ହାମାସ କଣ ଏବଂ ଏହାର ଇସ୍ରାଏଲ ସହିତ କଣ ରହିଛି ଶତ୍ରୁତା

ଯୁଦ୍ଧ ପରେ ଇସ୍ରାଏଲ ପାଲେଷ୍ଟାଇନର ଅଞ୍ଚଳକୁ କବ୍ଜା କରି ଅଧିକ ଶକ୍ତିଶାଳୀ ହୋଇଚାଲିଛି । ଏବେ ପାଲେଷ୍ଟାଇନ ୪୮ ପ୍ରତିଶତ ଭାଗରୁ ମାତ୍ର ୧୨ ପ୍ରତିଶତକୁ ଆସିଯାଇଛି । ଏବେ ସେ ପୂର୍ବ ପରି ସମାନ ବଣ୍ଟନ ପାଇଁ ଦାବି କରୁଛି । ଏହି କାରଣରୁ ଦୁଇ ଦେଶ ମଧ୍ୟରେ ଭୀଷଣ ଯୁଦ୍ଧ ଚାଲିଛି ।

ଉଗ୍ର ରୂପ ଧାରଣ କରିଛି ଇସ୍ରାଏଲ୍‌ ହାମାସ ଯୁଦ୍ଧ । ଏହି ଯୁଦ୍ଧ ଥମିବାର ନାଁ ନେଉନି । ଉଭୟ ପକ୍ଷରୁ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ହଜାର ହଜାର ଲୋକ ଗୁରୁତର ଆହତ ହୋଇଛନ୍ତି । ଅନେକ ଲୋକ ଏବେ ବି ବନ୍ଦୀ ହୋଇ ରହିଛନ୍ତି । ଇସ୍ରାଏଲ୍‌ ଉପରେ ହାମାସର ଆକ୍ରମଣ ଏବଂ ତା ପରେ ଇସ୍ରାଏଲର ଦୃଢ ପାଲଟା ଜବାବ । ତେବେ ଆସନ୍ତୁ ଜାଣିବା ‘ହାମାସ’ କଣ ଏବଂ ତା’ର ଇସ୍ରାଏଲ ସହିତ ଶତ୍ରୁତାର କାରଣ କଣ ?

ହାମାସ ହେଉଛି ଏକ ପାଲେଷ୍ଟାଇନର ଇସଲାମବାଦୀ ଆତଙ୍କବାଦୀ ଗୋଷ୍ଠୀ ଯାହା ଗାଜା ଅଞ୍ଚଳରୁ କାର୍ଯ୍ୟ କରୁଛି । ହାମାସ ଗାଜାକୁ ସମ୍ପୁର୍ଣ୍ଣ ରୂପରେ ଇସଲାମ୍‌ ରାଷ୍ଟ୍ର କରିବାକୁ ଚାହୁଁଛି । ୨୫ ବର୍ଷ ପର୍ଯ୍ୟନ୍ତ ଅଧିନରେ ରଖିବା ପରେ, ଇସ୍ରାଏଲ ୨୦୦୭ରେ ଗାଜା ଦଖଲ ଛାଡିଥିଲା । ଏହା ସହ ରାଜକୀୟ ଦାୟିତ୍ୱ ପାଲେଷ୍ଟାଇନକୁ ଦେଇଥିଲା । ୨୦୦୭ରେ ଗାଜାକୁ ନିୟନ୍ତ୍ରଣରେ ନେବା ପରେ ହାମାସର ବିଦ୍ରୋହୀମାନେ ଇସ୍ରାଏଲ୍‌କୁ ଧ୍ୱଂସ କରିବାକୁ ଶପଥ ନେଇଥିଲେ । ଏହା ପରଠାରୁ ହାମାସର ଇସ୍ରାଏଲ ସହିତ ବିବାଦ ଲାଗିରହିଛି । ଇସ୍ରାଏଲ ମଧ୍ୟ ଅନେକ ପାଲଟା ଆକ୍ରମଣ କରିଛି । ଏହା ମଧ୍ୟରେ ଇସ୍ରାଏଲ, ଆମେରିକା, ୟୁରେପୀୟ ସଂଘ ସମେତ ଅନେକ ଦେଶ ମିଶି ହାମାସକୁ ଆତଙ୍କବାଦୀ ସଂଗଠନ ଘୋଷଣା କରି ରଖିଛନ୍ତି ।

ଇସ୍ରାଏଲ ଓ ହାମାସ ମଧ୍ୟରେ ଯୁଦ୍ଧ ପାଇଁ ଗାଜା ଷ୍ଟ୍ରିପ ଏକ ପ୍ରମୁଖ କାରଣ । ତେବେ ଗାଜା ଷ୍ଟ୍ରିପ କଣ ? ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଏହି ଗାଜା ଷ୍ଟ୍ରିପ ଅବସ୍ଥିତ, ଯାହା ଉପରେ ଉଭୟ ଇସ୍ରାଏଲ ଏବଂ ହାମାସର ଅଧିକାର ରହିଛି । ତେଣୁ ଏହାକୁ ହାସିଲ କରିବା ପାଇଁ  ଦୁଇ ଦେଶ ମଧ୍ୟରେ ସବୁବେଳେ ବିବାଦ ଲାଗିରହିଛି । ଏହା ୪୧ କିମି ଲମ୍ବା ଏବଂ ୧୦ କିମି ଚଉଡାର ଏକ କ୍ଷେତ୍ର । ଯାହା ଇସ୍ରାଏଲ, ଇଜିପ୍ଟ ଏବଂ ଭୂମଧ୍ୟ ସାଗର ମଝିରେ ରହିଛି ।

୧୯୪୮ ପୂର୍ବରୁ ଇସ୍ରାଏଲ ନାମକ କୌଣସି ଅଞ୍ଚଳ ନଥିଲା । ବ୍ରିଟେନ ଆରବ ଦେଶକୁ ୨ ଭାଗ କରିଥିଲା । ଏବେର ଇସ୍ରାଏଲ ପୂର୍ବରୁ ପାଲେଷ୍ଟାଇନ ଥିଲା । କିନ୍ତୁ ବ୍ରିଟିଶ ପାଲେଷ୍ଟାଇନକୁ ୩ ଭାଗରେ ବାଣ୍ଟିଦେଲା । ୪୪ ପ୍ରତିଶତ ଭାଗ ଇସ୍ରାଏଲକୁ, ୪୮ ପ୍ରତିଶତ ଭାଗ ପାଲେଷ୍ଟାଇନକୁ ଏବଂ ବାକି ୮ ପ୍ରତିଶତ ଭାଗକୁ ୟୁଏନ ନିଜ ଅଧୀନରେ ରଖିଲା । ଏହିଠାରୁ ହି ସମସ୍ତ ବିବାଦର ଆରମ୍ଭ ହୋଇଥିଲା । ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ବିବାଦ କୌଣସି ନୂଆ କଥା ନୁହେଁ । ଏହି ଦୁଇ ଦେଶ ମଧ୍ୟରେ ଅନେକ ବର୍ଷରୁ ବିବାଦ ଲାଗି ରହିଛି ।

ତେବେ ଅକ୍ଟୋବର ୭ରେ ଏହି ଆତଙ୍କବାଦୀ ସଂଗଠନ ହାମାସ, ୫୦୦୦ରୁ ଅଧିକ ରକେଟ୍‌ ସାହାଯ୍ୟରେ ଇସ୍ରାଏଲ୍‌ ଉପରେ ହଠାତ୍‌ ଆକ୍ରମଣ କରିଥିଲା । ଜଳ, ସ୍ଥଳ ଏବଂ ଆକାଶମାର୍ଗରେ ଇସ୍ରାଏଲ ସୀମାରେ ପ୍ରବେଶ କରି ହତ୍ୟାକାଣ୍ଡ କରିଥିଲେ । ଗତ ୫୦ ବର୍ଷ ମଧ୍ୟରେ ଇସ୍ରାଏଲରେ ଏଭଳି ବ୍ୟାପକ ଧ୍ୱଂସ ପ୍ରଥମ ଥର ପାଇଁ ଘଟିଛି । ଏପରିକି ଦୁନିଆର ସର୍ବୋତ୍ତମ ଗୁପ୍ତଚର ଏଜେନ୍ସି ‘ମୋସାଦ’କୁ ମଧ୍ୟ ଏହି ଆକ୍ରମଣ ବିଷୟରେ ଖବର ନଥିଲା । ଭୀଷଣ କ୍ଷତି ପରେ ସେ ହାମାସ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଇସ୍ରାଇଲ । ଏହି ଆକ୍ରମଣ ପରେ ଇସ୍ରାଏଲ ହାମାସ ବିରୁଦ୍ଧରେ ସମ୍ପୁର୍ଣ୍ଣ ଯୁଦ୍ଧ ଘୋଷଣା କରିଛି । ଇସ୍ରାଏଲର ଯୁଦ୍ଧ ବିମାନ ଗାଜା ଷ୍ଟ୍ରିପ୍‌କୁ ଧ୍ୱଂସ କରିଦେଇଛି ।

ସୂଚନାଯୋଗ୍ୟ, ଏହି ଦୁଇ ଦେଶ ମଧ୍ୟରେ ଅନେକ ବିବାଦ ଦେଖାଦେଇଛି । କିନ୍ତୁ ପ୍ରତ୍ୟେକ ଯୁଦ୍ଧ ପରେ ଇସ୍ରାଏଲ ପାଲେଷ୍ଟାଇନର ଅଞ୍ଚଳକୁ କବ୍ଜା କରି ଅଧିକ ଶକ୍ତିଶାଳୀ ହୋଇଚାଲିଛି । ପାଲେଷ୍ଟାଇନ ୪୮ ପ୍ରତିଶତ ଭାଗରୁ ମାତ୍ର ୧୨ ପ୍ରତିଶତକୁ ଆସିଯାଇଛି । ଏବେ ସେ ପୂର୍ବ ପରି ସମାନ ବଣ୍ଟନ ପାଇଁ ଦାବି କରୁଛି । ଏହି କାରଣରୁ ଦୁଇ ଦେଶ ମଧ୍ୟରେ ଭୀଷଣ ଯୁଦ୍ଧ ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.