ଚନ୍ଦ୍ରଯାନ-୩ ସଫଳତା ପରେ ଭାଇରଲ ହେଉଛି ମୁମ୍ବାଇ ଇଣ୍ଡିଆନ୍ସର ପୋଷ୍ଟ, ବିଶ୍ୱକପ ୨୦୨୩ ସହିତ ରହିଛି କି ସାମଞ୍ଜସ୍ୟ !

ଚନ୍ଦ୍ରରେ ପାଦ ଥାପିଛି ଚନ୍ଦ୍ରଯାନ-୩ । ଆଉ ଏହି ସଫଳତାକୁ ବିଶ୍ୱକପ ସହିତ ସଂଯୋଗ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ମୁମ୍ବାଇ ଇଣ୍ଡିଆନ୍ସର ଏକ ପୋଷ୍ଟ ଏବେ ଭାଇରଲ ହେବାରେ ଲାଗିଛି ।

ଚନ୍ଦ୍ରଯାନ-୩ ସଫଳତାର ସହିତ ଚନ୍ଦ୍ରରେ ପାଦ ଥାପିବା ପରେ ଭାରତ ଇତିହାସ ରଚିଛି । ଏହାକୁ ନେଇ ସମଗ୍ର ବିଶ୍ୱରେ ଭାରତକୁ ପ୍ରଶଂସା କରାଯାଉଛି । ଚନ୍ଦ୍ରକୁ ଛୁଇଁଥିବା ଦେଶ ମଧ୍ୟରେ ଭାରତ ୪ର୍ଥ ସ୍ଥାନରେ ରହିଛି । ଚନ୍ଦ୍ରରେ ଚନ୍ଦ୍ରଯାନ-୩ ସଫଳ ଲ୍ୟାଣ୍ଡ କରିବା ପରେ ସାରା ଦେଶରେ ଖୁସିର ମାହୋଲ ଖେଳିଯାଇଛି । ତେବେ ଚନ୍ଦ୍ରଯାନ ସହିତ ବିଶ୍ୱକପର ସଂପର୍କ ଥିବା ନେଇ ମୁମ୍ବାଇ ଇଣ୍ଡିଆନ୍ସ ପୋଷ୍ଟ ସେୟାର କରିଛି ।

ଚନ୍ଦ୍ରଯାନର ସଫଳତା ପରେ ଖେଳ ଦୁନିଆରେ ମଧ୍ୟ ହଇଚଇ ସୃଷ୍ଟି ହୋଇଛି । ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଏକ ପୋଷ୍ଟ କରାଯାଇଛି, ଯାହା ଏବେ ଭାଇରଲ ହେବାରେ ଲାଗିଛି । ମୁମ୍ବାଇ ଇଣ୍ଡିଆନ୍ସ ସେୟାର କରିଥିବା ପୋଷ୍ଟରେ ଦେଖିବାକୁ ମିଳିଛି, ଗତ ୨୦୧୯ରେ ଭାରତ ଚନ୍ଦ୍ରଯାନ-୨ ଚନ୍ଦ୍ରକୁ ପଠାଇଥିଲା । କିନ୍ତୁ ଚନ୍ଦ୍ରର ଖୁବ ନିକଟତର ହୋଇ ମଧ୍ୟ ଏହା ବିଫଳ ହୋଇଥିଲା । ସେହିପରି ୨୦୧୯ ଦିନିକିଆ ବିଶ୍ୱକପରେ ଭାରତ ଟ୍ରଫିର ଖୁବ ନିକଟତର ହୋଇ ମଧ୍ୟ ଚାମ୍ପିଅନ ହୋଇ ପାରି ନଥିଲା । ମାତ୍ର ୨୧ ରନରେ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ଠାରୁ ହାରିଥିଲା ଭାରତ । ୨୦୨୩ ରେ ଚନ୍ଦ୍ରଯାନ-୩ ଚନ୍ଦ୍ରରେ ପହଞ୍ଚି ସଫଳତା ହାସଲ କରିଛି । ସେପଟେ ଚଳିତବର୍ଷ ମଧ୍ୟ ଦିନିକିଆ ବିଶ୍ୱକପ ହେବାକୁ ଯାଉଛି । ତେଣୁ ଏଥିରେ ଚନ୍ଦ୍ରଯାନ ଭଳି ବିଶ୍ୱକପରେ ମଧ୍ୟ ଭାରତ ଦମଦାର କମବ୍ୟାକ କରିବା ସହ ଟ୍ରଫି ହାତେଇବାର ସୁବର୍ଣ୍ଣ ସୁଯୋଗ ପାଇବ ।

ମୁମ୍ବାଇ ଇଣ୍ଡିଆନ୍ସ ସେୟାର କରି ବାର୍ତ୍ତା ଦେଇଛି କି, କିଭଳି ଇସ୍ରୋ ପ୍ରଥମେ ବିଫଳତା ପରେ ସଫଳତା ପାଇଛି । ସେହିପରି ଟିମ୍‌ ଇଣ୍ଡିଆ ମଧ୍ୟ ୨୦୧୯ ବିଶ୍ୱକପ ବିଫଳତା ପରେ ଚଳିତବର୍ଷ ବିଶ୍ୱକପ୍‌ ଜିତିପାରେ ।

୨୦୨୩ ଦିନିକିଆ ବିଶ୍ୱକପ ଅଧିନାୟକ ଭାବରେ ରୋହିତଙ୍କର ପ୍ରଥମ ଆଇସିସି ଟୁର୍ଣ୍ଣାମେଣ୍ଟ । ୨୦୧୩ ମସିହାରେ ଧୋନିଙ୍କ ନେତୃତ୍ୱରେ ଭାରତ ଶେଷ ଆଇସିସି ଟ୍ରଫି ହାସଲ କରିଥିଲା । ଏହାପରେ ଗତବର୍ଷ ଟି୨୦ ବିଶ୍ୱକପର ସେମି ଫାଇନାଲରେ ଇଂଲଣ୍ଡଠାରୁ ପରାଜୟ ହୋଇଥିବା ବେଳେ ଚଳିତବର୍ଷ ଜୁନ୍ ମାସରେ ଅଷ୍ଟ୍ରେଲିଆ ହାତରୁ ପରାସ୍ତ ହୋଇ ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଟ୍ରଫି ମଧ୍ୟ ହାତଛଡ଼ା କରିଛି । ବିଶ୍ୱକପ ପାଇଁ ଖେଳସୂଚୀ ଜାରି ହୋଇଯାଇଛି । ଏସିଆ କପ୍‌ ସରିବା ପରେ ବିଶ୍ୱକପ୍‌ ୨୦୨୩ ଆରମ୍ଭ ହେବ । ଅକ୍ଟୋବର ୫ରୁ ଆରମ୍ଭ ହୋଇ ଫାଇନାଲ ମ୍ୟାଚ ୧୯ ନଭେମ୍ବରରେ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ । ଦୁନିଆର ସବୁଠୁ ବଡ କ୍ରିକେଟ ଷ୍ଟାଡିୟମ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ ଅନୁଷ୍ଠିତ ହେବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.