ଏସିଆ କପ୍‌ ୨୦୨୩ : ପୁଣି ସୁପର-୪ ମ୍ୟାଚରେ ମୁହାଁମୁହିଁ ହେବେ ଚିର ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକସ୍ତାନ, ଟିମକୁ ଫେରିଲେ ବୁମରା

ଭାରତ-ପାକିସ୍ତାନ ମ୍ୟାଚକୁ ଚାହିଁ ରହିଛନ୍ତି ଫ୍ୟାନ୍ସ । ପୁଣି ଆସନ୍ତାକାଲି ସୁପର-୪ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ ଏବଂ ପାକିସ୍ତାନ । ଅପରାହ୍ନ ୩ଟାରେ ହେବ ମ୍ୟାଚ୍‌ । ଟିମରୁ ଫେରିଛନ୍ତି ବୁମରା । ତେବେ ପ୍ଲେଇଂ ଇଲେଭେନରେ କିଛି ପରିବର୍ତ୍ତନ ହୋଇପାରେ ବୋଲି ଅନୁମାନ କରାଯାଉଛି ।

ପୁଣି ଏକ ହାଇଭୋଲଟେଜ ମ୍ୟାଚ୍‌ ଦେଖିବା ପାଇଁ ଫ୍ୟାନ୍ସ ଚାହିଁ ରହିଛନ୍ତି । ଆସନ୍ତାକାଲି ଏସିଆ କପ୍ ସୁପର-୪ ଭାରତ-ପାକିସ୍ତାନ ମହାଲଢ଼େଇ । କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ । ଆସନ୍ତାକାଲି ପ୍ଲେଇଂ ଇଲେଭେନରେ ପରିବର୍ତ୍ତନ କରିପାରେ ଟିମ୍ ଭାରତ। ନେପାଳ ବିପକ୍ଷ ମ୍ୟାଚ୍ ଖେଳି ନଥିବା ଯଶପ୍ରୀତ ବୁମରାହ ବାପା ହେବା ପରେ ସ୍କ୍ବାଡକୁ ଫେରିଛନ୍ତି ।

ଆସନ୍ତାକାଲି ଭାରତୀୟ ସମୟାନୁସାରେ ଦିନ ୩ଟାରେ ମ୍ୟାଚ୍‌ ଆରମ୍ଭ ହେବ । ଟସ୍‌ ୨.୩୦ରେ ପଡିବ । ତେବେ ମ୍ୟାଚ୍‌ ଉପରେ ବର୍ଷାର ପ୍ରଭାବ ପଡିପାରେ ବୋଲି ଅନୁମାନ କରାଯାଉଛି । ଏହି ମ୍ୟାଚର ସିଧା ପ୍ରସାରଣ ଟିଭିରେ ଷ୍ଟାର ସ୍ପୋଟର୍ସ ନେଟଓ୍ଵାର୍କରେ ଦେଖିପାରିବେ । ଏହି ମ୍ୟାଚର ଅନଲାଇନ ଷ୍ଟ୍ରିମିଂ ଡିଜନୀ ପ୍ଲସ ହଟଷ୍ଟାରରେ ହେବ ।

ତେବେ ପ୍ରଥମ ଦୁଇଟି ମ୍ୟାଚରୁ ବାଦ ପଡ଼ିଥିବା କେଏଲ ରାହୁଲ ପାକିସ୍ତାନ ବିପକ୍ଷରେ ଖେଳିବେ କି ନାହିଁ ତା ଉପରେ ସମସ୍ତଙ୍କର ନଜର ରହିଛି । ସେ ଖେଳିଲେ କାହାକୁ ବାଦ ଦିଆଯିବ । ଶ୍ରେୟସ ଆୟାର ନା ଇଶାନ୍ କିଷାନ । ଚର୍ଚ୍ଚା ହେଉଛି, ପାକିସ୍ତାନ ବିପକ୍ଷରେ ଦୁଇ ଜଣ ସ୍ପେସାଲିଷ୍ଟ ସ୍ପିନରଙ୍କୁ ନେଇ ଓହ୍ଲାଇପାରେ ଟିମ୍ ଇଣ୍ଡିଆ । କୁଳଦୀପଙ୍କ ସହ ଦ୍ବିତୀୟ ସ୍ପିନର ଭାବରେ ପ୍ଲେଇଂ ଇଲେଭେନରେ ଅକ୍ଷର ପଟେଲଙ୍କୁ ସୁଯୋଗ ମିଳିପାରେ । ସେ ଖେଳିଲେ ସାର୍ଦ୍ଦୁଳ ଠାକୁର ବସିପାରନ୍ତି ।

ଦ୍ରୁତ ବୋଲିଂ ସମ୍ଭାଳିବେ ବୁମରାହ ଓ ମହମ୍ମଦ ସିରାଜ । ଲିଗ୍ ଷ୍ଟେଜରେ ଖେଳାଯାଇଥିବା ଭାରତ- ପାକିସ୍ତାନ ମ୍ୟାଚ ବର୍ଷା ପାଇଁ ଧୋଇ ଯାଇଥିଲା । ଉଭୟ ଦଳ ପଏଣ୍ଚ ଭାଗ କରିଥିଲେ । ନେପାଳକୁ ୧୦ ୱିକେଟରେ ହରାଇ ସୁପର-୪ରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆ । ଅନ୍ୟପଟେ ସୁପର-୪ର ପ୍ରଥମ ମ୍ୟାଚରେ ବାଂଲାଦେଶକୁ ହରାଇଛି ପାକିସ୍ତାନ । ଏହାପରେ ୧୨ ତାରିଖରେ ଶ୍ରୀଲଙ୍କା ଓ ୧୫ ତାରିଖରେ ବାଂଲାଦେଶ ସହ ମ୍ୟାଚ୍ ଖେଳିବ ଭାରତ । ସୁପର-୪ର ବିଜେତା ଦୁଇ ଟିମ ଫାଇନାଲ ଖେଳିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.