ମାଙ୍କଡ଼ କୁକୁରର ଦୋସ୍ତି, ଭାଇରାଲ୍ ହେଉଛି ସୋର ଷ୍ଟେସନର ଏହି ଭିଡିଓ

ମାଙ୍କଡ଼ କୁକୁରର ଦୋସ୍ତି । ଏମିତି ଦୃଶ୍ୟ ଖୁବ୍ କମ୍ ଦେଖିବାକୁ ମିଳେ । ଆଉ ଦୁଇ ଶତ୍ରୁ ଯେତେବେଳେ ମିତ୍ର ହୋଇଯାଆନ୍ତି ଏମିତି ଚର୍ଚ୍ଚା ହେବାଟା ତ ସ୍ୱଭାବିକ ।

ସୋର(କେନ୍ୟୁଜ):  ମାଙ୍କଡ଼ କୁକୁରର ଦୋସ୍ତି । ଏମିତି ଦୃଶ୍ୟ ଖୁବ୍ କମ୍ ଦେଖିବାକୁ ମିଳେ । ଆଉ ଦୁଇ ଶତ୍ରୁ ଯେତେବେଳେ ମିତ୍ର ହୋଇଯାଆନ୍ତି ଏମିତି ଚର୍ଚ୍ଚା ହେବାଟା ତ ସ୍ୱଭାବିକ । ତେବେ କୁହାଯାଏ ସମାଜର ଶ୍ରେଷ୍ଠ ପ୍ରାଣୀ ମଣିଷ ହେଲେ ମଣିଷ ମଣିଷ ମଧ୍ୟରେ ଏବେ ଆଉ ରହୁନାହିଁ ମଣିଷପଣିଆ କି ଭଲପାଇବା । କଥା କଥାରେ ବଢୁଛି ହିଂସା ଆଉ କ୍ରୁରତା । ମଣିଷ ସ୍ୱାର୍ଥପର ହୋଇ ଏବେ ଅର୍ଥ ପାଇଁ ଅନ୍ଧ ହୋଇଯାଇଛି । ନିଜର ଲୋକଙ୍କୁ ବି ଭୁଲିଯାଉଛି । ତେଣୁ ମାନବିକତାକୁ ଭୁଲି ଅମଣିଷ ପାଲଟିଯାଉଛି । ସବୁଠି ଚାଲିଛି ଖାଲି ସ୍ୱାର୍ଥର ହିସାବ । କହିବାକୁ ଗଲେ ଦୟା, କ୍ଷମା, ସାହାଯ୍ୟ, ସହାନୁଭୂତି, ଭଲପାଇବା ଠାରୁ ଦୂରେଇ ଯାଇ ମଣିଷ ଦିନକୁ ଦିନ ଯେମିତି ପଶୁ ପାଲଟି ଯାଇଛି ।

ଆଉ ଏପଟେ ଯେଉଁ ପଶୁ ଦିନେ ପରସ୍ପରକୁ ଦେଖିଲେ ଆକ୍ରମଣ ଓ ପ୍ରତି ଆକ୍ରମଣ ହୋଇପଡିଥାନ୍ତି , କିନ୍ତୁ ସେ ସମୟ ଆଜି ପରିବର୍ତନ ହୋଇଯାଇଛି । ସେହି ପଶୁ ପଶୁ ମାନଙ୍କ ମଧ୍ୟରେ ଗଡି ଉଠିଛି ଭଲ ପାଇବା । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ସୋର ଷ୍ଟେସନରେ । ଏ ହୃଦୟସ୍ପର୍ଶୀ ଦୃଶ୍ୟରେ ଦେଖିବାକୁ ମିଳିଛି କି, ମାଙ୍କଡ଼ ଓ କୁକୁର ଆନନ୍ଦର ସହ ଖେଳୁଛନ୍ତି । ମାଙ୍କଡ ଓ କୁକୁର ହେଉଛନ୍ତି ଶତ୍ରୁ । କିନ୍ତୁ ଏଠାରେ ଦେଖିବାକୁ ମିଳିଛି ବ୍ୟତିକ୍ରମ । ମାଙ୍କଡ଼କୁ କୁକୁର ଦେଖିଲେ ଜମା ବି ସହି ପାରେନି । କିନ୍ତୁ ଏ ଦୁହିଁଙ୍କ ସ୍ନେହ ଓ ଭଲ ପାଇବା ଦେଖିଲେ ଲାଗୁନି ଏମାନେ ପରସ୍ପରର ଶତ୍ରୁ ହୋଇଥିବେ ଵୋଲି । ଏ କୁକୁର ଓ ମାଙ୍କଡ଼ ଖେଳୁଥିବାର ଦୃଶ୍ୟ ସତରେ ସମସ୍ତଙ୍କୁ ଆକୃଷ୍ଟ କରିଥିଲା । ଉଭୟ ଭିନ୍ନ ଜାତିର ହୋଇଥିଲେ ସୁଦ୍ଧା ଉଭୟଙ୍କ ଭିତରେ ଅନାବିଳ ଭଲପାଇବା ।

monkey

ଏ ଦୃଶ୍ୟରେ ମାଙ୍କଡ଼ଟି ଏକ ବିସ୍କୁଟ ଧରିଥିବା ଆପଣ ମାନେ ଦେଖି ପାରୁଥିବେ। କୁକୁରଟି ମାଙ୍କଡ଼ ଠାରୁ ବିସ୍କୁଟକୁ ଛଡ଼ାଇବାରେ ଲାଗି ପଡ଼ିଛି। କିନ୍ତୁ ଖାଦ୍ୟ ପାଇଁ ଝଗଡା କରୁ ନାହାନ୍ତି ଏମାନେ। ଉଭୟ କୁକୁର ଓ ମାଙ୍କଡ଼ ଖୁସିରେ ଖେଳୁଛନ୍ତି। ଏହି ଦୃଶ୍ୟକୁ ଯାତ୍ରୀମାନେ ନିଜ ମୋବାଇଲରେ କଏଦ କରିଥିବା ଦେଖିବାକୁ ମିଳିଛି । ସୂଚନା ଥାଉ କି ମାଙ୍କଡ଼ ଓ କୁକୁର ଖେଳୁଥିବାର ଏ ଦୃଶ୍ୟ ସୋର ଷ୍ଟେସନରେ ଦେଖିବାକୁ ମିଳିଥିଲା।

ଲୋକମାନେ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ଅପେକ୍ଷା କରିଥିବା ସମୟରେ ସୋର ଷ୍ଟେସନର ପ୍ଲାଟଫର୍ମ ନମ୍ବର ୧ରେ ଏହି ମାଙ୍କଡ଼ ଓ କୁକୁର ଖେଳୁଥିଲେ । ଲୋକମାନେ ଏ ସୁନ୍ଦର ଦୃଶ୍ୟର ଭିଡିଓ କରିବାରେ ଲାଗି ପଡ଼ିଥିଲେ । ଦିନକୁ ଦିନ ମଣିଷ ବନ୍ଧୁତ୍ୱର ସମ୍ପର୍କକୁ ଭୁଲି ଯାଉଛି । କିନ୍ତୁ ଏ ଜୀବଜନ୍ତୁଙ୍କ ମଧ୍ୟରେ ଯେଉଁ ଭଲ ପାଇବା ଦେଖିବାକୁ ମିଳିଛି ତାହା ସତରେ ହୃଦୟସ୍ପର୍ଶୀ । ଆଜିର ଏ ମଣିଷ ପଶୁ ମାନଙ୍କ ଠାରୁ ଭଲ ପାଇବା ଶିଖିବା ଦରକାର ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.