ବିରାଟଙ୍କ ଦ୍ୱିଶତକ, ୬୦୧ ରନ୍‌ରେ ପ୍ରଥମ ପାଳି ଘୋଷଣା କଲା ଭାରତ

ପୁନେ : ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏଠାରେ ଚାଲିଥିବା ଦ୍ୱିତୀୟ କ୍ରିକେଟ୍‌ ଟେଷ୍ଟର ଆଜି ଦ୍ୱିତୀୟ ଦିବସରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଏକ ବିରାଟ ଇନିଂସ୍‌ ଖେଳି ଦ୍ୱିଶତକ ହାସଲ କରିଛନ୍ତି । ଏହା ସହିତ ଅପରାଜିତ ୨୫୪ ରନ୍‌ କରିଛନ୍ତି । ସେ ୩୩୬ଟି ବଲ୍‌ ଖେଳି ୩୩ଟି ଚୌକା ଓ ୨ଟି ଛକା ସହାୟତାରେ ଏହି ସ୍କୋର କରିଛନ୍ତି । ଯାହା ଟେଷ୍ଟ କ୍ରିକେଟ୍‌ରେ ତାଙ୍କର ସର୍ବାଧିକ ବ୍ୟକ୍ତିଗତ ସ୍କେର । ପୂର୍ବରୁ ସେ ସର୍ବାଧିକ ୨୪୩ ରନ୍‌ କରିଥିଲେ । ଆଜି ଅପରାହ୍ନରେ ଜାଡେଜା ଆଉଟ୍‌ ହେବା ପରେ ଭାରତ ତାର ପ୍ରଥମ ପାଳିକୁ ୫ ଓ୍ଵିକେଟ୍‌ରେ ୬୦୧ ରନ୍‌ ହୋଇଥିବା ବେଳେ ସମାପ୍ତି ଘୋଷଣା କରିଥିଲା ।

VIRAT-3
ନିଜର ୨୬ତମ ଟେଷ୍ଟ ଶତକ ପଥରେ ସେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ସହିତ ପଞ୍ଚମ ଓ୍ଵିକେଟ୍‌ରେ ୨୨୫ ରନ୍‌ ଯୋଡ଼ିଥିଲେ । ପ୍ରଥମରୁ ବିରାଟଙ୍କୁ ସାଥ୍‌ ଦେଇ ମନ୍ଥର ବ୍ୟାଟିଂ କରିଥିବା ଜାଡେଜା ପରେ ଆକ୍ରମଣ କରିଥିଲେ ଏବଂ ୧୦୪ ବଲ୍‌ରେ ୯୧ ରନ୍‌ କରି ଆଉଟ୍‌ ହୋଇଥିଲେ । ତାଙ୍କ ପାଳିରେ ୮ଟି ଚୌକା ଓ ୨ଟି ଛକା ମାରିଥିବା ଜାଡେଜାଙ୍କୁ ମୁଥୁସ୍ୱାମୀ ଆଉଟ୍‌ କରିଥିଲେ । ଜାଡେଜା ଆଉଟ୍‌ ହେବା ପରେ କୋହଲି ଭାରତର ପ୍ରଥମ ପାଳିର ସମାପ୍ତି ଘୋଷଣା କରିଥିଲେ ।

ଜବାବରେ ଆଜି ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ଦଳ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସାମନା କରି ମାତ୍ର ୩୬ ରନ୍‌ରେ ୩ଟି ଓ୍ଵିକେଟ୍‌ ହରାଇଛି । ଭାରତର ପେସ୍‌ ବୋଲର୍‌ ଉମେଶ ଯାଦବ ୧୬ ରନ୍‌ ଦେଇ ୨ଟି ଓ୍ଵିକେଟ୍‌ ଦଖଲ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.