ଜନ୍ମଦିନରେ ଦମ୍‌ ଦେଖାଇଲେ ବିରାଟ କୋହଲି, ଫ୍ୟାନ୍‌ଙ୍କୁ ଭେଟିଦେଲେ ୪୯ତମ ଶତକ, ଭାରତ ୩୨୬/୫

ଖଚାଖଚ୍‌ ଦର୍ଶକ ଭରା ଇଡେନ ଗାର୍ଡନସ ଷ୍ଟାଡିୟମରେ ବିରାଟ କୋହଲି ତାଙ୍କ ଜନ୍ମ ଦିନରେ ଆଜି ଚମତ୍କାର ଶତକ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଛନ୍ତି । ଦକ୍ଷିଣ ଆଫ୍ରିକାର ଲଢୁଆ ଖେଳ ସତ୍ତ୍ୱେ ଭାରତ ୩୦୦ ରନ୍‌ ଅତିକ୍ରମ କରି ଗଲା ।

କୋଲକାତା : ବିଶ୍ୱକପ୍‌ର ଆଉ ଏକ ହାଇଭୋଲଟେଜ୍‌ ମ୍ୟାଚ୍‌ । ଏହି ମ୍ୟାଚ୍‌ରେ ଭାରତୀୟ ଦଳ ୩୨୭ ରନ୍‌ର ବିଜୟଲକ୍ଷ୍ୟ ଧାର୍ଯ୍ୟ କରିଛି ଦକ୍ଷିଣ ଆଫ୍ରିକା ପାଇଁ । ଖଚାଖଚ୍‌ ଦର୍ଶକ ଭରା ଇଡେନ ଗାର୍ଡନସ ଷ୍ଟାଡିୟମରେ ବିରାଟ କୋହଲି ତାଙ୍କ ଜନ୍ମ ଦିନରେ ଆଜି ଚମତ୍କାର ଶତକ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଛନ୍ତି । ଦକ୍ଷିଣ ଆଫ୍ରିକାର ଲଢୁଆ ଖେଳ ସତ୍ତ୍ୱେ ଭାରତ ୩୦୦ ରନ୍‌ ଅତିକ୍ରମ କରି ଗଲା ।

ଆଜି ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲେ । ଆରମ୍ଭରୁ ସେ ନିଜେ ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ଏମିତି ଆକ୍ରମଣ କରିଥିଲେ ଯେ ଲାଗୁଥିଲା ଯେମିତି ବୋଲରମାନେ ତ୍ରାହି ପାଇବେ ନାହିଁ । ସେ ମାତ୍ର ୨୪ ବଲ୍‌ ଖେଳି ୨ଟି ଛକା ଏବଂ ୬ଟି ଚୌକା ମାରି ୪୦ ରନ୍‌ କରିବା ପରେ ରବାଡ଼ାଙ୍କ ବଲରେ ଆଉଟ୍‌ ହୋଇ ଯାଇଥିଲେ । ଏହାପରେ ଶୁବମନ ଗିଲ୍‌ ମଧ୍ୟ ବେଶି ସମୟ ରହି ପାରିନଥିଲେ । ୨୩ ରନ୍‌ କରି ମହାରାଜାଙ୍କ ଏକ ଚମତ୍କାର ବଲ୍‌୍‌ରେ ବିଦାୟ ନେଇଥିଲେ । ତେବେ ଏହି ସଂକଟ ସମୟରେ ବିରାଟ କୋହଲି ଏବଂ ଶ୍ରେୟଶ ଆୟର ଦାୟିତ୍ୱର ସହ ଖେଳି ପାଳି ସମ୍ଭାଳିଥିଲେ । ଏ ଦୁହେଁ ତୃତୀୟ ଓ୍ଵିକେଟ୍‌ରେ ୧୩୪ ରନ୍‌ ସଂଗ୍ରହ କରି ଦଳକୁ ମଜବୁତ ସ୍ଥିତିକୁ ନେଇ ଆସିଥିଲେ । ଦକ୍ଷିଣ ଆଫ୍ରିକାର ବଢ଼ିଆ ସ୍ପିନ୍‌ ଆକ୍ରମଣ ସହ ଚମତ୍କାର ଫିଲଡିଂ ଯୋଗୁଁ ଏମାନଙ୍କ ଗତି ଧିମେଇ ଯାଇଥିଲା । ତଥାପି ମନୋବଳ ଦୃଢ଼ ରଖି କୋହଲି ଓ ଆୟର ମୁକାବିଲା କରିଥିଲେ ।

ଶ୍ରେୟଶ ଆୟର ୮୭ ବଲ୍‌୍‌ରେ ୭୭ ରନ୍‌ (୭ ଚୌକା, ୨ ଛକା) କରି ଆଉଟ୍‌ ହୋଇ ଯାଇଥିଲେ । ପରେ କେଏଲ୍‌ ରାହୁଲ ମାତ୍ର ୮ ଏବଂ ସୂର୍ଯ୍ୟ କୁମାର ଯାଦବ ୨୨ ରନ୍‌ କରି ପଡ଼ିଆ ଛାଡ଼ିଥିଲେ । ତେବେ ଗୋଟିଏ ପଟେ କିଙ୍ଗ କୋହଲି ଜଗି ରହି ନିଜ ଶତକ ପୂରଣ କରିବା ସହ ସ୍କୋରକୁ ଆଗକୁ ବଢ଼ାଇଥିଲେ । ଶେଷ ଭାଗରେ ରବୀନ୍ଦ୍ର ଜାଡେଜାଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଭଲ କାମ ଦେଇଥିଲା ଯାହାଫଳରେ ଭାରତ ୫୦ ଓଭରରେ ୫ ଓ୍ଵିକେଟ୍‌ ହରାଇ ୩୨୬ ରନ୍‌ କରିଥିଲା ।

କୋହଲି ୧୨୧ ବଲ୍‌ ଖେଳି ୧୦ଟି ଚୌକା ସହାୟତାରେ ଅପରାଜିତ ୧୦୧ ରନ୍‌ କରିଛନ୍ତି । ଜାଡେଜା ମାତ୍ର ୧୫ ବଲ୍‌ରେ ଗୋଟିଏ ଛକା ଓ ୩ଟି ଚୌକା ମାରି ୨୯ ରନ୍‌ର ଅପରାଜିତ ପାଳି ଖେଳିଛନ୍ତି । ଦକ୍ଷିଣ ଆଫ୍ରିକା ପକ୍ଷରୁ ୬ ଜଲ ବୋଲର ବୋଲିଂ କରିଥିବା ବେଳେ ୫ ଜଣ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ପାଇଛନ୍ତି ।

ଜନ୍ମ ଦିନରେ କୋହଲିଙ୍କ ଶତକ ଓ ରେକର୍ଡ଼

ଜନ୍ମ ଦିନରେ ଶତକ ହାସଲ କରିବାରେ ବିରାଟ ହେଉଛନ୍ତି ବିଶ୍ୱର ଅଷ୍ଟମ ଖେଳାଳି । ପୂର୍ବରୁ ବିନୋଦ କାମ୍ବଲି, ସଚିନ ତେନ୍ଦୁଲକର, ସନତ ଜୟସୂରିୟା, ରଜ୍‌ ଟେଲର, ଟମ୍‌ ଲାଥମ ଏବଂ ମିଚେଲ ମାର୍ଶ । ଟେଲର, ମାର୍ଶ ଓ କୋହଲି ଏମାନେ ସମସ୍ତେ ବିଶ୍ୱକପ୍‌ରେ ଏହି ସଫଳତା ଲାଭ କରିଛନ୍ତି । ସବୁଠାରୁ କମ୍‌ ଇନିଂସ୍‌ ଖେଳି କୋହଲି ଦିନିକିଆରେ ତାଙ୍କର ୪୯ତମ ଶତକ ହାସଲ କରିଛନ୍ତି ସେ ୨୭୭ ଇନିଂସରେ ଏହି ଗୌରବ ଲାଭ କରିଛନ୍ତି ।

କୋହଲି ଦିନିକିଆରେ ୪୯ ଏବଂ ଟେଷ୍ଟରେ ୨୯ଟି ଶତକ ହାସଲ କରିଥିବା ବେଳେ ଟି-୨୦ରେ ଗୋଟିଏ ଶତକ କରିଛନ୍ତି । ମୋଟରେ ତାଙ୍କର ଶତକ ସଂଖ୍ୟା ୭୯ରେ ପହଞ୍ଚିଲା । ଦିନିକିଆ ଶତକରେ ସେ ସଚିନ ତେନ୍ଦୁଲକରଙ୍କ ସମକକ୍ଷ ହୋଇଛନ୍ତି । ଯାହା ବିଶ୍ୱରେ ସର୍ବାଧିକ । ଆଉ ଗୋଟିଏ ଶତକ କଲେ ସେ ସଚିନ୍‌ଙ୍କୁ ଟପି ବିଶ୍ୱର ସର୍ବାଧିକ ଦିନିକିଆ ଶତକ ହାସଲକାରୀ ହେବେ । ଅବଶ୍ୟ ସଚିନ୍‌ ୪୫୨ ଇନିଂସ୍‌ ଖେଳି ୪୯ ଶତକ ହାସଲ କରିଥିଲେ । ତାଙ୍କ ପଛକୁ ରୋହିତ ଶର୍ମା ୩୧, ରିକି ପଣ୍ଟିଂ ୩୦ ଏବଂ ସନତ୍‌ ଜୟସୂରିୟା ୨୮ଟି ଶତକ ହାସଲ କରିଛନ୍ତି । ତେବେ ଏମାନଙ୍କ ମଧ୍ୟରୁ ବିରାଟଙ୍କ ସହ କେବଳ ରୋହିତ ଖେଳୁଥିବା ବେଳେ ଅନ୍ୟମାନେ ଅବସର ନେଇ ସାରିଛନ୍ତି ।

ପଏଣ୍ଟ ଟେବୁଲରେ ବର୍ତ୍ତମାନ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଭାରତ ଏବଂ ଦକ୍ଷିଣ ଆଫ୍ରିକା । ଆଜିର ମ୍ୟାଚ୍‌ ଏକ ପ୍ରକାର ସେମିଫାଇନାଲ୍‌ ଖେଳ ବୋଲି କହିଲେ ଭୁଲ ହେବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.