ଏମିତି ଏକ ଗାଁ, ଯେଉଁଠାରେ ମଣିଷ ଠାରୁ ଆରମ୍ଭ କରି ଜୀବଜନ୍ତୁ ସବୁ ଅନ୍ଧ

ଦୁନିଆରେ ଅନେକ ରହସ୍ୟମୟ ସ୍ଥାନ ଅଛି ଯାହା ବିଷୟରେ ମଣିଷକୁ କିଛି ବି ଜଣାନଥାଏ । ଏଭଳି ସ୍ଥାନମାନଙ୍କରେ ବହୁତ ଅଜବ ଜିନିଷ ଥାଏ, ଯାହା ବିଷୟରେ ବୈଜ୍ଞାନିକମାନେ ରିସର୍ଚ୍ଚ କରନ୍ତି । ଏହି ରହସ୍ୟମୟୀ ସ୍ଥାନ ମଧ୍ୟରୁ ମେକ୍ସିକୋର ଏକ ଗାଁ ଅନ୍ୟତମ । ଏହି ଗାଁରେ ଯେତେବେଳେ ପିଲାମାନେ ଜନ୍ମ ହୁଅନ୍ତି, ସେମାନେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଜନ୍ମ ଗ୍ରହଣ କରନ୍ତି । ମାତ୍ର କିଛି ଦିନ ପରେ ଏହି ପିଲାମାନେ ନିଜର ଦୃଷ୍ଟି ଶକ୍ତି ହରାଇ ବସନ୍ତି । ଏଭଳି ଅଦ୍ଭୁତ ଘଟଣା ଯୋଗୁଁ ଏହି ଗାଁକୁ ଅନ୍ଧଙ୍କ ଗାଁ ବୋଲି କୁହାଯାଉଛି ।

ମେକ୍ସିକୋର ଟିଲ୍ଟେପକ ଗାଁ ଅନ୍ଧମାନଙ୍କ ଗାଁ ଭାବରେ ବେଶ ଜଣାଶୁଣା । ଏଠାରେ ରହୁଥିବା ମଣିଷଠାରୁ ଆରମ୍ଭ କରି ପଶୁ ପର୍ଯ୍ୟନ୍ତ ସମସ୍ତେ ଅନ୍ଧ । ଏହା ହେଉଛି ଦୁନିଆର ଏକମାତ୍ର ଗାଁ ଯେଉଁଠାରେ କେବଳ ଅନ୍ଧ ଲୋକ ବାସ କରନ୍ତି । ଆପଣଙ୍କୁ ଏକଥା ହୁଏତ କାହାଣୀ ପରି ମନେ ହେଉଥିବ, କିନ୍ତୁ ଏକଥା ସମ୍ପୂର୍ଣ୍ଣ ସତ । କୌଣସି ଲୋକ ଏହି ଗାଁ ବିଷୟରେ ଶୁଣିଲେ ବହୁତ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । କାରଣ ଗୋଟିଏ ଗାଁରେ ସମସ୍ତେ ଅନ୍ଧ କେମିତି ସମ୍ଭବ ? ତେବେ ଏହି ଗାଁରେ ଜେପୋଟେକ୍ ଜନଜାତିର ଲୋକମାନେ ରୁହନ୍ତି । ଏହି ଗାଁରେ ଜନ୍ମ ଗ୍ରହଣ କରୁଥିବା ପ୍ରତ୍ୟେକ ପିଲା ସୁସ୍ଥ ହୋଇ ଜନ୍ମ ଗ୍ରହଣ କରୁଥିଲେ ମଧ୍ୟ କିଛି ଦିନରେ ସେ ତାର ଦୃଷ୍ଟି ଶକ୍ତି ହରାଇ ବସେ । କେବଳ ମଣିଷର ସନ୍ତାନଙ୍କ ସହ ଏମିତି ହୁଏ ତାହା ନୁହେଁ ଜୀବଜନ୍ତୁମାନେ ମଧ୍ୟ ଏଭଳି ସମସ୍ୟାରୁ ମୁକ୍ତ ନୁହଁନ୍ତି । ତେବେ ଏଭଳି ଘଟଣା ପଛର କାରଣ କଣ ? କାହିଁକି ଏଠାରେ ରହୁଥିବା ମଣିଷ ଓ ଜୀବଯନ୍ତୁଙ୍କ ସହ ଏପରି ହେଉଛି । ଏପରି ପ୍ରଶ୍ନ ଆପଣଙ୍କ ମନରେ ନିଶ୍ଚିତ ଆସୁଥିବ । ତେବେ ଆସନ୍ତୁ ଏହା ପଛରେ କଣ କାରଣ ରହିଛି ଜାଣିବା ।

ଲୋକମାନେ ବିଶ୍ୱାସ କରନ୍ତି ଯେ ଏଭଳି ସମସ୍ୟା ପଛର କାରଣ ହେଉଛି ଗାଁରେ ରହିଥିବା ଏକ ଅଭିଶପ୍ତ ଗଛ । ଦୀର୍ଘ ବର୍ଷ ଧରି ଏହି ଗ୍ରାମରେ ଏକ ଗଛ ରହିଛି । ଲୋକମାନେ ବିଶ୍ୱାସ କରନ୍ତି ଯେ ଯଦି କୌଣସି ଲୋକର ନଜର ଏହି ଗଛ ଉପରେ ପଡ଼େ ସେ ଅନ୍ଧ ହୋଇଯାଏ । କିନ୍ତୁ ଅନେକ ଲୋକ ଏହାକୁ କେବଳ ଅନ୍ଧବିଶ୍ୱାସ ବୋଲି ଭାବନ୍ତି । କିନ୍ତୁ ବିଶେଷଜ୍ଞମାନେ ଏଭଳି ଘଟଣାକୁ ନେଇ କିଛି ଭିନ୍ନ ମତ ରଖିଛନ୍ତି ।

ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଏହି ଗାଁରେ ବହୁ ପ୍ରକାରର ବିଷାକ୍ତ ମାଛି ଦେଖିବାକୁ ମିଳେ । ଏହି ମାଛି ପିଲାଙ୍କୁ କାମୁଡ଼ିବା ପରେ ସେମାନେ ଅନ୍ଧ ହୋଇଯାଆନ୍ତି । ଯେତେବେଳେ ମେକ୍ସିକୋର ସରକାର ଏହି ଗାଁ ବିଷୟରେ ଜାଣିବାକୁ ପାଇଲେ, ସେମାନେ ଗାଁର ଲୋକଙ୍କୁ ସାହାଯ୍ୟ କରିବାକୁ ଚିନ୍ତା କଲେ କିନ୍ତୁ ସରକାରଙ୍କ ସମସ୍ତ ଚେଷ୍ଟା ବିଫଳ ହେଲା । ଲୋକଙ୍କୁ କୌଣସି ପ୍ରକାରର ଲାଭ ମିଳିଲାନି । ଯେତେବେଳେ ଏହି ଗାଁର ଲୋକମାନଙ୍କୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଚେଷ୍ଟା କରାଯାଇଥିଲା, ସେମାନେ ଅନ୍ୟ ସ୍ଥାନର ଜଳବାୟୁ ସହିପାରିନଥିଲେ । ତେଣୁ ଏ ଲୋକମାନଙ୍କ ପାଖରେ କୌଣସି ଉପାୟ ନଥିବାରୁ ସେମାନେ ବାଧ୍ୟ ହୋଇ ଏହି ସ୍ଥାନରେ ହିଁ ରହୁଛନ୍ତି । ଏହି କାରଣରୁ ଏଠାରେ ରହୁଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ କେହି ବି ସକ୍ଷମ ନୁହଁନ୍ତି ।

Leave A Reply

Your email address will not be published.