ରାଞ୍ଚିର ଚତ୍ମକାର କୂଅ, ପାଣି ସହ ବାହାରୁଛି ସୁନା

ଝାଡଖଣ୍ଡର ରାଜଧାନୀ ରାଞ୍ଚି ସହରରେ ଅବସ୍ଥିତ ଏହି କୂଅରେ ସୁନା ବାହାରିଥାଏ, କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ ସେହି ସୁନାକୁ କେହି ନେଇ ପାରନ୍ତି ନାହିଁ ।

ଦେଶରେ ଏପରି ଅନେକ ଅଦ୍ଭୁତ ସ୍ଥାନ ରହିଛି, ଯାହାକୁ ଲୋକମାନେ ଚମତ୍କାର ସ୍ଥାନ ରୂପରେ ଦେଖନ୍ତି । ଅନେକ ଲୋକ ଏପରି ଚମତ୍କାର ସ୍ଥାନଗୁଡିକର ରହସ୍ୟ ଜାଣିବାକୁ ଚେଷ୍ଟା କରିଛନ୍ତି, କିନ୍ତୁ କେହି କୌଣସି ସୂଚନା ପାଇବାରେ ସକ୍ଷମ ହୋଇ ନାହାଁନ୍ତି । ଏହିପରି ଏକ ଚମତ୍କାର ସ୍ଥାନ ଝାଡଖଣ୍ଡର ରାଞ୍ଚିରେ ଉପସ୍ଥିତ, ଯେଉଁଠାରେ ଏକ ଚମତ୍କାର କୂଅର କାହାଣୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କୁହାଯାଏ ଯେ ପାଣି ସହିତ ଏହି କୂଅରେ ସୁନା ବାହାରିଥାଏ, କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ ସେହି ସୁନାକୁ କେହି ନେଇ ପାରନ୍ତି ନାହିଁ । ଝାଡଖଣ୍ଡର ରାଜଧାନୀ ରାଞ୍ଚି ସହରରେ ଅବସ୍ଥିତ ଏହି କୂଅ ନିକଟରେ ଥିବା ଶିବ ମନ୍ଦିରର ପୁରୋହିତ ଦେବେନ୍ଦ୍ର ଏକ ଇଣ୍ଟରଭ୍ୟୁରେ କହିଛନ୍ତି ଯେ ଏହି ଚମତ୍କାର କୂଅଟି ବହୁ ପୁରାତନ ।

ଏହି କୂଅରୁ ଜଳ ବାହାର କରିବା ସମୟରେ ସୁନା କଣିକା ମଧ୍ୟ ବାହାରିଥାଏ, କିନ୍ତୁ ଜଳ ବାହାର କରୁଥିବା କେହି ବ୍ୟକ୍ତି ସୁନା କଣିକା ନେବାରେ ସକ୍ଷମ ହୁଅନ୍ତିନି । ସେ କହିଛନ୍ତି ଯେ ଝାଡଖଣ୍ଡର ଲମ୍ବା ନଦୀ ସ୍ବର୍ଣ୍ଣରେଖା ଏହି କୂଅ ନିକଟରୁ ଉତ୍ପନ୍ନ ହୋଇଛି । ସୁନା ବାହାରୁ ଥିବା କାରଣରୁ ଝାଡଖଣ୍ଡର ଦୀର୍ଘତମ ନଦୀର ନାମ ସ୍ବର୍ଣ୍ଣରେଖା ରଖାଯାଇଥିଲା । ଶିବ ମନ୍ଦିରର ପୁରୋହିତ ଦେବେନ୍ଦ୍ର କହିଛନ୍ତି ଯେ ଏହି ଚମତ୍କାର କୂଅ ସହ ଜଡିତ ଅନେକ ଧାର୍ମିକ ବିଶ୍ୱାସ ରହିଛି । ଯେଉଁ କାରଣରୁ ସ୍ଥାନୀୟ ଲୋକଙ୍କ ସହ ବାହାର ଲୋକ ମଧ୍ୟ ଏଠାକୁ ପୂଜା କରିବାକୁ ଆସନ୍ତି । ଲୋକମାନେ ବିଶ୍ଵାସ କରନ୍ତି ଯେ ଏହି ଚମତ୍କାର ସୁନା ବାହାରୁଥିବା କୂଅ ଦେବୀଙ୍କ ଆଶୀର୍ବାଦ ପାଇଥାଏ ।

ଏହି ଚମତ୍କାର କୂଅର ଜଳ ସମଗ୍ର ସହରରେ ହେଉଥିବା ଧାର୍ମିକ କାର୍ଯ୍ୟରେ ବ୍ୟବହାର କରାଯାଏ । ମାନ୍ୟତା ରହିଛି ଯେ ଲୋକମାନେ ଧାର୍ମିକ ବିଶ୍ୱାସ ଆଧାରରେ ଏହି ଚମତ୍କାର କୂଅର ଜଳକୁ ପୂଜା କରନ୍ତି ଏବଂ ସେଥିପାଇଁ କୌଣସି ବ୍ୟକ୍ତି ଏହି ସୁନା ରଖନ୍ତି ନାହିଁ । ଆଉ ଯଦି ବି କେହି ଏପରି କରନ୍ତି, ସେ ନିଶ୍ଚୟ କୌଣସି ସମସ୍ୟା କିମ୍ବା ଦୁର୍ଘଟଣାର ସମ୍ମୁଖୀନ ହୋଇଥାନ୍ତି । ଅତୀତରେ ଏପରି ଥରେ କି ଦୁଇ ଥର ନୁହେଁ ଅନେକ ଥର ଘଟିଛି ।

ଯଦି ଏହି ଚମତ୍କାର କୂଅରୁ ପାଣି ନେବାବେଳେ କିଛି ସୁନା କଣିକା କାହା ହାତରେ ଆସିଥାଏ, ସେମାନେ ଏହାକୁ ସାଙ୍ଗରେ ନେବା ପରିବର୍ତ୍ତେ ପୁନଶ୍ଚ କୂଅରେ ପକେଇଦିଅନ୍ତି। କୁହାଯାଏ କି ସମଗ୍ର ସହରରେ ଏହି ଅଞ୍ଚଳରେ ସର୍ବାଧିକ ଧାନ ଚାଷ କରାଯାଏ ଏବଂ ଚାଷ ସମୟରେ ଏହି ଚମତ୍କାର କୂଅରୁ ଜଳ କ୍ଷେତରେ ବ୍ୟବହାର କରାଯାଏ । ଭୀଷଣ ଖରା ଦିନେ ମଧ୍ୟ ଏହି କୂଅର ପାଣି ଶୁଖିନଥାଏ ।

କେବଳ ଏତିକି ନୁହେଁ, ଏହି ଚମତ୍କାର କୂଅରେ ସବୁବେଳେ ଏକ ନିର୍ଦ୍ଦିଷ୍ଟ ସୀମା ଯାଏଁ ପାଣି ରହିଥାଏ । କୂଅରେ ଥିବା ପାଣି ଏହି ନିର୍ଦ୍ଧିଷ୍ଟ ସୀମାଠାରୁ କମ୍ କିମ୍ବା ଅଧିକ ହୁଏନାହିଁ । ଅନେକ ଥର କିଛି ଲୋକ ଏହି କୂଅର ଜଳ ମାପିବାକୁ ଚେଷ୍ଟା କରିଛନ୍ତି, କିନ୍ତୁ ଆଜି ପର୍ଯ୍ୟନ୍ତ କେହି ଏହି କୂଅର ଗଭୀରତା ମାପିବାରେ ସକ୍ଷମ ହୋଇ ନାହାଁନ୍ତି । ଏହା ସହିତ, ଏହି କୂଅର ଇତିହାସ ହେଉଛି ଯେ ଆଜି ପର୍ଯ୍ୟନ୍ତ ଏହି କୂଅରେ ବୁଡ଼ି କେହି ମରି ନାହାଁନ୍ତି । ଯଦି କେହି ଅଜାଣତରେ ଏହି କୂଅରେ ପଡିଯାଆନ୍ତି, ତେବେ ସେ ଅତି ସହଜରେ ବାହାରକୁ ଆସିପାରନ୍ତି । ଏହା ହେଉଛି ଏକ କାରଣ ଯେଉଁଥିରେ ଲୋକମାନେ ଏହାକୁ ଏକ ଚମତ୍କାର କୂଅ ଭାବରେ ବିଶ୍ୱାସ କରନ୍ତି ଏବଂ ଏହାକୁ ପୂଜା ମଧ୍ୟ କରନ୍ତି ।