ସରୁନି ଯନ୍ତ୍ରଣା, ଭରୁନି କ୍ଷତ : ମୃତ୍ୟୁର ପଥ ପାଲଟିଛି ୫୫ ନମ୍ବର ଜାତୀୟ ରାଜପଥ

ଅନୁଗୁଳର ଲାଇଫ ଲାଇନ ଭାବେ ପରିଚିତ ଏହି ରାଜପଥ ଏବେ ଡେଥ ଲାଇନରେ ପରିଣତ ହୋଇଛି।

ଅନୁଗୁଳ (କେନ୍ୟୁଜ୍‌) : ୫୫ ନମ୍ବର ଜାତୀୟ ରାଜପଥ । ଯାହା ଏବେ ମୃତ୍ୟୁର ପଥ ପାଲଟିଛି । ଅନୁଗୁଳର ଲାଇଫଲାଇନ ଭାବେ ପରିଚିତ ଏହି ରାଜପଥ ଏବେ ଡେଥ ଲାଇନରେ ପରିଣତ ହୋଇଛି। ଜାତୀୟ ରାଜପଥର ସମ୍ପ୍ରସାରଣରେ ଅହେତୁକ ବିଳମ୍ବ ଯୋଗୁଁ ଲୋକଙ୍କ ଜୀବନହାନୀର ପ୍ରମୁଖ କାରଣ। କୋଉଠି ରହିଛି ସମସ୍ୟା? କଣ ଏନଏଚଆଇ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ତାଳମେଳ ରହୁନି କି? ନା ଆଉ କିଛି? ଜାଣିବା ଏହି ରିପୋର୍ଟରେ ।

ଓଡ଼ିଶାର ଦୁଃଖ ପାଲଟିଛି କଟକରୁ ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥ। କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା, ସହରୀକରଣ, ଗାଡ଼ିମୋଟର ଚଳାଚଳ ବୃଦ୍ଧି ଓ ଶିଳ୍ପାୟନକୁ ଦୃଷ୍ଟିରେ ରଖି ୨୦୦୫ରେ ଏହି ରାସ୍ତାକୁ ୪ ଥାକିଆ କରିବାକୁ ନିଷ୍ପତ୍ତି ନେଇଥିଲେ କେନ୍ଦ୍ର ସରକାର । ମାତ୍ର କାମ ଆରମ୍ଭ ହେଉହେଉ ଆହୁରି ୧୨ ବର୍ଷ ବିତିଗଲା। ୨୦୧୭ରୁ ଜାତୀୟ ରାଜପଥ ପ୍ରାଧିକରଣ କଟକ-ଅନୁଗୁଳ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥକୁ ୪ ଲେନ୍ ବିଶିଷ୍ଟ କରିବା ପାଇଁ ସମ୍ପ୍ରସାରଣ କାର୍ଯ୍ୟ କରୁଛି। ଏହାମଧ୍ୟରେ ୫ ବର୍ଷ ବିତି ଯାଇଛି। ମାତ୍ର ରାସ୍ତା କାମ ସରୁନି। ରାସ୍ତା ପାଇଁ ପୂଜାର୍ଚ୍ଚନା ହେଉଛି। । ଯାତ୍ରୀଙ୍କ ସୁରକ୍ଷା ଓ ଜାତୀୟ ରାଜପଥ କାମରେ ଅବହେଳା କରିଥିବା ନେତା, ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀଙ୍କ ସଦବୁଦ୍ଧି କାମନା କରୁଛନ୍ତି ଲୋକେ। ଏଥିପାଇଁ ହୋମ ଯଜ୍ଞ ମଧ୍ୟ ହେଉଛି। । ରାଜପଥ ସମସ୍ୟାକୁ ନେଇ ୧୫ରୁ ଅଧିକ ଦିନରେ ପହଞ୍ଚିଛି ଅନୁଗୁଳ ସଚେତନ ନାଗରିକ ମଞ୍ଚର ଆନ୍ଦୋଳନ । ଅନୁଗୁଳ ଛାତି ଉପରେ ୫୫ନମ୍ବର ଜାତୀୟ ରାଜପଥ ଯାଇଛି। କଣିହାଁ , ତାଳଚେର ଦେଇ ୫୩ ନମ୍ବର ଜାତୀୟ ରାଜପଥ ଯାଇଛି। ଏପଟେ ବଅଁରପାଳରୁ ପାଳଲହଡ଼ାକୁ ଯୋଡୁଛି ୧୪୯ ନମ୍ବର ଜାତୀୟ ରାଜପଥ । ମାତ୍ର ମରାମତି ଅଭାବରୁ ଏହିସବୁ ରାଜପଥ ମରଣଯନ୍ତା ପାଲଟିଛି।

ଅନୁଗୁଳରେ ସଡ଼କ ଦୁର୍ଘଟଣା ଏକ ନିତି ଦିନିଆ ଘଟଣା। ୨୦୨୩ରେ ଅନୁଗୁଳରେ ୪୦୧ଟି ବଡ଼ ଦୁର୍ଘଟଣା ଘଟିଛି । ବର୍ଷରେ ଏମିତି କେଉଁ ମାସ ନାହିଁ, ଯେଉଁ ମାସରେ ୨୫ରୁ କମ୍ ଦୁର୍ଘଟଣା ନ ହୋଇଛି। ୨୦୨୩ ମାର୍ଚ୍ଚରେ ସର୍ବାଧିକ ୪୧ଟି ଦୁର୍ଘଟଣା ହୋଇଛି। ଜୁଲାଇରେ ୩୮, ଡିସେମ୍ବରରେ ୩୬, ନଭେମ୍ବରରେ ୩୫ଟି ସଡ଼କ ଦୁର୍ଘଟଣା ହୋଇଛି। ଏପ୍ରିଲରେ ୨୫ଟି ଦୁର୍ଘଟଣା ଘଟିଛି। ହିସାବ କହୁଛିଯେ, ଅନୁଗୁଳ ଜିଲ୍ଲାରେ ପ୍ରତି ଦୁଇଦିନରେ ସଡ଼କ ଦୁର୍ଘଟଣାରେ ଜଣେ ଲୋକ ପ୍ରାଣ ହରାଉଛନ୍ତି । ଏହିସବୁ ଦୁର୍ଘଟଣାରେ ୧୮୬ ଲୋକଙ୍କ ମୃତ୍ୟୁ ହୋଇଛି। ୧୫୩ ଜଣ ଗୁରୁତର ହୋଇଛି ଅକର୍ମଣ୍ୟ ହୋଇଛନ୍ତି। ୯୦ ଜଣ ଆହତ ହୋଇଛନ୍ତି। ପ୍ରତି ମାସରେ ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ମାର୍ଚ୍ଚରେ ସର୍ବାଧିକ ୨୪ ଜଣଙ୍କର ମୃତ୍ୟୁ ହୋଇଛି। ଜୁଲାଇ ଓ ଡିସେମ୍ବରରେ ୨୦ ଜଣ ଲେଖାଏଁ ମରଣ ମୁହଁରେ ପଡ଼ିଥିଲେ । ଜାନୁଆରୀ ଓ ସେପ୍ଟେମ୍ବରରେ ୧୧ ଜଣ ପ୍ରାଣ ହରାଇଛନ୍ତି। ପ୍ରତି ଦୁଇଦିନରେ ରାସ୍ତାରେ ଜଣେ ମରୁଛନ୍ତି । ୨୦୨୩ରେ ଅନୁଗୁଳରେ ୪ଶହ ସଡ଼କ ଦୁର୍ଘଟଣା ଘଟିଛି । ତଥାପି ଜାତୀୟ ରାଜପଥରେ ଦୁର୍ଘଟଣାଜନିତ ମୃତ୍ୟୁରେ ରୋକ୍ ଲାଗିପାରୁନି। ୨୦୬ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ରାସ୍ତା ଉପରେ ଉଭୟ ଉପକୂଳ ଓ ପଶ୍ଚିମ ଓଡ଼ିଶାର ଲୋକେ ନିର୍ଭର କରନ୍ତି। ଦୈନିକ ହଜାର ହଜାର ଗାଡ଼ିରେ କୋଇଲା, ଆଲୁମିନା, ଲୁହାପଥର ପରିବହନ ହେଉଛି। ମାତ୍ର ଏହି ରାସ୍ତା କାମ ସାରିବାକୁ ଉଭୟ କେନ୍ଦ୍ର ସରକାର ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଯେମିତି ପୂରା ଚୁପ୍‌।

୫୫ ନମ୍ବର ଜାତୀୟ ରାଜପଥ ପ୍ରସଙ୍ଗ ନେଇ ବିରୋଧୀ ବିଜେପିକୁ ଘେରିଛି ବିଜେଡ଼ି । ଦୀର୍ଘ ବର୍ଷ ହେଲା ସରୁନି କାମ । ଅନେକ ଜୀବନ ଗଲାଣି । ଏହି ଜାତୀୟ ରାଜପଥ ଅବସ୍ଥା ଅତ୍ୟନ୍ତ ଶୋଚନୀୟ । ବିଜେଡି ଏନେଇ ବାରମ୍ବାର ସ୍ୱର ଉଠାଇଛି । କେନ୍ଦ୍ରମନ୍ତ୍ରୀଙ୍କୁ ୫୫ ନମ୍ବର ଜାତୀୟ ରାଜପଥର କଦର୍ଯ୍ୟ ଅବସ୍ଥାକୁ ନେଇ ଟାର୍ଗେଟ କରିଛନ୍ତି ଫାଇଭ-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଶ୍ରୀଯୁକ୍ତ ପାଣ୍ଡିଆନ କହିଛନ୍ତି ଯେ, ଦୀର୍ଘ ୧୦ ବର୍ଷ ହେଲା କଟକ-ସମ୍ବଲପୁର ଜାତୀୟ ରାଜପଥ କାମ ଶେଷ ହେଉନି ।

ସେପଟେ ବିଜେପି କହିଛି ରାଜପଥ ପାଇଁ ଜମି ଅଧିଗ୍ରହଣରେ ରାଜ୍ୟସରକାର ସହଯୋଗ କରୁନାହାନ୍ତି। ଖୁବଶୀଘ୍ର କାମ ସରିବ । ବାଇପାସ ନିର୍ମାଣ ସହ ବଅଁରପାଳରୁ ରନ୍ତଲେଈ ପର୍ଯ୍ୟନ୍ତ ଏନଏଚ ୫୫ର ରାସ୍ତାର ମରାମତି ପାଇଁ ୫୭ କୋଟି ଟଙ୍କା ବ୍ୟୟବରାଦ ସହ ୩ ମାସ ମଧ୍ୟରେ କାମ ସାରିବାକୁ ନିର୍ଦ୍ଦେଶ ଥିବା ଦଳ କହିଛି। .. ..

ଏନଏଚର ପ୍ରଶସ୍ତୀକରଣ କାମ ସାରିବାକୁ ଏହା ଭିତରେ ୪ ଥର ଡେଡ୍ ଲାଇନ ବଦଳିଛି ହେଲେ କାମ ସରୁନି। ଏଭଳି ସ୍ଥିତିରେ ପଶ୍ଚିମ ଓଡ଼ିଶା ସହିତ ପୂର୍ବ ଓଡ଼ିଶାକୁ ଯୋଡ଼ୁଥିବା ଏହି ରାଜପଥରେ ସରୁନି ଯନ୍ତ୍ରଣା। ୨୦୧୬ ରେ ସମ୍ବଲପୁର-ମଙ୍ଗୁଳି ୫୫ ନମ୍ବର ଜାତୀୟ ରାଜପଥ ପ୍ରସସ୍ତିକରଣ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ସମ୍ବଲପୁର-ଅନୁଗୁଳ ରାଜପଥ ଓ ଦ୍ବିତୀୟ ପର୍ଯ୍ୟାୟରେ ଅନୁଗୁଳ- କଟକ ରାସ୍ତା ନିର୍ମାଣ ନିମନ୍ତେ ଟେଣ୍ଡର ଡାକିଛି ଏନ୍ଏଚ୍ଏଆଇ। ଉଭୟ ଠିକା କାମ ଗାୟତ୍ରୀ ପ୍ରୋଜେକ୍ଟସକୁ ମିଳିଥିଲା । ସମ୍ବଲପୁର-ଅନୁଗୁଳ ୧୫୧ କିଲୋମିଟର ରାସ୍ତା ପାଇଁ ୧୨୫୫ କୋଟି ଟଙ୍କାରେ ଠିକା ନେଇଛି ଏହି ସଂସ୍ଥା। ମାତ୍ର କାର୍ଯ୍ୟାଦେଶର ୬ ବର୍ଷ ପରେ ବି କାମ ସଂପୂର୍ଣ୍ଣ ହୋଇପାରିନି। ନିର୍ମାଣ ଅବଧି ସରିବା ପରେ ୩ ଥର ସଂପ୍ରସାରଣ କରାଯାଇଛି। ମାତ୍ର କାମ ସରିପାରୁନି। ସ୍ଥିତି ଏମିତି ହୋଇଥିଲା ଯେ ପ୍ରାୟ ୯ ମାସ ରାସ୍ତା କାମ ବନ୍ଦ ରହିଥିଲା । ଜନ ଅସନ୍ତୋଷ ପରେ ଗତ ୨୫ ଏପ୍ରିଲ ୨୦୨୨ରେ ଗାୟତ୍ରୀ ପ୍ରୋଜେକ୍ଟସକୁ ୧୫ ଦିନ ମଧ୍ୟରେ କାମ ଆରମ୍ଭ କରିବାକୁ ନୋଟିସ୍ ଦେଇଥିଲା ଏନ୍ଏଚ୍ଏଆଇ। ପରେ ଗାୟତ୍ରୀ ପ୍ରୋଜେକ୍ଟସ୍ ଏହି ପ୍ରକଳ୍ପରୁ ବିଦା ହେଲା । ଅନୁଗୁଳ-ସମ୍ବଲପୁର ରାସ୍ତା କାମ ୨୦୧୭ରେ ଆରମ୍ଭ ହୋଇଥିଲା। ଅନୁଗୁଳ-କଟକ ରାସ୍ତା ୨୦୧୮ ଆରମ୍ଭରୁ ହୋଇଥିଲା । ଏହି କାମ ୨୦୨୦ ସୁଦ୍ଧା ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ଏହା ଭିତରେ ପ୍ରକଳ୍ପ ପାଇଁ ବ୍ୟୟ ଅଟକଳ ଦୁଇଗୁଣ ବଢ଼ିଛି। କାମ କିନ୍ତୁ ଅଧପନ୍ତରିଆ ଭାବେ ପଡ଼ି ରହିଛି । ଢେଙ୍କାନାଳରୁ ଅନୁଗୁଳ ପର୍ଯ୍ୟନ୍ତ ୬୨ କିଲୋମିଟର ରାସ୍ତା ପ୍ରଶସ୍ତୀକରଣ କାମ ପ୍ରାୟ ୭୦ ପ୍ରତିଶତ ସରିଛି। ଅନୁଗୁଳରୁ ସମ୍ବଲପୁର ପର୍ଯ୍ୟନ୍ତ ରାସ୍ତା ୮୦ ପ୍ରତିଶତ ସରିଛି। ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏହି ରାସ୍ତାରେ ହେବାକୁ ଥିବା ଫ୍ଲାଏ ଓଭର ଗୁଡ଼ିକ ଏ ପର୍ଯ୍ୟନ୍ତ ନିର୍ମାଣ ହୋଇନି । ଏପଟେ ବାଇପାସ୍ ଅଧପନ୍ତରିଆ ପଡ଼ିଛି । କେବଳ ଏହି ବାଇପାସରେ ୫ଟି ଓଭରବ୍ରିଜ୍ ରହିଛି। ଦୁଇଟି ବଡ଼ ପୋଲ ନିର୍ମାଣ କରାଯାଉଛି । କିନ୍ତୁ ପ୍ରଶସ୍ତୀକରଣ କାମ ମନ୍ଥର ଗତିରେ ଚାଲିଥିବାରୁ ଏହି ଡେଡ୍ ଲାଇନ୍ ଭିତରେ କାମ ସରିବା ନେଇ ସନ୍ଦେହ ବଢ଼ିଛି । ଜମି ଅଧିଗ୍ରହଣ, ଜଙ୍ଗଲ ବିଭାଗର ଅନୁମତି ଓ ଠିକଦାରଙ୍କ ଅବହେଳା ପାଇଁ କାମ ବିଳମ୍ବିତ ହୋଇଥିଲା।

ପଞ୍ଚମହଲା-ବଅଁରପାଳ ୫୫ ନମ୍ବର ଜାତୀୟ ରାଜପଥ କାମ ଆରମ୍ଭ ହୋଇଛି। କାମ ପାଇବା ପରେ ବିଧିବଦ୍ଧ ଭାବେ କାମ ଆରମ୍ଭ କରିଛିନୂଆ ଠିକା ସଂସ୍ଥା । ତେବେ ରାସ୍ତାରେ ଅଧିକ ଗାଡ଼ି ଚଳାଚଳ କରୁଥିବାରୁ ନିର୍ମାଣରେ ବାଧା ପହଞ୍ଚିଛି। ଏଥିପାଇଁ ନୋ-ଏଣ୍ଟ୍ରି ଲାଗୁପାଇଁ ପ୍ରସ୍ତାବ ଦିଆଯାଇଛି। ଦୁଇମାସ ଭିତରେ ରାସ୍ତା କାମ ସାରିବାକୁ ଠିକାସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି। ଏନଏଚ ୫୫ ନମ୍ବର ଜାତୀୟ ରାଜପଥର ଉନ୍ନତି ପାଇଁ ଗତ ମାସରେ ଟେଣ୍ଡର ଆହ୍ବାନ କରାଯାଇଛି।

ରାସ୍ତା ମରାମତି ସହ ଆଲୋକୀକରଣ ପାଇଁ ୫୮ କୋଟି ଟଙ୍କା ମଞ୍ଜୁର ହୋଇଛି। ଟେଣ୍ଡର୍ ସରିବା ପରେ ଏବେ କାମ ଆରମ୍ଭ ହୋଇଛି। କୁଲାଡ଼ ପାଖରେ କାମ ଚାଲିଛି। ଯେଉଁଠି ରାସ୍ତା ଖରାପ ଅଛି ସେଠାରେ ଆଗ କାମ କରିବାକୁ କୁହାଯାଇଛି। ଅନୁଗୁଳରୁ ବଅଁରପାଳ ଭିତରେ ଏକାଧିକ ସ୍ଥାନରେ ବଡ଼ ବଡ଼ ଗାତ ସୃଷ୍ଟି ହୋଇଛି। ଏହାର ମରାମତି ଉପରେ ଗୁରୁତ୍ଵ ଦିଆଯାଇଛି। ରାସ୍ତାକୁ ନୋ-ଏଣ୍ଟ୍ରି ଜୋନ୍ କରିବାକୁ ଜିଲ୍ଲାପାଳଙ୍କୁ ପ୍ରସ୍ତାବ ଦିଆଯିବ। ୧୫ ଦିନ ପାଇଁ ଭାରୀଯାନ ଚଳାଚଳରେ ରୋକ୍ ପାଇଁ ଯୋଜନା କରାଯାଇଛି। ବ୍ଲାକ୍ ସ୍ପଟ୍ ଗୁଡ଼ିକର ତୁରନ୍ତ ମରାମତି ପାଇଁ ଠିକା ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି। ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଧାରଣାସ୍ଥଳକୁ ଯାଇ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଛନ୍ତି। ଲୋକଙ୍କ ଉଦବେଗ ନେଇ ସେ ରାଜ୍ୟ ସରକାରଙ୍କୁ ଜଣାଇବେ ବୋଲି କହି ଛନ୍ତି।

ଅନୁଗୁଳରୁ ମାନସ ମିଶ୍ର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.