Below header

ମାର୍କେଟ୍ ବିଲଡିଂ ସିଲ୍ ହେଲା ବୋଲି ସ୍ୱାଗତ ବାବୁଙ୍କ ଘରେ ଝଗଡ଼ା ଲାଗିଲା କାହିଁକି ?

ଆଜ୍ଞା ! ଆମ ସରକାର କେତେବେଳ କଣ କରୁଛନ୍ତି ତାକୁ ଜାଣିବା ମୁସ୍କିଲ । ଜୁନ୍ ମାସରେ ଅନ୍‌ଲକ୍ ୧-୦ରେ ପ୍ରତି ଶନିବାର ରବିବାରକୁ ସଟ୍ ଡାଉନ୍ ଘୋଷଣା କଲେ । ରାତି ୭ରୁ ଭୋର ୫ଟା ଯାଏ ନାଇଟ୍ କର୍ଫ୍ୟୁ ଲାଗୁ କଲେ । ପୁଣି କଣ ମନକୁ ଆସିଲା କେଜାଣି ଲୋକଙ୍କ କଥା ଭାବି ସଜବାଜ ଆଗ ଦିନ ଅର୍ଥାତ୍ ଆଜି ଦିନରେ ତିନି ଘଣ୍ଟା ପାଇଁ କର୍ଫୁ କୋହଳ କରି ଦେଲେ । ଆଇନ୍ ସିନା କୋହଳ ହେଲା ହେଲେ ସମସ୍ତେ ଜାଣନ୍ତି କୋହଳ ହେଲେ କେଳାହଳ ବଢ଼େ । ସେକଥା ବୋଧହୁଏ ଭୁଲିଗଲେ ସରକାର ବାହାଦୂର । ଆଜି ସକାଳୁ ଧୀରେ ଧୀରେ ବିଭିନ୍ନ ମାର୍କେଟ୍ ଓ ବଜାର ଘାଟରେ ଭିଡ଼ ବଢ଼ିଲା ଏବଂ ଦୋକାନ ପରେ ଦୋକାନ ସିଲ୍ ହେବାକୁ ଲାଗିଲା। ଶେଷକୁ ରାଜଧାନୀର ପ୍ରମୁଖ କିଣାବିକା ଜାଗା ମାର୍କେଟ୍ ବିଲଡ୍‌ିଂ ସିଲ୍ ହୋଇଗଲା ।

MARKET-1ଏହାକୁ ନେଇ ଆମ ପଡ଼ୋଶୀ ଘରେ ଝଗଡ଼ା । ସ୍ୱାଗତ ବାବୁଙ୍କ ପତ୍ନୀ ସ୍ୱାମୀଙ୍କ ଉପରେ ରାଗି ପାଟି କରୁଥାନ୍ତି । ‘‘ତୁମକୁ କହୁଛି ଆମେ ସକାଳେ ଯାଇ କିଣି ଆଣିବା । ତୁମର କିନ୍ତୁ ବୁଦ୍ଧି ପଶିଲାନି । କହିଲା କଣ ନା ସରକାର ତ ରାତି ୧୦ଟା ପର‌୍ୟ୍ୟନ୍ତ ଦୋକାନ ବଜାର ଖୋଲା ରହିବାକୁ କହିଛନ୍ତି, ଏତେ ତର ତର କାହିଁକି ହେଉଛ? ଏବେ ପିଙ୍କି ଲାଗି କେଉଁଠୁ ଡ୍ରେସ୍ ଆଣିବ କୁହ ? ଦିନ ଗଡ଼େଇ ଗଡ଼େଇ ଆଜିକୁ କିଣାକିଣି ରଖିଥିଲ । ଏବେ ଭୋଗ । ଝିଅ କାନ୍ଦିଲେ କି ଅଝଟ କଲେ ତୁମେ ତାକୁ ବୁଝାଇବ । ମୁଁ ପାରିବିନି ।’’  ଏ କଥା କହି ପତ୍ନୀ ସିନା ଚାଲିଗଲେ ହେଲେ ଚଡ଼କ ପଡ଼ିଲା ସ୍ୱାଗତ ବାବୁଙ୍କ ମୁଣ୍ଡରେ । କାରଣ ଲକ୍‌ଡାଉନ୍ ଯୋଗୁଁ ଅନେକ ଦିନ ଅଫିସ୍ ବନ୍ଦ ରହିଲା । ତା ପରେ ଖୋଲିଲା ଯେ ଖାଲି କାମ ଆଉ କାମ । ତେଣୁ ଅଗରୁ ଝିଅ ପାଇଁ କିଛି କିଣି ପାରିଲେନି ।

ପ୍ରକୃତ କଥା ହେଉଛି ପତ୍ନୀ ଝିଅର ଡ୍ରେସ୍ ବାହାନାରେ ନିଜ ପାଇଁ ଶଢ଼ି କିଣି ଥାନ୍ତେ । ଖଣ୍ଡେ କି ଦୁଇ ଖଣ୍ଡ ନୁହେଁ ଟିକେ ଅଧିକ ଶାଢ଼ି ଏଥର ଧରିଥାନ୍ତେ । କାରଣ ଗତ ସାବିତ୍ରୀକୁ ତାଙ୍କୁ ଘରେ ଥିବା କମ୍ ଦାମ୍‌ର ଶାଢ଼ିରେ କାମ ଚଳାଇବାକୁ ପଡ଼ିଥିଲା । ତେଣୁ ରାଗଟା ବେଶି ବଢ଼ି ଯାଇଛି । ଝିଅକୁ ସିନା ବୁଝାଇ ହେବ ହେଲେ ପତ୍ନୀଙ୍କୁ ହାତ ଓଠ ଧରି ବୁଝାଇବା କଷ୍ଟ ।

MARKET-2ଆଜ୍ଞା ! ଏହି ଉଦାହରଣଟି ଦେବାର ତାତ୍ପର‌୍ୟ୍ୟ ହେଉଛି ଯେ କରୋନା କଟକଣା ଆମ ପାଇଁ କେତେ ଗୁରୁତ୍ୱ ରଖେ ତାକୁ ଟିକେ ଭଲ ଭାବେ ବୁଝି ହେବ । ଲକ୍‌ଡାଉନ୍‌ରେ ଘରେ ରହି କୋଭିଡ୍ ମୁଖପାତ୍ର ସୁବ୍ରତ ବାଗଚିଙ୍କ ପରାମର୍ଶ ଶୁଣି ଅନେକ ଆଲୋଚନା କରିଥିଲେ । ଅନେକ କଥା ମିନିଥିଲେ । ହେଲେ ଅସଲ ବେଳାକୁ ସବୁ ଭୁଲି ଗଲେ । ଖାଲି ମାସ୍କ ପିନ୍ଧି ଦେଲେ ବୋଧହୁଏ କରୋନା ଭାଇରସ୍ ପଳାଇବ ବୋଲି ଭାବି ନେଲେ । ଆଉ କିଛି ଲୋକଙ୍କ ମନରେ ତ ଆଦୌ ଭୟ ନାହିଁ । କି କରୋନା ହୋ । ଇଏ ଖାଲି ଅଯଥାରେ ଡରାଉଛନ୍ତି । ଏଭଳି ମଧ୍ୟ ଶୁଣିବାକୁ ମିଳୁଛି ।

MARKET-3ରଜ ପାଳିବାକୁ ଏତେ ଆଗ୍ରହ ଯେ ହାଟ ବଜାରରେ ସାମାଜିକ ଦୂରତା କଥା ସମସ୍ତେ ଭୁଲିଗଲେ । ଲୁଗା ଦୋକାନରେ ତିନି ମାସ ହେଲା ବିକ୍ରିବଟା ବନ୍ଦ ଥିଲା । କିଛି ଦୋକାନୀ ସେସବୁକୁ କ୍ଲିୟରାନ୍ସ ସେଲ୍ କରିବା ପାଇଁ ଅଫର୍ ଦେଇ ଦେଲେ । ତୁଣ୍ଡ ବାଇଦ ଭଳି ଏହା ଚାରିଆଡ଼େ ମାଡ଼ିଗଲା ଏବଂ ନିର୍ଦ୍ଦିଷ୍ଟ କିଛି ଦୋକାନରେ ପ୍ରବଳ ଭିଡ଼ ହେଲା । ଶେଷରେ ଦୋକାନ ହେଲା ସଟ୍‌ଡାଉନ୍ ।
ସେପଟେ ରଜ ପାନ ଦୋକାନକୁ କୁଆଡ଼େ ସରକାର ଅନୁମତି ଦେଇଛନ୍ତି । ପାନ ଖାଇବ ହେଲେ ବାହାରେ କେଉଁଠି ଛେପ ପକାଇବ ନାହିଁ । ‘ଇଟିଂ ବିଟିଲ୍ ବଟ୍ ନଟ୍ ସ୍ପିଟିଂ’ । ଇଏ କେମିତି କଥା ହେ ?

MARKET-4

ଏମିତି ଆଉ କିଛି ଆଇନ୍ ଲୋକଙ୍କୁ ଯେତିକି ଅଡୁଆରେ ପକାଇ ନାହିଁ ତାଠାରୁ ବେଶି ସମସ୍ୟାରେ ପକାଇଛି ସରକାର ଓ ପ୍ରଶାସନକୁ । ତେବେ ନିୟମରେ ଢିଲା କଲେ ଲୋକଙ୍କୁ ଆକଟ କରିବା ମୁସ୍କିଲ ହୋଇପଡୁଛି ବୋଲି ସରକାର ଏବେ ପୂରାପୂରି ବୁଝି ସାରିଥିବେ । ତେଣୁ ରୁଲ୍ ବାଡ଼ି ଧରି ‘ରୁଲ’ ନ କଲେ ଏଠି ଲୋକଙ୍କୁ ସମ୍ଭାଳିବା ମୁସ୍କିଲ । ଯେପର‌୍ୟ୍ୟନ୍ତ ଲୋକେ ନିଜେ ଶୃଙ୍ଖଳିତ ନହୋଇଛନ୍ତି, ଅବୁଝାରୁ ବୁଝିବାବାଲା ନହୋଇଛନ୍ତି ସେ ଯାଏ ଏ କରୋନା ଦୂର ହେବ ବୋଲି ଆମେ ଆଶା କରିବା ବୃଥା ହେବ ।
ରାଜଧାନୀ ଭୁବନେଶ୍ୱରରେ କରୋନା ପୁଣି ତାର କାୟା ମେଲାଇଲାଣି । ଏ ଭିତରେ ସରକାର ଓ ସ୍ଥାନୀୟ ପ୍ରଶାସନ ଯାହା ପ୍ରତିକାର କରିବା କଥା କରୁଛି । ହେଲେ ଲୋକେ କଣ କରୁଛନ୍ତି ?
କେଇ ଦିନ ତଳେ ମୁମ୍ବାଇରେ ଟିକେ କଟକଣା କୋହଳ କରାଗଲା । ଆଉ ଫଳସ୍ୱରୂପ ହଜାର ହଜାର ଲୋକ ମେରାନ୍ ଡ୍ରାଇଭ୍‌ରେ ଯଡଲ ମାରିଲେ । ଯେମିତି ମେଳା ମହୋତ୍ସବ ହେଉଛି । ଏହାକୁ ଦେଖି ସେଠାକାର ଜଣେ ଡାକ୍ତର କଣ କହିଲେ ଜାଣନ୍ତି ‘‘ଲୋକଙ୍କ ପାଇଁ ଆମେ ଦିନ ରାତି ପରିଶ୍ରମ କରୁଛୁ । କୋଭିଡରୁ ସେମାନଙ୍କୁ ରକ୍ଷା କରିବା ପାଇଁ ନିଜ ପରିବାରକୁ ଦୂରେଇ ଅବିଶ୍ରାନ୍ତ ଭାବେ ଖଟି ଚାଲିଛୁ । ଦୈନିକ ଆମ ହସପିଟାଲରୁ ମୃତଦେହ ସବୁ ଶ୍ମଶାନକୁ ଯାଉଛି । ହେଲେ ଲୋକେ କିନ୍ତୁ ଏହାର ଗମ୍ଭୀରତା କିମ୍ବା ଆମ ପରିଶ୍ରମର ମୂଲ୍ୟକୁ ବୁଝି ନାହାନ୍ତି ’’।

MUMBAI-1ସତରେ ସେହି ଡାକ୍ତର ଜଣକୁ ଖୁବ୍ ବାଧିଛି ଲୋକମାନଙ୍କର ଏଭଳି ବ୍ୟବହାର । ସେମାନ ଆମ ପାଇଁ ଖାଲି ଡାକ୍ତର ନୁହନ୍ତି, ମଣିଷ ମଧ୍ୟ । ସେମାନଙ୍କ ଭଳି ଅନ୍ୟ କରୋନା ଯୋଦ୍ଧାମାନେ ଯେଉଁ ପରିଶ୍ରମ କରୁଛନ୍ତି ତାକୁ ଆମେ ମାଟିରେ ମିଶାଇ ଦେଉ ନାହିଁ କି ? ଏ ପ୍ରଶ୍ନର ଅନେକ ଉତ୍ତର ନିଶ୍ଚୟ ଥିବ । ହେଲେ ମାନବିକତା ଓ ଶୃଙ୍ଖଳା କଥା ଯଦି ଚିନ୍ତା କରିବା ତେବେ ହୁଏତ କରୋନା ଯୋଦ୍ଧାମାନଙ୍କ କଷ୍ଟ ଆମେ ବୁଝି ପାରିବା । ବର୍ତ୍ତମାନ ପରିସ୍ଥିତିରେ କେବଳ ଧୈର‌୍ୟ୍ୟ ଧରିବା ହିଁ ଏକମାତ୍ର ପନ୍ଥା ।

ହିମାଂଶୁ ଶେଖର ପତିମିଶ୍ର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.