ଆଦିବାସୀ ମହିଳା ଗାୟତ୍ରୀ….ଦିନ ମଜୁରିଆରୁ ସଫଳ ଚାଷୀ : ଏକ ପ୍ରେରଣାଦାୟୀ ବାସ୍ତବ କାହାଣୀ

ଯଦି ନିଜେ ଶକ୍ତିମାନ୍‌ ନାରୀ.. ତେବେ କିଏ କହିବ ତାକୁ ବିଚାରି ?

() ୬୧୦ଟି ଆପୁଲ୍‌ ବେରି ଗଛ, ୮୪୦ଟି କାଜୁ ଗଛ। କାଜୁ ଗଛର ବୟସ ଦୁଇବର୍ଷ । ଆଉ ବର୍ଷେ ଲାଗିବ ଫଳ ଧରିବାକୁ। ସେମିତି ଆପୁଲ୍‌ ବେରି ବି ଛ ମାସର। ବର୍ଷକର ହେଲେ ଯାଇ ଫଳ ଫଳିବ। ତେଣୁ ଏଯାଏ ଗୋଟିଏ ବି ଟଙ୍କା ରୋଜଗାର ହେଇନି। ହେଲେ ଆଶା ଏତକ, ଗଛରେ ଫଳ ଫଳିଲେ ଆମ ଅବସ୍ଥା ଟିକିଏ ସୁଧୁରିବ।’ ଗାୟତ୍ରୀ ଦେହୁରୀ । ଆଦିବାସୀ ମହିଳା । ଘର ଯାଜପୁର ଜିଲ୍ଲା ସୁକିନ୍ଦା ପଞ୍ଚାୟତର କଅଁସ ଗାଁରେ। ବୟସ ପାଖାପାଖି ୪୨ ହେବ । ସ୍ୱାମୀ ଦିନ ମଜୁରିଆ। ଆଉ ଦି’ ଛୁଆ ଏବେ ପାଠ ପଢୁଛନ୍ତି। ଆଗରୁ ଗାୟତ୍ରୀ ବି ଅନ୍ୟମାନଙ୍କ ଜମିରେ ଦିନ ମଜୁରିଆ ଭାବେ କାମ କରୁଥିଲେ। ହେଲେ ଏବେ ନିଜ ପାଇଁ କାମ କରୁଛନ୍ତି। ଆଉ କିଛି ମହିଳାଙ୍କୁ ଆତ୍ମନିର୍ଭରଶୀଳ ହେବାକୁ ପ୍ରେରଣା ବି ଦେଇଛନ୍ତି। ସାତଟି ପରିବାରର ୧୦ ଜଣ ମହିଳା ଓ ଝିଅ ମିଶି ୧୦ ଏକର ଜାଗାରେ ଆପୁଲ୍‌ ବେରି ଓ କାଜୁ ଗଛ ଲଗାଇଛନ୍ତି। ତା’ଛଡ଼ା ବଳକା ଜାଗାରେ ମକା, ଭେଣ୍ଡି, ଲାଉ, ଝୁଡ଼ଙ୍ଗ, ବାଇଗଣ, କନ୍ଦମୂଳ, ବୋଇତି କଖାରୁ ଆଦି ବି ଚାଷ କରିଛନ୍ତି। ଗାଁ ହାଟରେ ବିକି ଦୁଇପଇସା ରୋଜଗାର କରୁଛନ୍ତି।

ହାତୀ, ଭାଲୁ, ବାରହା ପରି ବିଭିନ୍ନ ପଶୁଙ୍କ ସହ ମଣିଷଙ୍କଠୁ ବି ତାଙ୍କ ଚାଷକୁ ରକ୍ଷା କରିବାକୁ ପଡୁଛି। ଫସଲ ତ’ ଫସଲ ତାରବାଡ଼କୁ ବି ଲୋକେ ଚୋରାଇ ନେଉଛନ୍ତି। ଜଙ୍ଗଲ ପାହାଡ଼ ଘେରା କଅଁସ ଗାଁ। ଆଗରୁ ରାସ୍ତାଘାଟ, ସ୍କୁଲ୍‌ କଲେଜ୍‌ କିଛି ନଥିଲା। ପିଲାମାନେ କେବଳ ପଞ୍ଚମ ଯାଏଁ ହିଁ ପଢ଼ି ପାରୁଥିଲେ। ବନ୍ୟଜନ୍ତୁଙ୍କ ଭୟରେ ପିଲାମାନଙ୍କୁ ଦୂର ସ୍କୁଲ୍‌କୁ ଛାଡ଼ି ହେଉନଥିଲା। ଆଗରୁ ପିଲାଏ ପଞ୍ଚମ ପଢ଼ିଲା ପରେ ପାଠରେ ଡୋରି ବାନ୍ଧୁଥିଲେ। କିଛିପିଲା ଦୂର ସମ୍ପର୍କୀୟଙ୍କ ଘରେ ରହି ପାଠ ପଢୁଥିଲେ। ହେଲେ ଏବେ ଅଷ୍ଟମ ଯାଏ ପିଲାଏ ଗାଁ ସ୍କୁଲ୍‌ରେ ପାଠ ପଢୁଛନ୍ତି। ପରେ ପାଖ ସ୍କୁଲ୍‌କୁ ବସ୍‌ରେ ଯାଉଛନ୍ତି। ଗାୟତ୍ରୀ ଦେହୁରୀଙ୍କ ଝିଅ ଏବେ ନର୍ସିଂ କରୁଛି, ଆଉ ପୁଅ ପଢୁଛି ଦଶମରେ।

ଆଗରୁ ଆମେ ସମସ୍ତେ ଦିନ ମଜୁରିଆ ପରି ଅନ୍ୟ ଜମିରେ କାମ କରୁଥିଲୁ। ହେଲେ ଏବେ ନିଜ ଜମିରେ ପନିପରିବା ଚାଷ କରୁଛୁ। ଗାଁ ହାଟରେ ବିକ୍ରି କରୁଛୁ। ଆମ ଗାଁର କିଛି ଥିଲା ବାଲା ଚାହୁଁ ନାହାନ୍ତି ଏସବୁ ହେଉ। ତେଣୁ ଆମ ଚାଷର ତାରବାଡ଼ ବାରମ୍ବାର ଚୋରି ହେଉଛି। ଆମେ ପୋଲିସ୍‌କୁ ବି ବହୁବାର ଜଣାଇଛୁ। ତେଣୁ ଏବେ ଆମେ ମହିଳାମାନେ ପାଳି କରି ଜଗୁଛୁ।

ଗୀତାଞ୍ଜଳି ଦେହୁରୀ (ବୟସ ୩୨) ବହୁ ସଂଘର୍ଷ ପରେ ଜଙ୍ଗଲ ଜମିର ଅଧିକାର ମିଳିଲା। ପରେ ମିଳିଲା ଜମିପଟ୍ଟା। ହେଲେ ଘରଠୁ କିଛି ଦୂରରେ। ଏକା ଜାଗାରେ ୧୦ ଜଣଙ୍କୁ ମିଳିଥିଲା। ହେଲେ ୭ଟି ପରିବାର ହିଁ ଏକାଠି ଚାଷ କରିବାକୁ ରାଜି ହେଲେ। ତେଣୁ ପ୍ରଥମେ ଜମିରେ ମାଟି ପକାଇ ଧୀରେ ଧୀରେ ଚାଷ ଉପଯୋଗୀ କଲୁ। ପାଣିର ସୁବିଧା ନଥିଲା। ତେଣୁ ପ୍ରଥମେ ଗୋଟେ କିଲୋମିଟର ଦୂରରୁ ପାଣି ବୋହି ବୋହି ଆଣୁଥିଲୁ। ବଡ଼ କଷ୍ଟରେ ଚାଷ କରୁଥିଲୁ। ଏବେ ଦୁଇଟି ପୋଖରୀ ଅଛି। ସାତ ପରିବାରର ପାଞ୍ଚ ମହିଳା ଓ ପାଞ୍ଚ ଝିଅ ମିଳିମିଶି ଚାଷ କରୁଛୁ। ଏମିତି କି ଆମେ ଆମ ଜମିକୁ ସବୁଦିନ ପାଳି କରି ଜଗୁଛୁ। ତିନିଥାକିଆ ମଞ୍ଚା କରିଛୁ। ମହିଳାମାନେ ଆମେ ସନ୍ଧ୍ୟା ୫ଟାରୁ ରାତି ଏଗାର ଯାଏ ଜଗୁ। ଆଉ ଆମ ଘରର ପୁରୁଷମାନେ ରାତି ଏଗାରରୁ ରାତି ପାହିବା ଯାଏ ଜଗନ୍ତି । ଆମ ସହ ଜଣେ ଦିବ୍ୟାଙ୍ଗ ମଧ୍ୟ ଅଛନ୍ତି। ଯାହାଙ୍କର ବାପାମାଆ ନାହାନ୍ତି।

GAYTRI AND OTHERS

ଗାୟତ୍ରୀ ଦେହୁରୀଙ୍କ କଥା ହିଁ ସ୍ପଷ୍ଟ କରି ଦେଉଥିଲା ସେମାନଙ୍କ ସଂଘର୍ଷ । ଅନେକ ପ୍ରତିବନ୍ଧକ ଓ ବାଧାବିଘ୍ନ ସତ୍ତ୍ୱେ ବି ସେମାନେ ଏବେ ନୂଆ ରାହା ପାଇଛନ୍ତି। ହେଲେ ଆଜି ବି ଗାଁରେ ଭଲ ସ୍କୁଲ୍‌, କଲେଜ, ଡାକ୍ତରଖାନାର ଆବଶ୍ୟକତା ରହିଛି। ଗାଁରେ ଏବେ ମଧ୍ୟ ମୋବାଇଲ୍‌ ନେଟ୍‌ୱର୍କ ନାହିଁ। କେବଳ ଚାଷ ଜମି ଜଗିବା ଜାଗାରେ ହିଁ ମଞ୍ଚା ଉପରେ ଟିକିଏ ଯାହା ନେଟ୍‌ୱର୍କ ଆସୁଛି। ବାକି ସମୟ ବାହ୍ୟଜଗତରୁ ସେମାନେ ବିଚ୍ଛିନ୍ନ।

ସେମିତି ଡାକ୍ତରଖାନା ସୁବିଧା ବି ନାହିଁ। କିଛି ବି ରୋଗ ହେଲେ ଗାଁରୁ ବହୁ ଦୂରକୁ ଯିବାକୁ ପଡ଼େ। ଗାଁରୁ ଅନ୍ୟ ଜାଗାକୁ ଯାଆସ କରିବା ସୁବିଧା ବି ବେଶ୍‌ ସୀମିତ । ହେଲେ ଗାୟତ୍ରୀ ଓ ତାଙ୍କ ସାଥୀମାନଙ୍କ ପାଇଁ ଏସବୁ ଏବେ ପ୍ରତିବନ୍ଧକ ସାଜିନି। ବରଂ ସେଇ ସୀମିତ ସୁବିଧାର ସୁଯୋଗ ନେଇ ସେମାନେ ନିଜକୁ ସ୍ୱାବଲମ୍ବୀ କରିବାର ସବୁ ବାଟ ଖୋଜି ନେଇଛନ୍ତି । କେବଳ ନିଜେ ଆଗକୁ ବଢୁ ନାହାନ୍ତି ବରଂ ଅନ୍ୟମାନଙ୍କୁ ସାଙ୍ଗରେ ନେଇ ସମୂହ ଭାବରେ ଆଗକୁ ପାଦ ବଢ଼ାଇଛନ୍ତି। ଆଉ ପରୋକ୍ଷରେ ବିଭିନ୍ନ ସ୍ଥାନରେ ଥିବା ଅନେକ ମହିଳାଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି। କଥାରେ ଅଛି, ମନ ଥିଲେ ଧନ ଅଛି । ଗାୟତ୍ରୀଙ୍କ କାହାଣୀ ଠିକ୍‌ ସେହିଭଳି । ଯାହା କହୁଛି ଦୃ ଢ଼ମନୋବଳର କଥା, ଏକତାର କଥା । ଲକ୍ଷ୍ୟ ସ୍ଥିର କରି ଆଗେଇବାର କଥା । ଏଥିରୁ ସ୍ପଷ୍ଟ ଯେ ମହିଳାଙ୍କ ଭିତରେ ରହିଛି ଅମାପ ଶକ୍ତି । ଖାଲି ନିଜକୁ ଚିହ୍ନିବା ବାକି । ଜଣେ ଦୃଢ଼ମନା ମହିଳା ନିଜ ପାଇଁ ଠିଆ ହୁଏ କିନ୍ତୁ ଜଣେ ଅତିଦୃଢ଼ମନା ମହିଳା ଅନ୍ୟ ମହିଳାଙ୍କ ପାଇଁ ପ୍ରେରଣା ସାଜେ । ଯାହା ଗାୟତ୍ରୀ ସାଜିଛନ୍ତି ।

ଡ. ସୌମ୍ୟା ପରିଡ଼ା, ଡେପୁଟି ଏଡିଟର୍‌, କଳିଙ୍ଗ ଟିଭି

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.