ଲର୍ଡ଼ସରେ ଭାରତର ରେକର୍ଡ଼ ଭଲ ନାହିଁ : ତଥାପି ରହିଛି ସୁଯୋଗ

ଲଣ୍ଡନ୍‌ : କାଲିଠାରୁ ଆରମ୍ଭ ହେବ କ୍ରିକେଟ୍‌ର ମକ୍କା କୁହାଯାଉଥିବା ଲର୍ଡସରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ । ଏଜବାଷ୍ଟନ୍‌ରେ ପ୍ରଥମ ଟେଷ୍ଟ ୩୧ ରନ୍‌ରେ ହାରିବା ପରେ ନିଜର ଦୁର୍ବଳତା ଓ ସାମର୍ଥ୍ୟର ତର୍ଜମା କରି ସାରିଛି ଟିମ୍‌ ଇଣ୍ଡିଆ । ବୋଲର୍‌ ଭଲ ପ୍ରଦର୍ଶନ କରିଛନ୍ତି । ବିଦେଶ ମାଟିରେ ପ୍ରତିପକ୍ଷର ୨୦ଟି ଓ୍ଵିକେଟ୍‌ ଖସାଇବାକୁ ସମର୍ଥ ହୋଇଛନ୍ତି । ତେଣୁ ଏବେ ବାକି ଦାୟିତ୍ୱ ହେଉଛି ବ୍ୟାଟ୍‌ସମ୍ୟାନ୍‌ଙ୍କର । କାରଣ ଅଧିନାୟକ ବିରାଟ କୋହଲିଙ୍କ ବ୍ୟତୀତ ଅନ୍ୟ ସମସ୍ତେ ଫେଲ୍‌ ମାରିଛନ୍ତି ।

ପାଞ୍ଚ ବୋଲର୍‌ ସପକ୍ଷରେ ବୋଲିଂ କୋଚ୍‌
ଲର୍ଡ଼ସ ପିଚ୍‌ରେ ଉଭୟ ଦଳ ଦୁଇ ଜଣ ଲେଖାଏଁ ସ୍ପିନର ଖେଳାଇବାକୁ ନିଷ୍ପତ୍ତି ନେଇ ପାରନ୍ତି । କାରଣ ଏଠି ଉଭୟ ପେସ୍‌ ଓ ସ୍ପିନ୍‌କୁ ଫାଇଦା ମିଳିବ । ତେଣୁ ଭାରତୀୟ ଦଳର ବୋଲିଂ କୋଚ୍‌ ଭରତ ଅରୁଣଙ୍କ ଇଚ୍ଛା ୫ ଜଣ ବୋଲର୍‌ଙ୍କୁ ଖେଳାଇବା ପାଇଁ । ରବୀନ୍ଦ୍ର ଜାଡେଜା କିମ୍ବା କୁଲଦୀପ ଯାଦବଙ୍କ ମଧ୍ୟରୁ ଜଣକୁ ବଛା ଯାଇ ପାରେ । ଲର୍ଡସରେ ଅଧିକ ଜଣେ ବ୍ୟାଟ୍‌ସମ୍ୟାନ ନେବା ଜାଗାରେ ଜଣେ ବୋଲର୍‌ଙ୍କୁ ନେଲେ ଭଲ ହେବ ବୋଲି ସେ କହିଛନ୍ତି । ଆଜି ପିଚ୍‌କୁ ନିରୀକ୍ଷଣ କରିବା ପରେ ଚୂଡ଼ାନ୍ତ ଦଳରେ କାହାକୁ ନିଆଯିବ ସେ ନିଷ୍ପତ୍ତି ହେବ ବୋଲି କହିଛନ୍ତି ଭରତ ଅରୁଣ । ସେପଟେ ବ୍ୟାଟ୍‌ସମ୍ୟାନ୍‌ଙ୍କ ପ୍ରଦର୍ଶନରେ ନା କୋଚ୍‌ ନା ଅଧିନାୟକ କେହି ବି ଖୁସି ନୁହନ୍ତି । ଇଂଲଣ୍ଡ ପରିବେଶରେ ନିଜକୁ ଖାପଖୁଆଇ ଭଲ ସ୍କୋର କରିବାର ମାନସିକତା ଏପର୍ଯ୍ୟନ୍ତ ସେମାନେ କରି ପାରି ନାହାନ୍ତି । ଯେଉଁଥିପାଇଁ ପ୍ରଥମ ଟେଷ୍ଟରେ ଭାରତ ବିଜୟକୁ ହାତଛଡ଼ା କରି ପରାଜିତ ହେଲା ।

ଭାରତ-ଇଂଲଣ୍ଡ ଲର୍ଡ଼ସ ରେକର୍ଡ଼
ତେବେ ଲର୍ଡ଼ସରେ ଭାରତର ରେକର୍ଡ଼ ଭଲ ନାହିଁ । ସେଠାରେ ମୋଟ୍‌ ୧୭ଟି ମ୍ୟାଚ୍‌ରେ ଦୁଇ ଦଳ ପରସ୍ପରକୁ ଭେଟିଛନ୍ତି । ଏଥିରୁ ମାତ୍ର ୨ଟିରେ ଭାରତ ଜିତିଥିବା ବେଳେ ୪ଟି ଡ୍ର ରଖିଛି । ହାରିଛି ୧୧ଟି ଟେଷ୍ଟ । ୧୯୩୨ରୁ ୧୯୬୭ ମଧ୍ୟରେ ଲଗାତର ୬ଟି ଟେଷ୍ଟ ହାରିବା ପରେ ୧୯୭୧ରେ ମ୍ୟାଚ୍‌ ଡ୍ର ରଖିଥିଲା । ୧୯୮୬ରେ ପ୍ରଥମଥର ଲର୍ଡ଼ସରେ ଜିତିଥିଲା ଭାରତ । ପୁଣି ବିଜୟର ସ୍ୱାଦ ଚାଖିଥିଲା ୨୦୧୪ରେ । ତେବେ ଏହି ଗ୍ରାଉଣ୍ଡ କିଛି ଭାରତୀୟ ଖେଳାଳିଙ୍କ ପାଇଁ ସବୁ ବେଳେ ସୌଭାଗ୍ୟ ଆଣି ଦେଇଛି । ଏଠି ଦିଲୀପ ଭେଙ୍ଗସର୍କାର ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଛନ୍ତି । ମୋଟ ୪ଟି ମ୍ୟାଚ୍‌ରେ ସେ ୫୦୮ ରନ୍‌ ସ୍କୋର କରିଥିବା ବେଳେ ତା ମଧ୍ୟରେ ରହିଛି ୩ଟି ଶତକ ଏବଂ ଗୋଟିଏ ଅର୍ଦ୍ଧଶତକ । ୧୯୯୬ରେ ଏଇ ପଡ଼ିଆରେ ରାହୁଲ ଦ୍ରାବିଡ଼ ଓ ସୌରଭ ଗାଙ୍ଗୁଲି ନିଜ କ୍ୟାରିୟରର ପ୍ରଥମ ଟେଷ୍ଟ ଖେଳିଥିଲେ । ଗାଙ୍ଗୁଲି ଶତକ ଓ ଦ୍ରାବିଡ଼ ଅର୍ଦ୍ଧଶତକ ହାସଲ କରିଥିଲେ । ଗାଙ୍ଗୁଲି ୧୩୧ ରନ୍‌ କରିଥିବା ବେଳେ ୯୫ ରନ୍‌ କରି ଦ୍ରାବିଡ଼ ମାତ୍ର ୫ ରନ୍‌ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ ।

୨୦୧୪ରେ ଭାରତ ଆଜିଙ୍କ ରାହାଣେଙ୍କ ବ୍ୟାଟିଂ ଓ ଭୁବନେଶ୍ୱର କୁମାରଙ୍କ ଦମଦାର ବୋଲିଂ ସହାୟତାରେ ଜିତିଥିଲା । ପ୍ରଥମ ଇନିଂସ୍‌ରେ ରାହାଣେ ୧୦୩ ରନ୍‌ ସ୍କୋର କରିବାରୁ ଭାରତ ଅଗ୍ରଣୀ ନେଇଥିଲା । ଆଉ ଭୁବନେଶ୍ୱର କୁମାର ନେଇଥିଲେ ୬ଟି ଓ୍ଵିକେଟ୍‌ । ଏଥର ଭୁବନେଶ୍ୱର କୁମାର ଖେଳୁ ନାହାନ୍ତି କିନ୍ତୁ ରାହାଣେ ଅଛନ୍ତି । ତେବେ ଗି ୧୦ ବର୍ଷର ରେକର୍ଡ଼ ଯଦି ଦେଖାଯିବ ତେବେ ଲର୍ଡ଼ସରେ ଘରୋଇ ଇଂଲଣ୍ଡ ଦଳର ସଫଳତା ସେଭଳି ଉତ୍ସାହଜନକ ନୁହେଁ । କାରଣ ଏଠି ୨୧ଟି ଟେଷ୍ଟ ଖେଳି ମାତ୍ର ୧୧ଟିରେ ବିଜୟୀ ହୋଇଛି ଇଂଲଣ୍ଡ ଦଳ ।ଶେଷ ୫ଟି ମ୍ୟାଚ୍‌ରୁ ଦଳ ମାତ୍ର ୨ଟିରେ ଜିତିଛି । ଗତ ମେ ମାସରେ ଏହି ଗ୍ରାଉଣ୍ଡରେ ପାକିସ୍ତାନଠାରୁ ଇଂଲଣ୍ଡ ୯ ଓ୍ଵିକେଟ୍‌ ହାରିଥିଲା । ତେଣୁ ଭାରତ ପାଇଁ ପାଞ୍ଚ ମ୍ୟାଚ୍‌ର ଟେଷ୍ଟ ସିରିଚଜ୍‌ରେ ପ୍ରତାବର୍ତ୍ତନ କରିବାର ଭଲ ସୁଯୋଗ ରହିଛି । ଯଦି ବ୍ୟାଟସମ୍ୟାନ୍‌ ଓ ବୋଲରଙ୍କ ଭିତରେ ସମନ୍ଵୟ ରହେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.