ଏମିତି ଏକ ପରିବାର ଯେଉଁଠି ଦୈନିକ ଖିଆଯାଏ ୧୦୦ କେଜି ଚାଉଳ, ୬୦ କେଜି ଆଳୁ

ଏବେ ଆଗଭଳି ଆଉ ଯୌଥପରିବାର ଦେଖିବାକୁ ମିଳୁନାହିଁ। ଲୋକମାନେ ଏକକ ପରିବାରରେ ରହିବାକୁ ଆଗ୍ରହ ପ୍ରକାଶ କରୁଥିବାରୁ ଯେତେ ଭାଇ ସେତେ ଘର ନ୍ୟାୟରେ ଏବେ ସମସ୍ତେ ଅଲଗା ରହୁଥିବା ଦେଖିବାକୁ ମିଳୁଛି। କିନ୍ତୁ ଭାରତରେ ଏବେ ବି ଏମିତି ଏକ ପରିବାର ରହିଛି ଯେଉଁଠାରେ ସମସ୍ତେ ଏକାଠି ବାସ କରୁଛନ୍ତି। ମିଜୋରାମ୍‌ରେ ଏକ ପରିବାରର ୧୮୧ ଜଣ ଏକାଠି ରହୁଥିବା ଜଣାଯାଇଛି।

ଏହି ବୃହତ୍ତମ ପରିବାରର ମୁଖିଆ ହେଉଛନ୍ତି ଜିଓନା। ଜିଓନାଙ୍କୁ ଏବେ ୭୪ ବର୍ଷ ହୋଇଥିବା ବେଳେ ସେ ୩୯ ଜଣଙ୍କୁ ବିବାହ କରିଛନ୍ତି। ତାଙ୍କ ସମୁଦାୟ ଛୁଆ ସଂଖ୍ୟା ହେଉଛନ୍ତି ୯୪। ଜିଓନାଙ୍କର ୧୪ ଜଣ ବୋହୂ ଥିବା ବେଳେ ୩୩ ଜଣ ନାତିନାତୁଣୀ ଅଛନ୍ତି। ମୋଟ ୧୮୧ ଜଣ ସଂଖ୍ୟା ବିଶିଷ୍ଟ ଏହି ପରିବାର ଏକାଠି ମିଜୋରାମ୍‌ର ବକ୍ତାଓ୍ଵାଙ୍ଗ୍‌ ଗାଁରେ ବାସ କରୁଛନ୍ତି। ଜିଓନା ମାତ୍ର ୧୭ ବର୍ଷ ବୟସରେ ନିଜଠୁ ୩ ବର୍ଷ ସାନ ଜାଥିଆନ୍‌ଜିଙ୍କୁ ପ୍ରଥମ ବିବାହ କରିଥିଲେ। ପରେ ସେ ଗୋଟିଏ ପରେ ଗୋଟିଏ ମୋଟ୍‌ ୩୯ ଜଣଙ୍କୁ ବିବାହ କରିଛନ୍ତି। ପୂରା ପରିବାର ରହିବାକୁ ଜିଓନା ୪ଟି ପ୍ରାସାଦ ନିର୍ମାଣ କରିଛନ୍ତି। ଯାହା ଏକ ବୋର୍ଡିଂ ସ୍କୁଲ ଭଳି ପ୍ରତୀୟମାନ ହୋଇଥାଏ। ଏହି ଘରର ନାମ ହେଉଛି ‘ଛୁଆନା ଥର୍‌ ରନ୍‌’ ଅର୍ଥାତ୍‌ ନୂଆ ପିଢ଼ିଙ୍କ ଗୃହ।

ଜିଓନା ନିଜ ପତ୍ନୀମାନଙ୍କ ସହ ଏକ କୋଠାରେ ହିଁ ବାସ କରନ୍ତି। ସବୁଠାରୁ କମ୍‌ ବୟସ୍କ ପତ୍ନୀ ଜିଓନାଙ୍କ ରୁମ୍‌ ନିକଟରେ ରହୁଥିବା ବେଳେ ଅନ୍ୟମାନେ ଉପର ମହଲାରେ ରହିଥାନ୍ତି। ଜିଓନା ୨୦୧୨ ମସିହାରେ ୪୦ ତମ ପତ୍ନୀ ଗ୍ରହଣ କରିଛନ୍ତି। ସମ୍ପୃକ୍ତ ମହିଳା ଜିଓନାଙ୍କ ଠାରୁ ବହୁତ ସାତ। ତାଙ୍କ ବୟସ ମାତ୍ର ୩୦ ବର୍ଷ ହୋଇଥିବା ବେଳେ ଏକ ୫ ବର୍ଷର ଝିଅ ରହିଛି। ୩୯ ଜଣ ପତ୍ନୀଙ୍କ ମଧ୍ୟରୁ ୨୨ ଜଣଙ୍କ ବୟସ ୪୦ରୁ କମ୍‌। ସମସ୍ତେ ସପ୍ତାହେ ଲେଖାଏଁ ଜିଓନାଙ୍କ ସହ ସମୟ ବିତାଇଥାନ୍ତି।

ଜିଓନାଙ୍କ ପରିବାର ମୁଖ୍ୟତଃ ଚାଷବାସ କରି ଜୀବିକା ନିର୍ବାହ କରିଥାନ୍ତି। ସେ ନିଜ ପିଲାଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍କୁଲ ମଧ୍ୟ ପ୍ରତିଷ୍ଠା କରିଛନ୍ତି। ପରିବାରର ମହିଳାମାନେ ରୋଷେଇବାସ କରିବା ସହ ଲୁଗାପଟା ସଫା, ଘର ସଫା କରିବା, ପୁରୁଷଙ୍କୁ କୃଷିକାର୍ଯ୍ୟରେ ସାହାଯ୍ୟ କରିବା, ଆଲୁମିନିୟମ୍‌ ବାସନକୁସନ ତିଆରି କରିବା, କାଠ କାମ କରିବା ଆଦି କାର୍ଯ୍ୟ କରିଥାନ୍ତି।

ଏହାସହ ପଢନ୍ତୁ: କେତୁଙ୍କ ଏହି ମନ୍ଦିରରେ ଲାଗି ହେଉଥିବା କ୍ଷୀରର ବଦଳିଯାଏ ରଙ୍ଗ, କାରଣ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ଏହି ପରିବାରର ଏକ ନିୟମ ହେଉଛି ସମସ୍ତେ ସକାଳ ୫.୩୦ରୁ ଉଠି ନିତ୍ୟକର୍ମ ସାରି ପ୍ରାର୍ଥନା କରିବେ। ପରେ ସମସ୍ତଙ୍କୁ କାମ ଦିଆଯାଇଥାଏ। ବିରାଟ ହଲ୍‌ରେ ସମସ୍ତେ ଏକାଠି ବସି ଖାଦ୍ୟଗ୍ରହଣ କରିଥାନ୍ତି। ପରିବାରର ରାତ୍ରିଭୋଜନ କରିବା ସମୟ ହେଉଛି ଅପରାହ୍ନ ୪ଟାରୁ ୬ଟା। ସେହିପରି ରାତି ୯ଟା ବେଳକୁ ଘରର ଲାଇଟ୍‌ ଅଫ୍‌ ହେବା ନିୟମ ରହିଛି। ପରିବାରରେ ପ୍ରତିଦିନ ୧୦୦ କେଜିର ଚାଉଳ, ୬୦ କେଜି ଆଳୁ ଓ ୩୯ କେଜି ଚିକେନ୍‌ ରନ୍ଧାଯାଏ। ତେବେ ଜିଓନା ପୃଥିବୀର ସବୁଠାରୁ ଅଧିକ ପତ୍ନୀ ଗ୍ରହଣ କରିବାକୁ ଇଚ୍ଛୁକ ବୋଲି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.