ବାଲେଶ୍ବର: ଡାଆଣୀ ସନ୍ଦେହରେ ଗାଁରୁ ତଡିଦେଲେ ଗ୍ରାମବାସୀ, ହୋମ ପାଇପ ତଳେ ଜୀବନ ବିତାଉଛନ୍ତି ଗୋଟିଏ ପରିବର

ବାଲେଶ୍ବର(କେନ୍ୟୁଜ୍): ଆଜି ବି ମଣିଷ ମନରେ ଭରି ରହିଛି ଅନ୍ଧବିଶ୍ବାସ ଏବଂ କୁସଂସ୍କାର। ଅନ୍ଧବିଶ୍ୱାସ ର ବଶବର୍ତ୍ତି ହୋଇ ଲୋକେ ଏତେ ତଳକୁ ଖସି ଯାଉଛନ୍ତି ଯେ ମଣିଷ ମାରିବାକୁ ମଧ୍ଯ ପଛାଉ ନାହାନ୍ତି। ପ୍ରାୟତଃ ଆଦିବାସୀ ଅଧ୍ୟୂଷିତ ଉପାନ୍ତ ଅଞ୍ଚଳ ମାନଙ୍କରେ ଏହି ପ୍ରକାର ଘଟଣା ଦେଖିବାକୁ ମିଳିଥାଏ।
ତେବେ ଆଜିର ଘଟଣା କୌଣସି ଉପାନ୍ତ ଅଞ୍ଚଳର ନୁହେଁ ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ମହିଁଷାମୁଣ୍ଡା ଗ୍ରାମର ଘଟଣା। ଗାଁର ଲୁସ୍କୁ ଟୁଡୁର ସ୍ତ୍ରୀକୁ ଡାଆଣୀ ସନ୍ଦେହ କରି ଗ୍ରାମବାସୀ ମାନେ ସପରିବାରକୁ ନିସ୍ତୁକ ମାଡ ମାରି ଗାଁରୁ ତଡି ଦେଇଛନ୍ତି। ଫଳରେ ସ୍ବାମୀ ସ୍ତ୍ରୀ ଓ ଛୋଟ ପିଲାକୁ ଧରି ଅନ୍ୟ ଏକ ଗାଆଁ ରାସ୍ତା ତଳେ ବିଛାଯାଇଥିବା ହୋମ ପାଇପ ଭିତରେ ଭୋକ ଉପାସରେ ଆଶ୍ରୟ ନେଇଛନ୍ତି ଲୁସ୍କୁ ଏବଂ ତାଙ୍କ ସ୍ତ୍ରୀ ରୁକ୍ମିଣୀ।
ସୂଚନା ଅନୁଯାୟୀ ବାଲିଆପାଳ ବ୍ଲକ ଅନ୍ତର୍ଗତ ମହିଷାମୁଣ୍ତା ଗ୍ରାମର ବାସିନ୍ଦା ହେଉଛନ୍ତି ଲୁସ୍କୁ ଟୁଡୁ । କିଛି ମାସ ପୂର୍ବରୁ ଲୁସ୍କୁର ବଡଭାଇର ଦୁଇଜଣ ପୁଅ ରୋଗରେ ପଡ଼ି ମୃତ୍ୟୁ ବରଣ କରିଛନ୍ତି। ତେବେ ସେମାନଙ୍କ ମୃତ୍ୟୁର କାରଣ ଲୁସ୍କୁର ସ୍ତ୍ରୀ ରୁକ୍ମିଣୀ ବୋଲି ସନ୍ଦେହ କରିଥିଲେ ଲୁସ୍କୁର ବଡଭାଇ ସେ ଡାଆଣୀ ହୋଇ ଦୁଇ ପିଲାଙ୍କୁ ମାରିଛି ବୋଲି ଭାବି ନେଇଥିଲେ। ତେବେ ଏକଥା ଲୁସ୍କୁର ବଡ଼ଭାଇ ଗ୍ରାମବାସୀଙ୍କୁ ଜଣାଇବା ପରେ ଗ୍ରାମବାସୀ ମାନେ ଲୁସ୍କୁର ଘରେ ପହଞ୍ଚି ସେମାନଙ୍କୁ ପିଟାମରା କରିବା ସହିତ ଗ୍ରାମରୁ ତଡି ଦେଇଛନ୍ତି। ଏମିତିକି ଘରୁ କୈାଣସି ଜିନିଷ ପତ୍ର ମଧ୍ୟ ଆଣିବାକୁ ଦେଇ ନାହାନ୍ତି। ଯାହା ଫଳରେ ସେମାନେ ଭୟରେ ଗାଁରୁ ପଳାଇ ଆସି ଅନ୍ଯ ଏକ ଗ୍ରାମରେ ରାସ୍ତା ତଳେ ବିଛାଯାଇଥିବା ହୋମ ପାଇପ ତଳେ ଆଶ୍ରୟ ନେଇଛନ୍ତି।
ପାଖରେ ପଇସା ପତ୍ର କି ଲୁଗାପଟା କିଛି ନଥିବାରୁ ଭୋକ ଉପାସରେ ହାଡଭଙ୍ଗା ଶୀତ କାକରରେ ଅତ୍ଯନ୍ତ ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି। ଏଘଟଣାକୁ ନେଇ ପୋଲିସ କିମ୍ବା ଗଣମାଧ୍ଯମ ପାଖରେ ଅଭିଯୋଗ କଲେ ଗ୍ରାମବାସୀ ମାନେ ଜୀବନରୁ ମାରି ଦେବାକୁ ଧମକ ଦେଇଛନ୍ତି ବୋଲି କାନ୍ଦି କାନ୍ଦି କହିଛନ୍ତି ଲୁସ୍କୁ ଏବଂ ତାଙ୍କ ସ୍ତ୍ରୀ । ଆମେ ଏ ସମ୍ପର୍କରେ ବାଲିଆପାଳ ତହସିଲଦାରଙ୍କୁ ଯୋଗାଯୋଗ କରିବାରୁ ଖୁବ୍ ଶୀଘ୍ର ତଦନ୍ତ କରାଯାଇ କାର୍ଯ୍ଯାନୁଷ୍ଠାନ କରାଯିବ ବୋଲି କହିଛନ୍ତି ।