ଫେସ୍‌ ମାସ୍କ ଜାଗାରେ ମୁହଁରେ ପେଣ୍ଟ୍‌ କରାଇଥିଲେ ଯୁବତୀ, ଧରାପଡ଼ିବା ପରେ ମିଳିଲା ଏମିତି ଦଣ୍ଡ

କରୋନାର ଏହି ସଙ୍ଗୀନ ସ୍ଥିତିରେ ବୈଜ୍ଞାନିକ ଓ ଡାକ୍ତରମାନେ ସଂକ୍ରମଣରୁ ବର୍ତ୍ତିବା ପାଇଁ ଲୋକଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଉଛନ୍ତି। କିନ୍ତୁ କିଛି ଲୋକ ଏହାକୁ ହେୟଜ୍ଞାନ କରୁଛନ୍ତି। ମାସ୍କ ସୁନ୍ଦରତାକୁ ନଷ୍ଟ କରି ଦେଉଛି ବୋଲି ସେମାନେ ଭାବୁଛନ୍ତି। ଏହାରି ଭିତରେ ବାଲିରୁ ଏମିତି ଏକ ମାମଲା ସାମ୍ନାକୁ ଆସିଛି, ଯାହା ବିଷୟରେ ଶୁଣିଲେ ଆପଣ ବି କ୍ରୋଧ ପ୍ରକାଶ କରିବେ। ଜଣେ ଯୁବତୀ ମୁହଁରେ ମାସ୍କ ନ ପିନ୍ଧି ସେହି ଜାଗାରେ ପେଣ୍ଟ୍‌ କରାଇବା ତାଙ୍କ ପାଇଁ ଭାରି ପଡ଼ିଯାଇଛି। ଏଥିପାଇଁ ଯୁବତୀଙ୍କ ପାସ୍‌ପୋର୍ଟକୁ ଏବେ ଜବତ କରି ନିଆଯାଇଛି।

ବାଲିରେ ନିକଟରେ ଜଣେ ଯୁବତୀ ଓ ଜଣେ ମହିଳା ସୁପରମାର୍କେଟ ବୁଲିବାକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ଯୁବତୀ ଜଣକ ଯେଉଁ ମାସ୍କ ପିନ୍ଧିଥିଲେ, ତାହା ପ୍ରକୃତରେ କୌଣସି ମାସ୍କ ନ ଥିଲା, ବରଂ ମୁହଁରେ ହୋଇଥିଲା ଠିକ୍‌ ସେହିଭଳି ପେଣ୍ଟିଂ। ଲୋକ ଏବଂ ଦୋକାନୀଙ୍କୁ ବୋକା ବନାଇବା ପାଇଁ ନୀଳ ରଙ୍ଗର ସର୍ଜିକାଲ ମାସ୍କ ପେଣ୍ଟ୍‌ କରାଇଥିଲେ ଯୁବତୀ। ଏହି ଯୁବତୀଙ୍କ ନାଁ ଲୀୟା ଓ ତାଙ୍କ ସହିତ ଥିବା ମହିଳାଙ୍କ ନାଁ ଜୋଶ ପାଲର ଲିନ୍‌ ବୋଲି ଜଣାପଡ଼ିଛି। ଦୁଇଜଣ ସୁପରମାର୍କେଟରେ ବୁଲୁଥିବା ବେଳେ କେହି ଜଣେ ସେମାନଙ୍କ ଭିଡିଓ ବନାଇ ତାହାକୁ ଭାଇରାଲ କରିଦେଇଥିଲା।

ଯଦିଓ ପରେ ଜଣାପଡ଼ିଥିଲା କି, ଲୋକେ ଯେପରି ତାଙ୍କ ଉପରେ ଅଧିକ ଫୋକସ୍‌ କରିବେ ଏବଂ ତାଙ୍କ ଭିଡିଓକୁ ଅଧିକରୁ ଅଧିକ ଭ୍ୟୁ ମିଳିପାରିବ, ସେଥିପାଇଁ ଯୁବତୀ ଜଣକ ଏଭଳି କାରନାମା କରିଥିଲେ। କିନ୍ତୁ ଭିଡିଓଟି ଭାଇରାଲ ହେବା ପରେ ଲୋକେ ସେମାନଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ। ସେପଟେ ଇଣ୍ଡୋନେସିଆ ପ୍ରଶାସନ ବି ଦୁଇ ଜଣଙ୍କର ପାସ୍‌ପୋର୍ଟ ଜବତ କରିଥିବା ଜଣାପଡ଼ିଛି। ତେବେ ଲୀୟା ଜଣେ ରୁଷୀୟ ନାଗରିକ ଥିବା ବେଳେ ଜୋଶ ତାଇଓ୍ଵାନର ନାଗରିକ ଥିଲେ। ଏହି ଘଟଣାରେ ତାଙ୍କ ଉପରେ ନିର୍ବାସନ ଆଶଙ୍କା ପ୍ରକାଶ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.