ଟିମକୁ ଛାଡି ଅଧାରୁ ସ୍ୱଦେଶ ଚାଲିଗଲେ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍‌ କେମିନ୍ସ, ଜାଣନ୍ତୁ କାହିଁକି

ଦ୍ୱିତୀୟ ଟେଷ୍ଟ ହାରିବା ପରେ ସ୍ୱଦେଶ ଚାଲିଗଲେ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍‌ କେମିନ୍ସ । ପରିବାର କେହି ଗୁରୁତର ଅସୁସ୍ଥ ଥିବା ଖବର ମିଳିବା ପରେ ସିଡନୀ ଅଭିମୁଖେ ଉଡାଣ ଭରିଥିଲେ । ତେବେ ତୃତୀୟ ଟେଷ୍ଟ ମ୍ୟାଚ୍‌ ପୂର୍ବରୁ ଫେରିଆସିବେ ବୋଲି କ୍ରିକେଟ ଅଷ୍ଟ୍ରେଲିଆ ସୂଚନା ଦେଇଛି ।

ଟିମ୍‌ ଇଣ୍ଡିଆ ଠାରୁ ଲଗାତାର ଦୁଇଟି ଟେଷ୍ଟ ମ୍ୟାଚ ହାରିବା ପରେ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ କେମିନ୍ସ ଭାରତ ଛାଡି ସ୍ୱଦେଶ ଚାଲିଯାଇଛନ୍ତି । ହଠାତ୍‌ ଅଧିନାୟକ ଦଳ ଛାଡି ଅଷ୍ଟ୍ରେଲିଆ ଯିବା ପରେ ଟିମରେ ହଡକମ୍ପ ସୃଷ୍ଟି ହୋଇଛି । ତେବେ ତାଙ୍କ ପରିବାରର କେହି ଜଣେ ଗୁରୁତର ଅସୁସ୍ଥ ଥିବା ଖବର ମିଳିବା ପରେ କେମିନ୍ସ ତରବରିଆ ଭାବେ ଭାରତ ଛାଡି ଚାଲିଯାଇଛନ୍ତି । କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ଏହି ସୂଚନା ମିଳିଛି । ରବିବାର ଦିନ ମ୍ୟାଚ୍ ସରିବା ପରେ କେମିନ୍ସଙ୍କ ପାଖକୁ ତାଙ୍କ ଘରର ସଦସ୍ୟଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ରହିଥିବା ନେଇ ଖବର ଆସିଥିଲା । ଏହି ଖବର ମିଳିବା ପରେ ସେ ତୁରନ୍ତ ସିଡନୀ ଅଭିମୁଖେ ଉଡ଼ାଣ ଭରିଥିଲେ।

ତେବେ କେମିନ୍ସ ଅଷ୍ଟ୍ରେଲିଆ ଚାଲି ଯାଇଥିଲେ ହେଁ ଭାରତ ବିପକ୍ଷ ତୃତୀୟ ଟେଷ୍ଟ ପୂର୍ବରୁ ଫେରି ଆସି ସ୍କ୍ୱାର୍ଡରେ ଯୋଗ ଦେବେ ବୋଲି କ୍ରିକେଟ ଅଷ୍ଟ୍ରେଲିଆ କହିଛି। ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର ତୃତୀୟ ଟେଷ୍ଟ ମ୍ୟାଚ୍ ଆସନ୍ତା ମାର୍ଚ୍ଚ ୧ ତାରିଖରେ ଖେଳାଯିବ। ଇନ୍ଦୋରରେ ଖେଳା ଯିବାକୁ ଥିବା ଏହି ମ୍ୟାଚ୍ ପୂର୍ବରୁ କେମିନ୍ସ ପୁଣି ଅଷ୍ଟ୍ରେଲିଆ ସ୍କ୍ୱାର୍ଡରେ ସାମିଲ ହେବେ। ୪ଟି ଟେଷ୍ଟ ସିରିଜ୍ ପରେ ଅଷ୍ଟ୍ରେଲିଆ ମାର୍ଚ୍ଚ ୧୭ରୁ ଭାରତ ବିପକ୍ଷରେ ୩ ଟିକିଆ ଦିନିକିଆ ସିରିଜ ମଧ୍ୟ ଖେଳିବ।

ଭାରତ ୪ଟି ଟେଷ୍ଟ ମ୍ୟାଚ୍‌ ସିରିଜରେ ୨-୦ରେ ଆଗୁଆ ରହିଛି। ପ୍ରଥମ ଟେଷ୍ଟ ମ୍ୟାଚ୍‌ ଇନିଂସ ବିଜୟ ସହିତ ୧୩୨ ରନରେ କଙ୍ଗାରୁ ଦଳକୁ ହରାଇଥିଲା ଭାରତ । ଦ୍ୱିତୀୟ ଟେଷ୍ଟରେ ମଧ୍ୟ ୬ ଓ୍ଵିକେଟରେ ଜିତିଥିଲା । ତେବେ ୨ଟି ଯାକ ମ୍ୟାଚ୍‌ ହାରିବା ପରେ ଟିମ୍‌ ସଦସ୍ୟ ଉପରେ ବର୍ଷିଥିଲେ ଅଧିନାୟକ ପ୍ୟାଟ୍‌ କେମିନ୍ସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.