ଉତ୍ତର ପ୍ରଦେଶର ଏହି ଛୋଟିଆ ଗାଁ, ଯେଉଁଠି ମୃତ ବ୍ୟକ୍ତି କରନ୍ତି ବିବାହ
ଭାରତ ଏକ ଏପରି ଦେଶ, ଯାହା ନିଜର ଐତିହ୍ୟ, ପରମ୍ପରା ଓ ସଂସ୍କୃତି ପାଇଁ ବିଶ୍ୱ ବିଖ୍ୟାତ। ଏହାଠାରୁ ବି ଅଧିକ ମହତ୍ତ୍ୱପୂର୍ଣ୍ଣ କଥା ହେଉଛି, ଦେଶରେ ରହୁଥିବା ସମସ୍ତ ସମ୍ପ୍ରଦାୟ ନିଜ ନିଜର ମାନଦଣ୍ଡ ଅନୁସାରେ ରୀତିନୀତି ପାଳନ କରିଥାଆନ୍ତି। ଭାରତର କୋଣ ଅନୁକୋଣରେ ବିବାହ ଭଳି ଉତ୍ସବକୁ ଧୁମଧାମରେ ପାଳନ କରାଯାଇଥାଏ। ଯଦିଓ ଏହା ଜାଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ ଯେ, ଏଠାରେ ଏକ ଗାଁ ରହିଛି, ଯେଉଁଠି ମୃତକଙ୍କ ବିବାହ ଆୟୋଜନ କରାଯାଇଥାଏ। ଆଉ ତାହା ବି ବେଶ୍ ଆଡ଼ମ୍ବର ସହକାରେ। ପ୍ରକୃତ ବିବାହଠାରୁ ଏହା କୌଣସି ଗୁଣରେ କମ୍ ନ ଥାଏ।
ହଁ, ଆଜି ଆମେ ଆପଣଙ୍କୁ ଉତ୍ତର ପ୍ରଦେଶର ସହାରଣପୁର ଜିଲାର ଏକ ଗାଁ ବିଷୟରେ କହିବାକୁ ଯାଉଛୁ। କାହିଁ କେଉଁ କାଳରୁ ଏଠାରେ ଏହି ବିଚିତ୍ର ପରମ୍ପରା ନଟବଜୀ ସମ୍ପ୍ରଦାୟ ଲୋକଙ୍କ ଦ୍ୱାରା ଚାଲିଆସୁଛି। ସମ୍ପ୍ରଦାୟର ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ କହିବା ହେଲା, ଏହି ପରମ୍ପରା ପରିବାରର ଜୀବିତ ଲୋକଙ୍କ ପାଇଁ ସୌଭାଗ୍ୟ ଆଣିଥାଏ।
ଏହାସହ ପଢ଼ନ୍ତୁ: ଭୀଷଣ ଗରମ ସତ୍ତ୍ୱେ ଏଠାକାର ଲୋକେ କମ୍ବଳ ଘୋଡ଼େଇ ହୋଇ ଶୁଅନ୍ତି, ଜାଣନ୍ତୁ କ’ଣ ରହିଛି କାରଣ
ପରମ୍ପରା ଅନୁସାରେ, ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଥିବା ଉଭୟ ବର ଓ କନ୍ୟାଙ୍କର ପୂର୍ବରୁ ମୃତ୍ୟୁ ଘଟିଥାଏ। ଏହା ଶୁଣି ବଡ଼ ଅଜବ ଲାଗେ କି ଲୋକେ ନିଜ ମୃତ ଝିଅ ପାଇଁ ମୃତ ବର ମଧ୍ୟ ଖୋଜିଥାଆନ୍ତି। ପୂରା ସମାଜ ଏହି ଉତ୍ସବକୁ ପାଳନ କରିବା ପାଇଁ ଏକତ୍ରିତ ହୁଅନ୍ତି। ତେବେ ଗ୍ରାମବାସୀ ଏଠାରେ ବର ଓ କନ୍ୟାଙ୍କ ସ୍ଥାନରେ କାଠ କଣ୍ଢେଇଙ୍କୁ ବ୍ୟବହାର କରିଥାଆନ୍ତି। ବିବାହ ଅବସରରେ ଏହି ପରମ୍ପରାକୁ ବହୁ ସାବଧାନ ସହକାରେ ପାଳନ କରାଯାଇଥାଏ। ଲୋକଙ୍କ ବିଶ୍ୱାସ ରହିଛି ଯେ ଏପରି କରିବା ଦ୍ୱାରା ମୃତକଙ୍କୁ ମୋକ୍ଷପ୍ରାପ୍ତି ହୋଇଥାଏ।