ଦିନିକିଆ ବିଶ୍ୱକପ୍ରେ ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ୩୫୦ ପ୍ରତିଶତ ବିମାନ ଭଡ଼ା ବୃଦ୍ଧି
ଦିନିକିଆ ବିଶ୍ୱକପ୍ ପାଇଁ ଅକ୍ଟୋବର ଓ ନଭେମ୍ବର ମାସରେ ଅହମଦାବାଦକୁ ରହିଥିବା ବିଭିନ୍ନ ବିମାନ ସେମାନଙ୍କ ଭଡ଼ାରେ ପାଖାପାଖି ୩୫୦ ପ୍ରତିଶତ ବୃଦ୍ଧି କରିଛନ୍ତି ।

କେନ୍ୟୁଜ୍(ବ୍ୟୁରୋ): ଆସନ୍ତା ଅକ୍ଟୋବର ୧୫ ତାରିଖରେ ଦିନିକିଆ ବିଶ୍ୱକପ୍ରେ ଭାରତ-ପାକିସ୍ତାନ ମୁହାଁମୁହିଁ ହେବାକୁ ଥିବାବେଳେ କ୍ରିକେଟ୍ ପ୍ରଶଂସକ, ପ୍ରାୟୋଜକ ଆଦି ସମସ୍ତେ ଟିକେଟ୍ ବୁକ୍ କରୁଛନ୍ତି। ଯାହାର ଫାଇଦା ନେଇ ବିମାନ ଭଡ଼ା ସହିତ ହୋଟେଲ୍ ରୁମ୍ ବୁକିଂ ଦରରେ ମଧ୍ୟ ବଡ଼ ଧରଣର ବୃଦ୍ଧି ହୋଇଥିବା ଦେଖିବାକୁ ମିଳିଛି।
ଚେନ୍ନାଇରୁ ଅହମଦାବାଦକୁ ଯିବା ଆସିବା ବିମାନ ଭଡ଼ା ଜଣଙ୍କ ପିଛା ୪୫୪୨୫ ଟଙ୍କା ଧାର୍ଯ୍ୟ କରାଯାଇଛି। ତିନି ମାସ ପୂର୍ବରୁ ଅଗ୍ରୀମ ବୁକିଂ କରିଲେ ମଧ୍ୟ ଉଚ୍ଚା ଦର ରହୁଛି। ସ୍ୱଭାବିକ ସମୟରେ ଯିବା ଆସିବା ଭଡ଼ା ପାଖାପାଖି ୧୦ହଜାର ଟଙ୍କା ରହୁଥିଲା ।
ସେହିପରି ଦିଲ୍ଲୀ ଓ ମୁମ୍ବାଇରୁ ଅହମଦାବାଦକୁ ଆସୁଥିବା ବିମାନ ଭଡ଼ାରେ ଯଥାକ୍ରମେ ୨୦୩ ପ୍ରତିଶତ ଓ ୩୩୯ ପ୍ରତଶତ ବୃଦ୍ଧି କରାଯାଇଛି। ବିଶ୍ୱକପ୍ରେ ଉଦ୍ଘାଟନୀ ମ୍ୟାଚ୍, ଭାରତ-ପାକିସ୍ତାନ ମ୍ୟାଚ୍ ସହ ଫାଇନାଲ୍ ମ୍ୟାଚ୍ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ଖେଳାଯିବ। ଏହାକୁ ନେଇ ଭାରତୀୟ ଟ୍ରାଭେଲ୍ ଏଜେଣ୍ଟ ସଂଘର ଅଧ୍ୟକ୍ଷ ବୀରେନ୍ଦ୍ର ଶାହ କହିଛନ୍ତି ଯେ, ମ୍ୟାଚ୍ ଦିନଗୁଡ଼ିକର ଚାହିଦା ଅଧିକ ରହୁଥିବାରୁ ଟିକେଟ ଦର ବଢ଼ାଯାଇଛି।