ବିରାଟ ଦେଲେ ସଂକେତ, ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇପାରନ୍ତି ଏହି ଖେଳାଳି

ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ବହୁ ପ୍ରତିକ୍ଷୀତ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ । କରୋନା ସଂକ୍ରମଣ, ଆଇସୋଲେସନ, କ୍ୱାରେଣ୍ଟାଇନ୍‌, ମାନସିକ ଅସୁସ୍ଥତା ଓ ଆହତ ସମସ୍ୟାକୁ ପଛରେ ପକାଇ ଉଭୟ ଦଳ ଇତି ମଧ୍ୟରେ ପ୍ରସ୍ତୁତି ଶେଷ କରିଛନ୍ତି । ଟିମ୍ ଇଣ୍ଡିଆ ପ୍ରଥମ ଟେଷ୍ଟରେ ଶାର୍ଦ୍ଦୁଲ ଠାକୁରଙ୍କୁ ଅଲ ରାଉଣ୍ଡର ଭାବେ ସୁଯୋଗ ପାଇଛନ୍ତି। ଅଷ୍ଟ୍ରେଲିଆ ବିରୋଧରେ ବ୍ରିସବେନ ଟେଷ୍ଟରେ ଶାର୍ଦ୍ଦୁଲ ଠାକୁର ଭଲ ପ୍ରଦର୍ଶନ କରିଥିଲେ। ଠାକୁର ୭ ୱିକେଟ ସହିତ ୬୭ ରନ୍ କରି ଐତିହାସିକ ବିଜୟ ଦେଇଥିଲେ। ଠାକୁର ଭଲ ବିକଳ୍ପ ବୋଲି ବିରାଟ କୋହଲି କହିଛନ୍ତି।

ଭାରତୀୟ ଦଳର ବ୍ୟାଟିଂ ବିଭାଗକୁ ନେଇ ସମସ୍ୟା ରହିବା ସ୍ୱାଭାବିକ । ଇଂଲଣ୍ଡ ଜଳବାୟୁ ପେସ୍‌ ବୋଲରଙ୍କୁ ସହାୟତା କରିବ । ଥଣ୍ଡା ଜଳବାୟୁ ଯୋଗୁଁ ବଲ୍‌ ଅତିରିକ୍ତ ସୁଇଂ କରିବ । ପିଚ୍‌ରେ ମଧ୍ୟ ଘାସ ରଖାଯାଇଛି । ଫଳରେ ନୂଆ ଡ୍ୟୁକ୍‌ ବଲ୍‌ ପ୍ରାରମ୍ଭରୁ ଘାତକ ହେବ । ତେଣୁ ଭାରତୀୟ ବ୍ୟାଟିଂ ବିଭାଗ ପାଇଁ ଜେମ୍ସ ଆଣ୍ଡରସନ୍‌ ଓ ଷ୍ଟୁଆର୍ଟ ବ୍ରଡ୍‌ ଘାତକ ସାବ୍ୟସ୍ତ ହେବେ । ଶୁଭମନ ଗିଲ୍‌ ଆହତ ହୋଇ ସ୍ୱଦେଶ ଫେରିଛନ୍ତି । ମୟଙ୍କ ଅଗ୍ରୱାଲ୍‌ ପ୍ରଥମ ଟେଷ୍ଟରୁ ବାଦ ପଡ଼ିଛନ୍ତି । ଫଳରେ ରୋହିତ ଶର୍ମାଙ୍କ ସହ ଲୋକେଶ ରାହୁଲ ପାଳି ଆରମ୍ଭ କରିବା ଆଶା କରାଯାଉଛି । ଚେତେଶ୍ୱର ପୂଜାରା, ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ ଓ ରିଷଭ ପନ୍ତ ମଧ୍ୟ ଭାଗ ସମ୍ଭାଳିବେ ।

ଜଶପ୍ରୀତ ବୁମରା, ଈଶାନ୍ତ ଶର୍ମା, ମହମ୍ମଦ ସାମି ପ୍ରଥମ ପସନ୍ଦ ପେସ୍‌ ବୋଲର । ବାକି ୨ଟି ସ୍ଥାନ ପାଇଁ ରବିଚନ୍ଦ୍ରନ ଅଶ୍ୱିନ, ରବିନ୍ଦ୍ର ଜାଡେଜା, ମହମ୍ମଦ ସିରାଜ ଓ ଶାର୍ଦ୍ଦୁଲ ଠାକୁରଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.