ଏସୀୟ କ୍ରୀଡ଼ା ୨୦୨୩: ହକିରେ ଭାରତୀୟ ଟିମ୍‌ ଜିତିଲା ସ୍ୱର୍ଣ୍ଣ; ଗତ ଥରର ଚାମ୍ପିୟନ୍‌ ଜାପାନକୁ ଦେଲା ମାତ୍‌

ହକିରେ ଭାରତକୁ ସ୍ୱର୍ଣ୍ଣ। ଏସୀୟ କ୍ରୀଡ଼ା ୨୦୨୩ରେ ଭାରତୀୟ ହକି ଟିମ୍‌ ସ୍ୱର୍ଣ୍ଣ ପଦକ ହାସଲ କରିଛି। ଫାଇନାଲ୍‌ରେ ଟିମ୍‌ ଇଣ୍ଡିଆ ଗତ ଥରର ଚାମ୍ପିୟନ୍‌ ଜାପାନକୁ ୫-୧ରେ ହରାଇ ଦେଇଛି।

ହକିରେ ଭାରତକୁ ସ୍ୱର୍ଣ୍ଣ। ଏସୀୟ କ୍ରୀଡ଼ା ୨୦୨୩ରେ ଭାରତୀୟ ହକି ଟିମ୍‌ ସ୍ୱର୍ଣ୍ଣ ପଦକ ହାସଲ କରିଛି। ଫାଇନାଲ୍‌ରେ ଟିମ୍‌ ଇଣ୍ଡିଆ ଗତ ଥରର ଚାମ୍ପିୟନ୍‌ ଜାପାନକୁ ୫-୧ରେ ହରାଇ ଦେଇଛି। ଏହା ପୂର୍ବରୁ ପୁଲ୍‌ ରାଉଣ୍ଡ୍‌ରେ ମଧ୍ୟ ଭାରତ ଏବଂ ଜାପାନ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା, ଯେଉଁଥିରେ ଭାରତ ୪-୨ରେ ବିଜୟ ହାସଲ କରିଥିଲା।

ଏସୀୟ କ୍ରୀଡ଼ା ପୁୁରୁଷ ହକିରେ ଭାରତ ସ୍ୱର୍ଣ୍ଣ ଜିତିଛି। ଚତୁର୍ଥ ଥର ପାଇଁ ଏସୀୟ କ୍ରୀଡ଼ା ହକି ସ୍ୱର୍ଣ୍ଣ ଜିତିଛି ଟିମ୍‌ ଇଣ୍ଡିଆ। ଏହି ସ୍ୱର୍ଣ୍ଣ ସହିତ ଭାରତୀୟ ହକି ଦଳ ୨୦୨୪ରେ ପ୍ୟାରିସରେ ଖେଳା ଯିବାକୁ ଥିବା ଅଲିମ୍ପିକ୍ ଗେମ୍ସ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଛି।

ଫାଇନାଲ୍‌ ମ୍ୟାଚ୍‌ରେ ଭାରତ ତରଫରୁ ଅତ୍ୟନ୍ତ ଚମତ୍କାର ଖେଳ ଦେଖିବାକୁ ମିଳିଥିଲା। ଭାରତ ସାମ୍ନାରେ ପ୍ରତିଦ୍ୱନ୍ଦ୍ୱୀ ଜାପାନ ମାତ୍ର ଗୋଟିଏ ଗୋଲ୍‌ ଦେବାରେ ସକ୍ଷମ ହୋଇଥିଲା। ପ୍ରଥମ କ୍ୱାର୍ଟରରେ ଉଭୟ ଦଳ ଗୋଲ୍ କରିପାରି ନ ଥିଲେ। ଦ୍ୱିତୀୟ କ୍ୱାର୍ଟରରେ ମ୍ୟାଚର ୨୫ତମ ମିନିଟ୍‌ରେ ଭାରତ ତରଫରୁ ପ୍ରଥମ ଗୋଲ୍ ଦିଆଯାଇଥିଲା। ମନଦୀପ ସିଂ ଏହି ଗୋଲ ଦେଇ ଭାରତକୁ ୧-୦ରେ ଆଗକୁ ନେଇଥିଲେ।

ତୃତୀୟ କ୍ୱାର୍ଟରରେ ଭାରତୀୟ ଅଧିନାୟକ ହରମନପ୍ରୀତ ସିଂ ଦ୍ୱିତୀୟ ଗୋଲ ସ୍କୋର କରି ଭାରତକୁ ୨-୦ରେ ଅଗ୍ରଣୀ କରାଇଥିଲେ। ତୃତୀୟ କ୍ୱାର୍ଟର ଶେଷ ହେବା ପୂର୍ବରୁ ଅମିତ ରୋହିଦାସ ଭାରତ ପାଇଁ ତୃତୀୟ ଗୋଲ ଦେଇଥିଲେ।

ଚତୁର୍ଥ କ୍ୱାର୍ଟର ଆରମ୍ଭ ହେବାର ମାତ୍ର ୩ ମିନିଟ୍ ପରେ ଅଭିଷେକ ଭାରତ ପାଇଁ ଚତୁର୍ଥ ଗୋଲ୍ ଦେଇଥିଲେ। ଏହାର ୩ ମିନିଟ୍ ପରେ ଜାପାନ ନିଜର ଖାତା ଖୋଲିଥିଲା ଏବଂ ଦଳ ପକ୍ଷରୁ ପ୍ରଥମ ଗୋଲ୍ ଆସିଥିଲା। ଏହାପରେ ମ୍ୟାଚ୍ ଶେଷ ହେବାର ମାତ୍ର ୧ ମିନିଟ୍ ପୂର୍ବରୁ ପଞ୍ଚମ ଗୋଲ୍ ଦେଇଥିଲା ଭାରତ। ମ୍ୟାଚ୍‌ର ୫୯ ମିନିଟରେ ଅଧିନାୟକ ହରମନପ୍ରୀତ ସିଂ ଦଳ ପାଇଁ ପଞ୍ଚମ ଗୋଲ ଦେଇ ଜାପାନ ବିପକ୍ଷରେ ଦଳକୁ ୫-୧ରେ ବିଜୟ ଦେଇଥିଲେ।

You might also like