Below header

ଭାରତ-ଇଣ୍ଡିଜ୍ ପ୍ରଥମ ଟେଷ୍ଟ ପୂର୍ବରୁ ପିଚକୁ ନେଇ ଚର୍ଚ୍ଚା, ସ୍ଥାନୀୟ ସଂଘ ଓ ବିସିସିଆଇ ମଧ୍ୟରେ ଟଣା ଓଟରା

ରାଜକୋଟ :  ଆସନ୍ତା ୪ ତାରିଖରୁ ରାଜକୋଟ ଠାରେ ଆରମ୍ଭ ହେବ ଭାରତ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଟେଷ୍ଟ ମ୍ୟାଚ୍ । ଇଣ୍ଡିଜ ଦଳ ଚଳିତ ଗସ୍ତରେ ୨ଟି ଟେଷ୍ଟ ମ୍ୟାଚ୍ ଖଳିବ । ତେବେ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଆରମ୍ଭ ହୋଇଯାଇଛି ବିବାଦ । ପିଚ୍ ପ୍ରସ୍ତୁତିକୁ ନେଇ ସ୍ଥାନୀୟ ସୌରାଷ୍ଟ୍ର କ୍ରିକେଟ୍ ସଂଘ ଏବଂ ବିସିସିଆଇ ଭିତରେ କଥା କଟାକଟି ହୋଇଛି । ବିସିସିଆଇ ସ୍ଥାନୀୟ କ୍ୟୁରେଟରଙ୍କୁ ଗୁରୁତ୍ବ ନଦେଇ ନିଜ ମନୋନୀତ କ୍ୟୁରେଟରଙ୍କୁ ପଠାଉଛି । ସ୍ଥାନୀୟ କ୍ୟୁରେଟରଙ୍କ କହିବା କଥା, ଆମେ ପିଚ୍ ତିଆରି କଲା ପରେ ବିସିସିଆଇ ବିଶେଷଜ୍ଞ ଆସି ତାକୁ ତଦାରଖ କରିବାଟା ଠିକ୍ ହେବ । ରଣଜୀ ଟ୍ରଫିରେ ପିଚ୍ ପ୍ରସ୍ତୁତ ପାଇଁ ମଧ୍ୟ ବିସିସିଆଇ ନିରପେକ୍ଷ କ୍ୟୁରେଟରଙ୍କ ସହାୟତା ନେଉଛି । ଯାହା ଏକ ସୁସ୍ଥ ପରମ୍ପରା ନୁହେଁ ବୋଲି ସଂଘର ପୂର୍ବତନ ସମ୍ପାଦକ ତଥା ବିସିସିଆଇର ପୂର୍ବତନ ସମ୍ପାଦକ ନିରଞ୍ଜନ ଶାହ କହିଛନ୍ତି । ସେ ଆହୁରି ଚେତାଇ ଦେିଛନ୍ତି ଯେ ଯଦି ଏଭଳି ବ୍ୟବସ୍ଥା ବନ୍ଦ ନହୁଏ ତେବେ ଭାରତ-ଅଷ୍ଟ୍ରଲିଆ ପୁନେ ଟେଷ୍ଟ ଭଳି ଅବସ୍ଥା ଉପୁଜିବ । ୨୦୧୭ରେ ଭାରତ ଓ ଅଷ୍ଟ୍ରେଲିଆ ପୁନେ ଠାରେ ଖେଳିଥିବା ଟେଷ୍ଟ ମ୍ୟାଚ୍ ଚର୍ଚ୍ଚା ଏବେବି ଥମି ନାହିଁ । ଏହି ମ୍ୟାଚର ପ୍ରଥମ ଦୁଇ ଦିନ ଭିତରେ ମୋଟ ୨୪ଟି ୱିକେଟ୍ ପଡ଼ି ଯାଇଥିଲା । ଆଇସିସି ଏହି ପିଚ୍ ଉପରେ ଆପତ୍ତି ଉଠାଇଥିଲା ।

କିଭଳି ପିଚ୍ ?

ସେପଟେ ଚର୍ଚ୍ଚା ଚାଲିଛି ଯେ ଭାରତୀୟ ଦଳ ଅଧିନାୟକ ବିରାଟ କୋହଲି ଓ କୋଚ୍ ରବି ଶାସ୍ତ୍ରୀ ଇଣ୍ଡିଜ୍ ସହ ଦୁଇଟି ମ୍ୟାଚ୍ ପାଇଁ ପେସ୍ ବୋଲରଙ୍କୁ ସୁହାଉଥିବା ୱିକେଟ ଚାହୁଁଛନ୍ତି । କାରଣ ଏହା ପରେ ଦଳକୁ ଅଷ୍ଟ୍ରେଲିଆ ଗସ୍ତରେ ଯିବାକୁ ହେବ । ସେଠାରେ ବାଉନସୀ ୱିକେଟରେ ଖେଳିବାକୁ ପଡ଼ିବ । ତେଣୁ ଏହି ଘରୋଇ ସିରିଜ୍ ଦଳ ପାଇଁ ଏଭ ଭଲ ଅଭ୍ୟାସ ହେବ । ତେବେ ବିସିସିଆଇ ଏହା ଚାହୁଁ ନାହିଁ ବୋଲି କୁହାଯାଉଛି ।

ଅବଶ୍ୟ ଏଭଳି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ବିସିସିଆଇ ଅଧିକାରୀ । ସେ କହିଛନ୍ତି, କ୍ୟୁରେଟରଙ୍କୁ ଏଭଳି କିଛି ନିର୍ଦ୍ଦେଶ ଦିଆଯାଇ ନାହିଁ । ସେମାନେ ଉଭୟ ବ୍ୟାଟସମ୍ୟାନ ଓ ବୋଲରଙ୍କୁ ସୁହାଇଲା ଭଳି ୱିକେଟ୍ କରିଛନ୍ତି । ପିଚରେ ଅଳ୍ପ ଘାସ ରହିଛି। ଏହାକୁ କଳା ମାଟିରେ କରାଯାଇଛି । ଯାହା ଫଳରେ ନାଲି ମାଟି ପିଚରେ ସ୍ପିନରଙ୍କୁ ଯେଭଳି ଫାଇଦା ମିଳେ ଏହି ପିଚରୁ ସେଭଳି ଅଧିକ ଫାଇଦା ମିଳିବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.