ନା ଏଠି ଜଳେ ବିଜୁଳି, ନା ଲୋକଙ୍କୁ ମିଳେ ପିଇବା ପାଣି, ଏଠି ସବୁ ମୌଳିକ ସୁବିଧା ଉପରେ ଲାଗିଛି ରୋକ

ରାଜନଗର (କେନ୍ୟୁଜ୍‌) : ଆମକୁ ମଣିଷ ପରି ବଞ୍ଚିବାକୁ ଦିଆଯାଉ । ମୈାଳିକ ସୁବିଧାରୁ ବଞ୍ଚିତ କରାନଯାଉ । ଆମକୁ ଭିଟାମାଟିରୁ ଉଠା ନଯାଉ । ଏଭଳି ନିବେଦନ କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାର ଚାରିଘରିଆବାସୀ । ତେବେ ଏହା କୈାଣସି ଅନ୍ଧାରୀ ମୂଲକ ନୁହେଁ । କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକରେ ରହିଛି ଏଇ ଗାଁ । ସଦର ମହକୁମା ଠାରୁ ମାତ୍ର ୨୩ କିଲୋମିଟର ଦୂର ଗୁପ୍ତି ପଞ୍ଚାୟତର ଗାଁ ହେଉଛି ଚାରିଘରିଆ । ଏହି ଗାଁରେ ୧୨୦ରୁ ଊର୍ଦ୍ଧ୍ୱ ପରିବାର ବସବାସ କରନ୍ତି । ସେଥିମଧ୍ୟରୁ ୪୦ଟି ପରିବାର ଜନଜାତି ସଂପ୍ରଦାୟର । ଗାଁର ପ୍ରତିକୂଳ ପରିବେଶ ପାଇଁ ବିଦେଶକୁ ଦାଦନ ଖଟିବାକୁ ଯାଇଥିବା ଯୁବକଟି ଗାଁକୁ ଫେରିବାକୁ ଇଚ୍ଛାକରୁନି । ଆଜିବି ଏହି ଗାଁର ଲୋକ କୁହନ୍ତି ପିଢି ପରେ ପିଢି ଦୁଃଖ ଯନ୍ତ୍ରଣା ଭିତରେ ସମୟ କାଟୁଛୁ । କେବେ ଆମକୁ ମିଳିବ ମୁକ୍ତି ?

CHARIGHARIA-2
ହଜାରେରୁ ଊର୍ଦ୍ଧ୍ୱ ଲୋକସଂଖ୍ୟା ବିଶିଷ୍ଟ ଗାଁର ଲୋକମାନେ ବର୍ଷା ଚାରି ମାସ ଘରୁ ବାହାରି ପାରନ୍ତି ନାହିଁ । କାଦୁଅ ପଙ୍କ ସାଙ୍ଗକୁ ସ୍ଥାନେ ସ୍ଥାନେ ପାଣି ଜମି ରହି ପରିବେଶ ଅତି ଖରାପ ହୋଇଯାଏ । ଛାତ୍ରଛାତ୍ରୀମାନେ ଅଧିକାଂଶ ସମୟ ସ୍କୁଲକୁ ଯାଆନ୍ତି ନାହିଁ । ବିଦ୍ୟୁତ ସଂଯୋଗ ନଥିବାରୁ ସଞ୍ଜ ନଇଁଲେ ଡିବିରୀ କି ଲଣ୍ଠନ ଖୋଜା ପଡେ । ଗାଁରେ ଗୋଟିଏ ମାତ୍ର ନଳକୂଅ । ତାରି ଉପରେ ପିଇବା ପାଣି ଟୋପେ ପାଇଁ ଲୋକ ନିର୍ଭର କରନ୍ତି । ଅନ୍ୟ ନଳକୂଅ ଗୁଡିକରୁ ଲୁଣାପାଣି ବାହାରୁଥିବାରୁ ତାହା ପିଇ ହେଉନାହିଁ । ବନ ବିଭାଗ ନୂଆ ନଳକୂଅ ବସାଇ ଦେଉ ନାହିଁ । ଗାଁଟି ଭିତରକନିକା ଜାତୀୟ ଉଦ୍ୟାନର ସୀମାସରହଦ ମଧ୍ୟରେ ଯାଉଛି । ନିକଟ ଅତୀତରେ ବନବିଭାଗ ସେମାନଙ୍କୁ ଏଠାରୁ ଉଠି ଯିବାକୁ ନୋଟିସ ଦେଇଥିଲା । ଗାଁ ଲୋକଙ୍କ କହିବା ଅନୁସାରେ ୧୯୭୧ ମହାବାତ୍ୟାରେ ପେଣ୍ଠ ନିକଟ ଜଉଦିଆଠାରେ ଥିବା ସେମାନଙ୍କ ଘରଦ୍ୱାର ଭାସିଗଲା । ତା ପରଠାରୁ ଏଠାରେ ରହିଆସିଛନ୍ତି। ଗରିବ ଖଟିଖିଆ ମଣିଷ ଏମାନେ । ମୂଲ ଲାଗିଲେ ଚୂଲି ଜଳେ । ଏହା ଭିତରେ ଆଇନ କାନୁନ କଣ ବଦଳିଲା ଆମେ ଜାଣିନୁ । ବନବିଭାଗ ଆମକୁ ଏଠାରେ ଘରଦ୍ୱାର କରାଇ ଦେଉନି । ଇନ୍ଦିରା ଆବାସ, ବିଜୁପକ୍କାଘର ଓ ପ୍ରଧାନମନ୍ତ୍ରୀ ଆବାସଯୋଜନା ପାଇଁ ସରକାରଙ୍କ ଠାରୁ କାର୍ଯ୍ୟାଦେଶ ପାଇଥିଲେ ମଧ୍ୟ ଏଠି ଘର କରି ପାରୁନୁ । ରାସ୍ତାଘାଟ, ବିଜୁଳି ଆଲୁଅ ସବୁଥିରୁ ଆମେ ବଚିଂତ । ଆମ ଗାଈଗୋରୁଙ୍କୁ ବନବିଭାଗ ଚରିବାକୁ ଦେଉନି । ମାଛ କଂକଡା ଧରିବାକୁ ଦେଉନି । ଗାଁର ଚାରି ପାଖରେ ପାଣିନାଳ ଖୋଳି ଦେଇଛି । ବର୍ଷାଦିନେ କୁମ୍ଭୀରଏହି ନାଳରେ ଚାଲି ଆସୁଛନ୍ତି । ଆମେ ତ ପୁରୁଷାନୁକ୍ରମେ ଏଠାରେ ରହି ଆସିଛୁ । ଏବେ ଯିବୁ କୁଆଡେ ? ଏଇଠି ମରିବୁ ପଛେ କୁଆଡେ ଯିବୁନି ।… ଇଏ ହେଉଛି ଚାରିଘରିଆ ଗାଁ ଲୋକଙ୍କ କହିବା କଥା ।

ଭୋଟ ବେଳ ହେଲେ କେତେ ନେତା ମନ୍ତ୍ରୀ ଆସନ୍ତି । ବନ ବିଭାଗ ଦାଉରୁ ରକ୍ଷା କରିବା ପାଇଁ ଥଇଥାନର ପ୍ରତିଶୃତି ଦିଅନ୍ତି । ମାତ୍ର ତା ପରେ ସବୁ ନିରବି ଯାଏ । ସାତଭାୟାବାସୀଙ୍କ ସହ ଚାରିଘରିଆବାସୀଙ୍କୁ ବଗପାଟିଆ ଥଇଥାନ ସ୍ଥଳୀରେ ରଖିବାକୁ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା । ମାତ୍ର ସେ ବି ପୂରଣ ହେଲାନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । କେନ୍ଦ୍ରାପଡା ଗ୍ରାମ୍ୟଉନ୍ନୟନ ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକ ରାଜେଶ କୁମାର ପଣ୍ଡାଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ । ସେ କହିଛନ୍ତି ଯେ ଜଙ୍ଗଲ ଭିତରେ ରହୁଥିବା ମଣିଷମାନଙ୍କୁ ମୈାଳିକ ସୁବିଧାରୁ ବଞ୍ଚିତ କରାଯାଇ ପାରିବ ନାହିଁ । ଜଙ୍ଗଲ ସଂଶୋଧନ ଆଇନରେ ସେମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଦେବା ପାଇଁ ବ୍ୟବସ୍ଥା ରହିଛି । ମାତ୍ର ରାଜନଗର ବନଖଣ୍ଡ ଅଧିକାରୀ ଡଃ ଯଜ୍ଞଦତ୍ତ ପତି ଜାତୀୟ ଉଦ୍ୟାନ ମଧ୍ୟରେ କୈାଣସି ଗାଁ ରହିପାରିବ ନାହିଁ ବୋଲି କହିଛନ୍ତି। ତେବେ ସେମାନଙ୍କୁ ସ୍ଥାନାନ୍ତର ହେବା ପାଇଁ ପ୍ରତି ପରିବାରକୁ ନିର୍ଦ୍ଧାରିତ ୧୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ସରକାର ବ୍ୟବସ୍ଥା କରିଛନ୍ତି । ଏହାକୁ ଖୁବ ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି ।

CHARIGHARIA-3
ଚାରିଘରିଆ ବାସୀ ଦୁଃଖ ହେଉଛି ନାଁ ସେମାନେ ଏକୂଳର ହେଉଛନ୍ତି ନା ସେ କୂଳର। ମୈାଳିକ ସୁବିଧା ସୁଯୋଗରୁ ଆରମ୍ଭ କରି ସରକାରଙ୍କ ସମସ୍ତ ଯୋଜନା ଏମାନଙ୍କ ଠାରୁ ଦୂରେଇ ଯାଇଛି । ଏବେ ନିଜ ଘର ଚିନ୍ତାରେ ଆଉଟୁ ପାଉଟୁ ହେଉଛନ୍ତି ଚାରିଘରିଆ ବାସିନ୍ଦା।

ଲୋକଙ୍କ ସମସ୍ୟା ଦୂର କରିବା ହେଉଛି ପ୍ରଶାସନର କାମ । ତେଣୁ ଅଧିକାରୀମାନେ ଚାରିଘରିଆ ବାସିନ୍ଦାଙ୍କ ବର୍ଷ ବର୍ଷର କଷ୍ଟକୁ ଦୂର କରିବାରେ ବିଶେଷ କିଛି ଅସୁବିଧା ନାହିଁ । ସରକାରୀ ଯୋଜନା ତ ରହିଛି ତା ସହିତ ସେମାନଙ୍କୁ ଟିକେ ଭଲ ଭାବେ ବୁଝାସୁଝା କଲେ ସେମାନେ ନିଶ୍ଚୟ ଥଇଥାନ ପାଇଁ ରାଜି ହୋଇଯିବେ । ଯାହାଫଳରେ ଏକ ଦୀର୍ଘ ଦିନର ସମସ୍ୟାର ଅନ୍ତ ଘଟିବ ।

ରାଜନଗର ଚାରିଘରିଆରୁ ଦୋଳଗୋବିନ୍ଦ ଜେନାଙ୍କ ରିପୋର୍ଟ, କେନ୍ୟୁଜ୍‌ ଓଡ଼ିଶା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.