ସାତବର୍ଷ ପରେ ପତ୍ନୀଙ୍କ ଠାରୁ ଅଲଗା ହେଲେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ କ୍ଲାର୍କ
ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ମାଇକେଲ କ୍ଲାର୍କ ଓ ତାଙ୍କ ସ୍ତ୍ରୀ କେଲୀ ବୋଲ୍ଡିଙ୍କ ମଧ୍ୟରେ ୭ ବର୍ଷ ପରେ ବିବାହ ବିଚ୍ଛେଦ ହୋଇଛି। ଉଭୟ ବୁଝାମଣା ଭିତ୍ତିରେ ଏହି ନିଷ୍ପତ୍ତି ନେଇଥିବା କ୍ଲାର୍କ ପ୍ରକାଶ କରିଛନ୍ତି। ତାଙ୍କର ୪ ବର୍ଷର ଏକ ଝିଅ କେଲସି ଲି ରହିଛି। ଏହି ବିଚ୍ଛେଦ ପାଇଁ କ୍ଲାର୍କ ୪୦ ମିଲିୟନ ଆମେରିକୀୟ ଡଲାର ପ୍ରଦାନ କରିଥିବା ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି।
‘କିଛି ବର୍ଷ ଅଲଗା ହୋଇ ରହିବା ପରେ ଆମେ ପରସ୍ପର ବିଚ୍ଛେଦ ଭଳି କଠିନ ନିଷ୍ପତ୍ତି ନେଇଛୁ’ କ୍ଲାର୍କ ଓ କେଲୀ ଉଭୟ ଦି ଅଷ୍ଟ୍ରେଲିଆନ୍ ଖବରକାଗଜକୁ ସାକ୍ଷାତ୍କାର ଅବସରରେ କହିଛନ୍ତି। ‘ଆମେ ପରସ୍ପରକୁ ବହୁତ ସମ୍ମାନ କରୁ ଏବଂ ସହମତି ଭିତ୍ତିରେ ଅଲଗା ହେବା ପାଇଁ ନିଷ୍ପତ୍ତି ନେଇଛୁ। ଝିଅର ଦେଖାଶୁଣା ଆମେ ମିଳିତ ଭାବେ ନେବାକୁ ପ୍ରତିଶ୍ରୁତିବଦ୍ଧ’ ବୋଲି ଉଭୟ ଏହି ଅବସରରେ କହିଛନ୍ତି। ଉଭୟ କ୍ଲାର୍କ ଓ କେଲୀଙ୍କୁ ୩୮ ବର୍ଷ ହୋଇଥିବାବେଳେ ୨୦୧୨ରେ ପରସ୍ପର ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ୨୦୧୫ରେ କେଲ୍ସି ଜନ୍ମ ହୋଇଥିବାବେଳେ ଏହାର ଠିକ୍ ଗୋଟିଏ ମାସ ପରେ କ୍ଲାର୍କ କ୍ରିକେଟ୍ରୁ ଅବସର ଘୋଷଣା କରିଥିଲେ। ଗତ ୫ ମାସ ହେବ କ୍ଲାର୍କ ଓ କେଲୀ ପରସ୍ପର ଅଲଗା ରହୁଥିଲେ। ପ୍ରକାଶଯୋଗ୍ୟ, କ୍ଲାର୍କ ୨୦୦୪ରୁ ୨୦୧୫ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ପକ୍ଷରୁ ୧୧୫ ଟେଷ୍ଟ ଓ ୨୪୫ ଦିନିକିଆ ଖେଳି ଯଥାକ୍ରମେ ୮,୬୪୩ ଓ ୭,୯୮୧ ରନ ସଂଗ୍ରହ କରିଥିଲେ।