ଭାରତ-ପାକିସ୍ତାନ ବିଶ୍ୱକପ ମ୍ୟାଚ୍କୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି : ୧୧ ହଜାରରୁ ଅଧିକ ପୋଲିସ କର୍ମୀ, ବୋମା ନିଷ୍କ୍ରିୟକାରୀ ଟିମ୍ ନିୟୋଜିତ
ଭାରତ-ପାକିସ୍ତାନ ମଧ୍ୟରେ ହେବାକୁ ଥିବା ବିଶ୍ୱକପ ମ୍ୟାଚକୁ ଫ୍ୟାନ୍ସ ଅପେକ୍ଷା କରି ରହିଛନ୍ତି । ୧୪ ଅକ୍ଟୋବରରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବାକୁ ଥିବା ମ୍ୟାଚ ପାଇଁ ୧୧ ହଜାର ପୋଲିସ କର୍ମୀ, ବୋମା ନିଷ୍କ୍ରିୟକାରୀ ଟିମ୍ ନିୟୋଜିତ ରହିଛନ୍ତି ।
![ind vs pak wc](https://knewsodisha.com/wp-content/uploads/2023/10/ind-vs-pak-wc.jpg)
ଦିନିକିଆ ବିଶ୍ୱକପରେ ଭାରତ ମ୍ୟାଚ ଜିତି ବିଜୟ ଅଭିଯାନ ଆରମ୍ଭ କରିଛି । ଭାରତ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚ ଜିତିଥିବା ବେଳେ ଆଜି ଆଫଗାନିସ୍ତାନ ବିପକ୍ଷ ଦ୍ୱିତୀୟ ମ୍ୟାଚ ଖେଳିବ ଭାରତ । ସେହିପରି ଆସନ୍ତା ୧୪ ଅକ୍ଟୋବରରେ ଭାରତ-ପାକିସ୍ତାନ ମ୍ୟାଚ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ଏହି ହାଇଭୋଲଟେଜ ମ୍ୟାଚକୁ ଦୃଷ୍ଟିରେ ରଖି ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏହି ମ୍ୟାଚ ପାଇଁ ଅହମଦାବାଦ ସହରର ସମସ୍ତ ସୁରକ୍ଷା ଏଜେନ୍ସୀର ୧୧ ହଜାରରୁ ଅଧିକ ଷ୍ଟାଫଙ୍କୁ ନିୟୋଜିତ କରାଯାଇଛି । ଏନଏସଜି, ରାପିଡ ଆକ୍ସନ ଫୋର୍ସ, ହୋମ ଗାର୍ଡ ଏବଂ ଗୁଜରାଟ ପୋଲିସ ସାମିଲ ରହିଛି ।
ନରେନ୍ଦ୍ର ମୋଦି ଷ୍ଟାଡିୟମରେ ୧ ଲକ୍ଷରୁ ଅଧିକ ଦର୍ଶକ ଉପସ୍ଥିତ ରହିବେ । ଏହି ଷ୍ଟାଡିୟମର କ୍ଷମତା ୧.୩୦ ଲକ୍ଷରୁ ଅଧିକ । ଏହି ହାଇ ଭୋଲଟେଜ ମ୍ୟାଚ ପାଇଁ ସବୁ ଟିକେଟ ବିକ୍ରି ସରିଛି । ଏଥିପାଇଁ ଅହମଦାବାଦର ପୋଲିସ କମିଶନର ଜ୍ଞାନେନ୍ଦ୍ର ସିଂ ମଲିକଙ୍କ ମୁତାବକ, ମ୍ୟାଚ ପାଇଁ ୭ ହଜାରରୁ ଅଧିକ ପୋଲିସ କର୍ମୀ ଏବଂ ୪ ହଜାର ହୋମଗାର୍ଡ ଯବାନ ନିୟୋଜିତ ରହିଛନ୍ତି । ଏନଏସଜିର ୩ଟିମ୍ ଏବଂ ଆଣ୍ଟି ଡ୍ରୋନ ଟିମ ରହିଛି । ବୋମା ନିଷ୍କ୍ରିୟକାରୀ ସ୍କ୍ଵାର୍ଡ ସହିତ ଏନଡିଆରଏଫ ଏବଂ ଏସଡିଆରଏଫ ଟିମ୍ ନିୟୋଜିତ ରହିଛି । ଭାରତ-ପାକିସ୍ତାନ ମ୍ୟାଚ ନେଇ ସୁରକ୍ଷା ବ୍ୟବସ୍ଥାକୁ ନେଇ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଗୃହ ରାଜ୍ୟ ମନ୍ତ୍ରୀ ହର୍ଷ ସଂଘବୀଙ୍କ ନେତୃତ୍ୱରେ ଗୁରୁତ୍ୱପୂର୍ଣ୍ଣ ବୈଠକ ରହିଥିଲା ।
ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ସବୁ ପଞ୍ଚତାରକା ହୋଟେଲର ରୁମ୍ ଦାମ୍ ବଢାଇ ଦିଆଯାଇଛି । ହୋଟେଲ ଦାମ୍ ପାଖାପାଖି ୧୦ ଗୁଣା ବଢାଇଦିଆଯାଇଛି । ଗୋଟେ ରାତିକୁ ପାଖାପାଖି ୧ ଲକ୍ଷ ଟଙ୍କା ଦେବାକୁ ରାଜି ଅଛନ୍ତି କ୍ରିକେଟ ଫ୍ୟାନ୍ସ । ଏଥିପାଇଁ ସବୁ ରୁମ୍ ମଧ୍ୟ ବୁକ୍ ହୋଇସାରିଛି ।
ବିଶ୍ୱକପ ପାଇଁ ଦଳ : ରୋହିତ ଶର୍ମା(ଅଧିନାୟକ), ବିରାଟ କୋହଲି, ଶୁବମନ ଗିଲ୍, ଶ୍ରେୟସ ଆୟର, କେଏଲ ରାହୁଲ, ରବୀନ୍ଦ୍ର ଜାଡେଜା, ହାର୍ଦ୍ଦିକ ପାଣ୍ଡ୍ୟା(ଉପଅଧିନାୟକ), ଜସପ୍ରୀତ ବୁମରା, ମହମ୍ମଦ ସିରାଜ, କୁଲଦୀପ ଯାଦବ, ମହମ୍ମଦ ସାମି, ଅକ୍ଷର ପଟେଲ, ଈଶାନ କିଶନ, ସୂର୍ଯ୍ୟକୁମାର ଯାଦବ, ଶାର୍ଦ୍ଦୁଳ ଠାକୁର ।
ବିଶ୍ବକପ ୨୦୨୩ରେ ଟିମ୍ ଇଣ୍ଡିଆର ସୂଚୀ :
୧୧ ଅକ୍ଟୋବର : ଭାରତ ବନାମ ଆଫଗାନିସ୍ତାନ ( ଦିଲ୍ଲୀ)
୧୫ ଅକ୍ଟୋବର : ଭାରତ ବନାମ ପାକିସ୍ତାନ (ଅହମଦାବାଦ)
୧୯ ଅକ୍ଟୋବର : ଭାରତ ବନାମ ବାଂଲାଦେଶ ( ପୁନେ)
୨୨ ଅକ୍ଟୋବର : ଭାରତ ବନାମ ନ୍ୟୁଜିଲାଣ୍ଡ ( ଧର୍ମଶାଳା)
୨୯ ଅକ୍ଟୋବର : ଭାରତ ବନାମ ଇଂଲଣ୍ଡ (ଲକ୍ଷ୍ନୌ)
୨ ନଭେମ୍ବର : ଭାରତ ବମାନ କ୍ବାଲିଫାୟର (ମୁମ୍ବାଇ)
୫ ନଭେମ୍ବର : ଭାରତ ବନାମ ଦକ୍ଷିଣ ଆଫ୍ରିକା (କୋଲକତା)
୧୧ ନଭେମ୍ବର : ଭାରତ ବନାମ କ୍ବାଲିଫାୟର ଟିମ୍ (ବେଙ୍ଗାଲୁରୁ)