କରଓ୍ଵା ଚୌଥରେ ୧୩ ବର୍ଷ ପରେ ପଡ଼ୁଛି ଅଦ୍ଭୁତ ସଂଯୋଗ; ବିବାହିତା ମହିଳାଙ୍କୁ ମିଳିବ ଶୁଭ ଫଳ; ଏହି ଉପାୟରେ କରନ୍ତୁ ପୂଜା

କରଓ୍ଵା ଚୌଥ ବ୍ରତ ପ୍ରତ୍ୟେକ ବର୍ଷ କାର୍ତ୍ତିକ ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ପାଳନ କରାଯାଏ। ଏହି ଦିନ ମହିଳାମାନେ ସ୍ୱାମୀଙ୍କ ଦୀର୍ଘ ଆୟୁଷ ପାଇଁ ନିର୍ଜଳା ଉପବାସ କରି ଥାଆନ୍ତି ଏବଂ ରାତିରେ ଚନ୍ଦ୍ର ଦର୍ଶନ କରିବା ପରେ କିଛି ଖାଦ୍ୟ ଖାଆନ୍ତି। ଚଳିତ ବର୍ଷ କରଓ୍ଵା ଚୌଥ ବ୍ରତ ଅକ୍ଟୋବର ୧୩ ଗୁରୁବାର ଦିନ ରଖାଯିବ। ଜ୍ୟୋତିଷଙ୍କ ମୁତାବକ, ଏଥର କରଓ୍ଵା ଚୌଥରେ ଗ୍ରହମାନଙ୍କର ବିଶେଷ ସ୍ଥିତି ରହୁଛି। ୧୩ ବର୍ଷ ପରେ ଏକ ଅଦ୍ଭୁତ ସଂଯୋଗ ମଧ୍ୟ ସୃଷ୍ଟି ହେଉଛି।

ଏହି ସମୟରେ ଗୁରୁ ଦେବ ବୃହସ୍ପତି, ବୁଧ ଏବଂ ଶନି ସ୍ୱଗୃହୀ ଅର୍ଥାତ୍‌ ନିଜ ନିଜ ରାଶିରେ ବିରାଜମାନ କରିବେ, ଯଦ୍ଦ୍ଵାରା ସୁଖ ଓ ସୌଭାଗ୍ୟ ପାଇବାରେ ସହଜ ହେବ। ସୂର୍ଯ୍ୟ ଓ ବୁଧ ମଧ୍ୟ ଏକ ସାଥୀରେ ରହିବେ ଏବଂ ସେମାନଙ୍କ ଉପରେ ଗୁରୁର ପ୍ରଭାବ ବି ରହିବ। ଏହାଦ୍ୱାରା ସ୍ୱାମୀ-ସ୍ତ୍ରୀଙ୍କର ପାରସ୍ପରିକ ସମ୍ବନ୍ଧ ଏବଂ ବିଶ୍ୱାସ ମଜଭୁତ ହେବ। ଶୁକ୍ର ଓ ବୃହସ୍ପତିଙ୍କ ସମ୍ବନ୍ଧ ବି ଏହି ପର୍ବରେ ରହିବ, ଯଦ୍ଦ୍ଵାରା ଆପଣଙ୍କ ପ୍ରାର୍ଥନାର ସୁଫଳ ମିଳିବ। ୧୩ ବର୍ଷ ପରେ ମୀନ ରାଶିର ବୃହସ୍ପତି ଏହି ପର୍ବକୁ ଅଧିକ ସୁଖମୟ କରିବ। ଏହାଦ୍ୱାରା ବୈବାହିକ ଜୀବନର ସମସ୍ତ ସମସ୍ୟା ଦୂର ହୋଇଯିବ।

କ’ଣ କରିବେ, କ’ଣ କରିବେ ନାହିଁ

କରଓ୍ଵା ଚୌଥ ବ୍ରତରେ ଚନ୍ଦ୍ରଙ୍କ ଦର୍ଶନ ପାଇଁ ଥାଳି ସଜାନ୍ତୁ। ଥାଳିରେ ଦୀପ, ସିନ୍ଦୁର, ଅକ୍ଷତ, କୁଙ୍କୁମ, ରୋଲି, ଚାଉଳରେ ତିଆରି ମିଠା ବା ଧଳା ମିଠା ରଖନ୍ତୁ। ନିଜକୁ ସମ୍ପୂର୍ଣ୍ଣ ରୂପେ ଶୃଙ୍ଗାର କରନ୍ତୁ ଏବଂ ମା’ ଗୌରୀ ଓ ଗଣେଶଙ୍କୁ ଜଳ ଅର୍ପଣ କରି ପୂଜା କରନ୍ତୁ। ଚନ୍ଦ୍ର ବାହାରିବା ପରେ ଚାଲୁଣୀ କିମ୍ବା ଜଳରେ ଚନ୍ଦ୍ରଙ୍କୁ ଦେଖନ୍ତୁ ଏବଂ ଅର୍ଘ୍ୟ ଦିଅନ୍ତୁ। ଏହି ଦିନ କରଓ୍ଵା ଚୌଥର ପ୍ରତ କଥା ଶୁଣନ୍ତୁ।

ଏହାପରେ ନିଜ ସ୍ୱାମୀଙ୍କର ଦୀର୍ଘ ଆୟୁଷ କାମନା କରନ୍ତୁ। ଶୃଙ୍ଗାରର ସାମଗ୍ରୀ ଦାନ କରନ୍ତୁ ଏବଂ ନିଜ ଶାଶୁଙ୍କଠାରୁ ଆଶୀର୍ବାଦ ନିଅନ୍ତୁ। କେବଳ ବିବାହିତା ନାରୀ କିମ୍ବା ଯାହାଙ୍କର ବିବାହ ସ୍ଥିର ହୋଇଯାଇଛି, ସେହିମାନେ ହିଁ ବ୍ରତ ରଖି ପାରିବେ। ମନେ ରଖନ୍ତୁ, କଦାପି କଳା କିମ୍ବା ଧଳା ବସ୍ତ୍ର ଧାରଣ କରନ୍ତୁ ନାହିଁ। ଯଦି ସ୍ୱାସ୍ଥ୍ୟ ଭଲ ନାହିଁ, ତା’ ହେଲେ ଉପବାସ କରନ୍ତୁ ନାହିଁ। ଲେମ୍ବୁ ପାଣି ପିଇ ହିଁ ଉପବାସ ଭାଙ୍ଗନ୍ତୁ।

ଯଦି ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ ବିନା କାରଣରେ ଝଗଡ଼ା ହେଉଛି, ତା’ ହେଲେ ଜଳରେ ବହୁତ ଗୁଡ଼ିଏ ଧଳା ଫୁଲ ପକାଇ ଅର୍ଘ୍ୟ ଦିଅନ୍ତୁ। ଯଦି ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ କମି ଯାଉଛି, ତା’ ହେଲେ ଜଳରେ ଧଳା ଚନ୍ଦନ ଓ ହଳଦିଆ ଫୁଲ ପକାଇ ଅର୍ଘ୍ୟ ଦିଅନ୍ତୁ। ଯଦି ଦମ୍ପତିଙ୍କ ସ୍ୱାସ୍ଥ୍ୟଗତ କାରଣରୁ ବୈବାହିକ ଜୀବନରେ ବାଧା ସୃଷ୍ଟି ହେଉଛି, ତେବେ ସ୍ୱାମୀ, ସ୍ତ୍ରୀ ଜଳରେ ଅଳ୍ପ କ୍ଷୀର ଓ ଅକ୍ଷତ ପକାନ୍ତୁ ଏବଂ ଚନ୍ଦ୍ରଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.