ସାବଧାନ! ପେଟ ସହ ଜଡ଼ିତ ସମସ୍ୟାଗୁଡ଼ିକୁ ଜମାରୁ ହାଲୁକା ନିଅନ୍ତୁ ନାହିଁ; ହୋଇପାରେ ଓମିକ୍ରନ…

କରୋନା ଭାଇରସ୍ର ଓମିକ୍ରନ୍ ଭାରିଆଣ୍ଟ ଶ୍ୱାସକ୍ରିୟା ସଂକ୍ରମଣ ବ୍ୟତୀତ ଆପଣଙ୍କ ପେଟକୁ ମଧ୍ୟ ପ୍ରଭାବିତ କରିପାରେ। ଏହି କାରଣରୁ ପେଟରେ ଯନ୍ତ୍ରଣା, ବାନ୍ତି ଏବଂ ଭୋକ ନ ଲାଗିବା ଭଳି ଲକ୍ଷଣ ଦେଖାଯିବ। ଯଦି ଆପଣଙ୍କର ବି ଏହି ଲକ୍ଷଣଗୁଡିକ ଅଛି, ତା’ ହେଲେ ଏହାକୁ ସାଧାରଣ ଫ୍ଲୁ ପରି ଗ୍ରହଣ କରନ୍ତୁ ନାହିଁ, ବରଂ ତୁରନ୍ତ ଯାଇ କୋଭିଡ୍ ଟେଷ୍ଟ କରାଇ ନିଅନ୍ତୁ।
ଦେଖା ଦେଇପାରେ ଏହି ଲକ୍ଷଣ: ବିଶେଷଜ୍ଞଙ୍କ ମୁତାବକ, ଓମିକ୍ରନର କିଛି ଲକ୍ଷଣ ଡେଲଟାଠାରୁ ଭିନ୍ନ ରହିଛି, କିନ୍ତୁ ଏଥିରେ ମଧ୍ୟ କିଛି ଲୋକଙ୍କୁ ଥଣ୍ଡା, ସର୍ଦ୍ଦି, କାଶ ଏବଂ ଗଳା ଯନ୍ତ୍ରଣା ଭଳି ସମସ୍ୟା ଦେଖା ଦେଉଛି। ତେବେ ଏହି ଲକ୍ଷଣଗୁଡ଼ିକ ଏତିକିରେ ହିଁ ସୀମିତ ନାହିଁ। ଓମିକ୍ରନର ଲକ୍ଷଣ ପେଟ ସହ ଜଡିତ ରହିଛି। ଏଥିରେ ଆପଣଙ୍କୁ ବିନା ଜ୍ୱରରେ ବାନ୍ତି, ପିତ୍ତ ବାନ୍ତି ଏବଂ ପେଟ ଯନ୍ତ୍ରଣା ସମସ୍ୟା ହୋଇପାରେ। ଯଦି ଆପଣଙ୍କୁ ଶ୍ୱାସ ସମ୍ବନ୍ଧୀୟ ଲକ୍ଷଣ କିମ୍ବା ବିନା ଜ୍ୱରରେ ପେଟ ସମ୍ବନ୍ଧୀୟ ସମସ୍ୟା ରହିଛି, ତା’ ହେଲେ ବିଳମ୍ବ ନ କରି ଯଥାଶୀଘ୍ର କରୋନା ଟେଷ୍ଟ କରାନ୍ତୁ।
ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ନୂଆ ଷ୍ଟ୍ରେନ୍ରେ ଅଧିକାଂଶ ଲୋକଠାରେ ପେଟ ଖରାପ ହେବାର ଲକ୍ଷଣ ସାମ୍ନାକୁ ଆସିଛି। ଭ୍ୟାକ୍ସିନେଟେଡ୍ ଲୋକଙ୍କଠାରେ ମଧ୍ୟ ଏହି ଲକ୍ଷଣ ରହିଛି। କିଛି ଲୋକଙ୍କୁ ପ୍ରଥମରୁ ବିନା ଥଣ୍ଡା, ସର୍ଦ୍ଦିରେ କେବଳ ପେଟରେ ଅସୁବିଧା ଅନୁଭବ ହୋଇପାରେ। ଏଥିରେ ପିଠି ଯନ୍ତ୍ରଣା, ପେଟ ଯନ୍ତ୍ରଣା, ବାନ୍ତି, ଭୋକ ନ ଲାଗିବା ଏବଂ ଝାଡ଼ା ଭଳି ଲକ୍ଷଣ ସାମିଲ ରହିଛି। ଓମିକ୍ରନ୍ରେ ପେଟ ଉପରର ପତଳା ପରସ୍ତ ମ୍ୟୁକୋସା ସଂକ୍ରମିତ ହୋଇଯାଏ ଏବଂ ଏହା ଫୁଲି ଯାଇଥାଏ।
କରନ୍ତୁ ଏହି କାମ: ବିଶେଷଜ୍ଞମାନଙ୍କ କହିବା ହେଲା, ଭ୍ୟାକ୍ସିନର ଦୁଇଟି ଡୋଜ୍ ନେଇ ସାରିଥିବା ଲୋକଙ୍କଠାରେ ମଧ୍ୟ ପେଟ ସହ ଜଡିତ ଲକ୍ଷଣଗୁଡ଼ିକ ଦେଖା ଯାଉଛି। ଯଦିଓ ଏହି ଲକ୍ଷଣ ଗମ୍ଭୀର ନୁହେଁ। ପେଟ ଯନ୍ତ୍ରଣା, ବାନ୍ତି ଏବଂ ଭୋକ ନ ଲାଗିବା ଲକ୍ଷଣଗୁଡ଼ିକୁ ସାଧାରଣ ଫ୍ଲୁ ପରି ନେବା ଉଚିତ୍ ନୁହେଁ। ଯଦି ଆପଣଙ୍କଠାରେ ମଧ୍ୟ ଏହି ଲକ୍ଷଣଗୁଡିକ ରହିଛି, ତା’ ହେଲେ ତୁରନ୍ତ ନିଜକୁ ଆଇସୋଲେଟ୍ କରି ନିଅନ୍ତୁ। ବିନା ଡାକ୍ତରଙ୍କ ପରାମର୍ଶରେ ନିଜେ କୌଣସି ଔଷଧ ଖାଆନ୍ତୁ ନାହିଁ। ନିଜକୁ ହାଇଡ୍ରେଟ୍ ରଖନ୍ତୁ, ହାଲୁକା ଖାଦ୍ୟ ଖାଆନ୍ତୁ ଏବଂ ପର୍ଯ୍ୟାପ୍ତ ମାତ୍ରାରେ ଶୁଅନ୍ତୁ। ମସଲାଯୁକ୍ତ ଖାଦ୍ୟ ଏବଂ ମଦ୍ୟପାନରୁ ସମ୍ପୂର୍ଣ୍ଣରୂପେ ଦୂରେଇ ରୁହନ୍ତୁ।
ଏହି କଥାଗୁଡ଼ିକ ଉପରେ ରଖନ୍ତୁ ଧ୍ୟାନ: ବିଶେଷଜ୍ଞଙ୍କ ଅନୁଯାୟୀ, ଓମିକ୍ରନ୍ ସଂକ୍ରମିତ ରୋଗୀମାନେ ପରିଷ୍କାର ପରିଚ୍ଛନ୍ନତା ଉପରେ ପୂରା ଧ୍ୟାନ ଦେବା ଉଚିତ୍। ତାଜା ଖାଦ୍ୟ ଖାଆନ୍ତୁ। ଫଳଗୁଡ଼ିକୁ ଭଲ ଭାବରେ ଧୋଇ ଖାଆନ୍ତୁ। ଏହା ବ୍ୟତୀତ ଖାଦ୍ୟ ସେୟାର କରିବାଠୁ ଦୂରେଇ ରୁହନ୍ତୁ ଏବଂ ବାହାର ଖାଦ୍ୟ ଖାଆନ୍ତୁ ନାହିଁ। କୋଭିଡ୍ ପ୍ରୋଟୋକଲକୁ ସମ୍ପୂର୍ଣ୍ଣ ଭାବରେ ପାଳନ କରନ୍ତୁ।