ଦୀର୍ଘ ବର୍ଷ ଧରି ଏହି ଭକ୍ତ ରାମଲାଲାଙ୍କର ୧୦୮ ପରିକ୍ରମା କରୁଛି, ଶ୍ରଦ୍ଧା ଦେଖି ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ
ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ର। ଏଇ ନାଁଟିରେ ଯେମିତି ମାଧୁର୍ଯ୍ୟ ଭରି ରହିଛି। ତାଙ୍କର ରୂପ ଦେଖିଲେ ମନକୁ ଶାନ୍ତି ଲାଗେ। ଅନେକ ଭକ୍ତ ଅଛନ୍ତି, ଯେଉଁମାନେ କି ତାଙ୍କରି ଦ୍ୱାରା ଅନୁପ୍ରାଣିତ ହୋଇଛନ୍ତି। ତେବେ ଭଗବାନ ରାମଙ୍କର ବଡ଼ ଭକ୍ତ କାକ ଭୁସଣ୍ଡିଙ୍କ ବିଷୟରେ ଆପଣ ନିଶ୍ଚୟ ଶୁଣିଥିବେ। ରାମାୟଣରେ ଏହାର ଉଲ୍ଲେଖ ରହିଛି। ହେଲେ ଆଜି ଆମେ ଏମିତି ଜଣେ ଭକ୍ତଙ୍କ ବିଷୟରେ କହିବାକୁ ଯାଉଛୁ ଯାହାର ଭକ୍ତି ଅତୁଳନୀୟ। ତାହା ପୁଣି ଏ କଳିଯୁଗରେ। ଅଯୋଧ୍ୟା ନଗରୀରେ ପ୍ରଭୁ ଶ୍ରୀରାମଙ୍କର ଏପରି ଜଣେ ଭକ୍ତ ଅଛନ୍ତି, ଏହା ଜାଣିବା ପରେ ସେହି ଭକ୍ତ ପାଖରେ ଆପଣଙ୍କର ମଧ୍ୟ ମୁଣ୍ଡ ନଇଁଯିବ । ତାର ଆଚାର ବ୍ୟବହାର ଦେଖିଲେ ଆପଣ ବି କହିବେ ଇଏ ହେଉଛି ଦେବତୁଲ୍ୟ। ବୋଧହୁଏ ଅଭିଶାପ ପାଇ ପୃଥିବୀରେ ଜନ୍ମ ହୋଇଛି।
ଭଗବାନ ରାମଙ୍କ ଜନ୍ମସ୍ଥାନ ଅଯୋଧ୍ୟାଠାରୁ ପ୍ରାୟ ୨୨୦ କିଲୋମିଟର ଦୂରରେ ରହିଛି ଗୋରଖପୁର ଜିଲ୍ଲା ଭବନପୁର ଗାଁ। ସେଠାକାର ରଙ୍ଗ ମହଲ ମନ୍ଦିର ନିକଟରେ ଏକ ଗୋଶାଳା ଅଛି। ପ୍ରାୟ ୨୦ ବର୍ଷ ପୂର୍ବେ ଏଠାରେ ଏକ ଗାଈ ଜନ୍ମ ହୋଇଥିଲା। ଏହି ଗାଈର ନାଁ ରଖା ଯାଇଥିଲା ସରଯୁ। ଅଯୋଧ୍ୟାରେ ପ୍ରବାହିତ ପବିତ୍ର ସରଯୁ ନଦୀର ନାମ ଅନୁସାରେ ଏହି ଗାଈଟିର ନାମ ରଖା ଯାଇଥିଲା । ପ୍ରଭୁ ଶ୍ରୀରାମଙ୍କର ଜନ୍ମସ୍ଥାନ ପାଖରେ ଥିବା ରଙ୍ଗ ମହଲ ମନ୍ଦିରରେ ରହୁଛି ସରଯୁ । ଗାଈଟି ଯେମିତି ପ୍ରଭୁଙ୍କ ପ୍ରେମରେ ଲୀନ ହୋଇ ଯାଇଛି। ତାକୁ ଶ୍ରୀରାମଙ୍କ ବ୍ୟତୀତ ଆଉ ଯେମିତି କିଛି ଦିଶେ ନାହିଁ କିମ୍ବା ସେ ଆଉ କିଛି ଜାଣି ନାହିାଁ
ଆଶ୍ଚର୍ଯ୍ୟର କଥା ହେଉଛି ସରଯୁ ଗାଈ ଦିନକୁ ପ୍ରାୟ ୧୦୮ ଥର ପ୍ରଭୁ ରାମଙ୍କ ପ୍ରାଙ୍ଗଣରେ ପରିକ୍ରମା କରୁଛି। ତାଙ୍କ ପାଦତଳେ ପ୍ରଣାମ କରୁଛି। ଗତ ୨୦ ବର୍ଷ ଧରି ସରଯୁ, ଏଭଳି କରି ଆସୁଛି । ଖାଲି ସେତିକି ନୁହେଁ, ଗାଈ ସ୍ଵତନ୍ତ୍ର ଉତ୍ସବରେ ରାମ ମନ୍ଦିର ଚାରି ପାର୍ଶ୍ଵରେ ପରିକ୍ରମା କରିଥାଏ । ପରିକ୍ରମା ଶେଷ ହେବା ପରେ, ପ୍ରଭୁ ଶ୍ରୀରାମଙ୍କ ଆଡକୁ ଏମିତି ମୁଣ୍ଡ ରଖି ଛିଡ଼ା ହୁଏ, ସତେ ଯେମିତି ସେ ନିଜ ପ୍ରିୟ ପ୍ରଭୁଙ୍କୁ ପ୍ରଣାମ କରୁଛି। ସେ ପ୍ରଚଣ୍ଡ ଖରା ହେଉ କି ପ୍ରବଳ ବର୍ଷା ଅବା ଜାଡ଼ ଶୀତ, ଏକ ନିର୍ଦ୍ଦିଷ୍ଟ ସମୟରେ ସରଯୁ ଗାଈ ପ୍ରଭୁଙ୍କ ଚାରିପଟେ ପରିକ୍ରମା କରିବାକୁ ଭୁଲେ ନାହିଁ । ପ୍ରଥମେ ଏଠାକୁ ଆସୁଥିବା ଶ୍ରଦ୍ଧାଳୁମାନେ ଏହାକୁ ଲକ୍ଷ୍ର କରି ନଥିଲେ । ଯେତେବେଳେ ଜାଣିଲେ ସେତେବେଳେ ତାକୁ ବି ହାତ ଯେଶଡ଼ିଲେ । ଆଉ ସେ ପ୍ରଭୁଙ୍କୁ ପରିକ୍ରମା କଲଶ ବେଳେ ଲୋକମାନେ ତାକୁ ବାଟ ଦେଇ ଦିଅନ୍ତି ।
ଏହି ଗାଈଟିର ଆଧ୍ୟାତ୍ମିକ ଭାବ ଦେଖିଲେ ଆଚମ୍ବିତ ଓ ଅଭିଭୂତ ହୋଇପଡ଼ିବ । ଏହି କାରଣରୁ ସରଯୁ ଗାଈକୁ ରାମ ମନ୍ଦିର ନିର୍ମାଣ ଭୂମି ପୂଜନରେ ସ୍ବତନ୍ତ୍ର ଭାବେ ନିମନ୍ତ୍ରଣ କରାଯାଇଥିଲା । ଏହାକୁ ଶ୍ରୀରାମଙ୍କ ପାଖକୁ ନିଆଯାଇ ପୂଜା କରାଯାଇଥିଲା। ସେତେବେଳେ ସରଯୁ ଏତେ ଖୁସି ହୋଇଥିଲା ଯେ ତାର ହାବଭାବରୁ ଏହା ସ୍ପଷ୍ଟ ବାରି ହୋଇ ପଡୁଥିଲା । ଖାଲି ସେତିକି ନୁହେଁ, ସ୍ଥାନୀୟ ଲୋକଙ୍କ ଠାରୁ ଶୁଣିବାକୁ ମିଳେ କି ସରଯୁର ମା ମଧ୍ୟ ରାମଭକ୍ତ ଥିଲା । ତାର ନାଁ ହେଉଛି ଶ୍ୟାମା । ଶ୍ୟାମା ଖାଲି ଭକ୍ତିଭାବ ଦେଖାଉ ନଥିଲା, ତା ସହିତ ଏକାଦଶୀ ବ୍ରତ ମଧ୍ୟ ରଖୁଥିଲା । ଏକଥା ଲୋକେ ଲକ୍ଷ୍ୟ କରିବା ପରେ ତାକୁ ଏକାଦଶୀ ଦିନ ଫଳ ଆହାର ଦେଉଥିଲେ ।
ରଙ୍ଗ ମହଲ ମନ୍ଦିରର ମହନ୍ତ ରାମଶରଣ ଦାସ କୁହନ୍ତି ସରଯୁ ଗାଈ ଓ ତା ମା ବିଷୟରେ । ପୁଣି ହିନ୍ଦୁ ସମାଜରେ କାହିଁକି ଗାଈକୁ ପୂଜାର୍ଚ୍ଚନା କରାଯାଏ ସେକଥା ବି କୁହନ୍ତି । କଥ କହୁନଥିଲେ ମଧ୍ୟ ସରଯୁ ଗାଈର ସଂକଳ୍ପ ଥିଲା ଯେ ରାମଲାଲାଙ୍କ ଏକ ବିଶାଳ ମନ୍ଦିର ନିର୍ମାଣ ହେଉ। ଯେତେବେଳେ ସୁପ୍ରିମକୋର୍ଟରୁ ରାମଙ୍କ ବିଶାଳ ମନ୍ଦିର ନିର୍ମାଣ ପାଇଁ ଆଦେଶ ଆସିଲା, ସେତେବେଳେ ଏହି ଗାଈ ଜମି ପୂଜା ପାଇଁ ଯାଇଥିଲା। ଏମିତି ଲାଗୁଥିଲା ଯେ ତାର ସଂକଳ୍ପ ଆଜି ପୂରଣ ହୋଇଛି।
ରାମଶରଣ ଦାସ କହିଛନ୍ତି ଯେ ଦେଶ ତଥା ବିଦେଶରୁ ଆସୁଥିବା ଭକ୍ତମାନେ ସରଯୁ ଗାଈକୁ ଦର୍ଶନ କରିବା ସହିତ ତାକୁ ପୂଜା କରନ୍ତି। କେହି କେହି ରାମ ଭକ୍ତ ଏହି ଗାଈର ପାଦ ସେବା ବି କରନ୍ତି । ପୁଣି କେହି ଏହାକୁ ଭଲ ଭାବେ ଆଉଁସି ସ୍ନେହ ଯତ୍ନ କରନ୍ତି। ପୁଣି କିଏ ଖାଇବାକୁ ମଧ୍ୟ ଦିଅନ୍ତି । କୁହାଯାଉଛି କି ସରଯୁ ଅପେକ୍ଷା କରିଛି ରାମମନ୍ଦିରର ପୂର୍ଣ୍ଣ ନିର୍ମାଣକୁ ।