୍ୱିଡେନର ଜଣେ ସାମ୍ବାଦିକ ପେର ଜେ. ଆଣ୍ଡରସନ ଲେଖିଛନ୍ତି ଏକ ପୁସ୍ତକ ‘THE AMAZING STORY OF THE MAN WHO CYCLED FROM INDIA TO EUROPE FOR LOVE’ । ବିଭିନ୍ନ ଆନ୍ତର୍ଜାତିକ ଭାଷାରେ ଅନୁବାଦିତ ହେବା ପରେ ସମଗ୍ର ସ୍ୱିଡ଼େନ, ସ୍କାଣ୍ଡିନେଭିଆ ଦେଶ ସମୂହ କାହିଁକି ସାରା ବିଶ୍ୱରେ ପ୍ରଦ୍ୟୁମ୍ନ ଏବଂ ଚାର୍ଲଟଙ୍କ ପ୍ରେମ କାହାଣୀ ଆହୁରି ଚର୍ଚ୍ଚିତ ହୋଇଥିଲା । ସେହି କାହାଣୀକୁ ନେଇ ହଲିଉଡର ଓସ୍କାର ପୁରସ୍କାର ପ୍ରାପ୍ତ ସୁପ୍ରସିଦ୍ଧ ନିର୍ଦ୍ଦେଶକ ଓରଲାଣ୍ଡ ଭନ୍‌ ଇନସିଏଡେଲ (Orlando Von Einsiedel ) ଏହି ବାୟୋପିକ୍‌ ନିର୍ମାଣ କରୁଛନ୍ତି । ଚଳଚ୍ଚିତ୍ରର ସୁଟିଂ ଅନୁଗଳର ଆଠମଲ୍ଲିକ ସହିତ ଓଡିଶାର ବିଭିନ୍ନ ସ୍ଥାନରେ କରାଯାଇଛି । ଏହି ଅବସରରେ ଉଭୟ ପ୍ରଦ୍ୟୁମ୍ନ ଏବଂ ଚାର୍ଲଟ ନିଜ ଗାଁକୁ ଆସି ବଡଭାଇଙ୍କ ଘରେ ରହିଥିଲେ ।

ମାଟି କାନ୍ଥରେ ମା’ ଙ୍କର ଝୋଟି ଓ ଚଉରା ମୂଳରେ ମୁରୁଜରେ ଅଙ୍କା ଯାଉଥିବା ଛବି ହିଁ ଥିଲା ତାଙ୍କ ଚିତ୍ରକର ଜୀବନର ପ୍ରେରଣା ଆଉ ମୂଳଦୁଅ । ପିଲା ବେଳେ ଜଣେ ଜ୍ୟୋତିଷ ତାଙ୍କ ବାପାଙ୍କ ନିକଟରେ ଭବିଷ୍ୟବାଣୀ କରିଥିଲେ ଯେ ପ୍ରଦ୍ୟୁମ୍ନ ଦୂର ଦେଶରେ ଜଣେ ବୃଷ ରାଶିର କନ୍ୟାଙ୍କୁ ବିବାହ କରିବେ । ତାହା ସତ ହେଲା ।

ବିବାହ ପରେ ପ୍ରଦ୍ୟୁମ୍ନ ତାଙ୍କୁ ଚାରୁଲତା ବୋଲି ଡାକନ୍ତି । ଚାର୍ଲଟ ଜଣେ ସଂଗୀତ ନିର୍ଦ୍ଦେଶିକା ଭାବରେ ଖ୍ୟାତା ଜଣେ ପିଆନୋ ଶିଳ୍ପୀ ମଧ୍ୟ | ଗୋଟିଏ  କନ୍ୟା ଏବଂ ଗୋଟିଏ ପୁତ୍ର ସନ୍ତାନର ଜନକ ହୋଇଛନ୍ତି ପ୍ରଦ୍ୟୁମ୍ନ । କନ୍ୟା ଏମିଲି ଜଣେ ସୁଦକ୍ଷା ବଂଶୀ ବାଦିକା ଏବଂ ସେ ଅକ୍ସଫୋର୍ଡ଼ ବିଶ୍ୱ ବିଦ୍ୟାଳୟରୁ ଶିକ୍ଷା ଲାଭ କରିଛନ୍ତି । ପୁଅ ସିଦ୍ଧାର୍ଥ ଜଣେ ଆନ୍ତର୍ଜାତିକ ଡିଜେ କଳାକାର ।

୧୯୮୦ ମସିହାରେ ମହାନନ୍ଦିଆ ସ୍ୱିଡ଼େନର ପ୍ରଶାସନିକ ସେବା ପାଇଁ ଯୋଗ୍ୟ ବିବେଚିତ ହୋଇ ପ୍ରଶାସନିକ ପଦବିରେ ଅଧିଷ୍ଠିତ ହୁଅନ୍ତି । ଏହି ପଦବି ଭାରତର ଆଇଏଏସ ପଦବିର ସମକକ୍ଷ ।

ପ୍ରଦ୍ୟୁମ୍ନଙ୍କୁ ଆନ୍ତର୍ଜାତିକ ସ୍ତରରେ ସୁନାମ ଆଣି ଦେଇଥିବା ଚିତ୍ରକଳା ସବୁ ହେଉଛି The Globe, The Earth, World is one Family, Peace on Earth, Mother of Child ଆଦି । ସେହିପରି ଅନେକ ଦେଶରେ ସେ ନିଜର କଳାକୃତି ପାଇଁ ସମ୍ମାନିତ ହୋଇଛନ୍ତି । ସବୁଠାରୁ ଉଲ୍ଲେଖଯୋଗ୍ୟ ବିଷୟ ଯେ ୨୦୧୫ ମସିହାରେ ଡ. ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ପ୍ରତିଷ୍ଠିତ କିଟ୍‌ ଓ କିସ୍‌  ପକ୍ଷରୁ ତାଙ୍କୁ ସମ୍ମାନ ସୂଚକ ଡକ୍ଟରେଟ ଉପାଧି ଦିଆଯାଇଥିଲା । ଆହୁରି ମଧ୍ୟ ଗତ ବର୍ଷ ତାଙ୍କୁ ଅଲିମ୍ପିକ୍‌ ଆନ୍ଦୋଳନରେ ସାମିଲ କରିଥିଲେ ନୀତା ଅମ୍ବାନୀ । ୧୪୧ତମ ଆନ୍ତର୍ଜାତିକ ଅଲିମ୍ପିକ୍‌ କମିଟିର ଅଧିବେଶନ ମୁମ୍ବାଇଠାରେ ଆୟୋଜିତ ହୋଇଥିଲା । ଏହି ଅଧିବେଶନ ଦାୟିତ୍ୱରେ ଥିବା ନୀତା ଅମ୍ବାନୀ ଉଭୟ ପି.କେ. ମହାନନ୍ଦିଆ ଏବଂ ପତ୍ନୀ ଚାର୍ଲୋଟଙ୍କୁ ନିମନ୍ତ୍ରଣ କରିଥିଲେ । ଆଉ ସେମାନେ ସେଥିରେ ଯୋଗ ଦେଇଥିଲେ ।… ତେବେ ଜଣେ ଓଡ଼ିଆଙ୍କ ଜୀବନୀ ଉପରେ ଏବେ ନିର୍ମାଣ ହେଉଥିବା ହଲିଉଡ୍‌ ଫିଲ୍ମ ଖୁବ୍‌ ଚର୍ଚ୍ଚା ସାଉଣ୍ଟୁଛି ଅନ୍ତର୍ଜାତୀୟ ସ୍ତରରେ ।

ଅନୁଗୁଳରୁ ଆଶିଷ କୁମାର ସିଂହଙ୍କ ସହ ମାନସ ମିଶ୍ରଙ୍କ ରିପୋର୍ଟ, କଳିଙ୍ଗ ଟିଭି/କେନ୍ୟୁଜ୍‌ ଓଡ଼ିଶା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.