ମୁମ୍ବାଇ ଇଣ୍ଡିଆନ୍ସକୁ ଲାଗିଲା ଝଟକା, ଆଇପିଏଲ ସିଜିନରୁ ବାଦ୍‌ ପଡିଲେ ଜୋଫ୍ରା ଆର୍ଚର

ଆଇପିଏଲ୍‌ ୨୦୨୩ରେ ମୁମ୍ବାଇ ଇଣ୍ଡିଆନ୍ସକୁ ଲାଗିଲା ବଡ ଝଟକା । ଟିମରୁ ବାଦ୍‌ ପଡିଲେ ପ୍ରମୁଖ ବୋଲର ଜୋଫ୍ରା ଆର୍ଚର । ତାଙ୍କ ସ୍ଥାନରେ ଟିମରେ ସାମିଲ ହୋଇଛନ୍ତି କ୍ରିସ ଜୋର୍ଡନ ।

ମୁମ୍ବାଇ ଇଣ୍ଡିଆନ୍ସକୁ ଆଇପିଏଲ୍‌ ୨୦୨୩ରେ ଲାଗିଛି ବଡ ଝଟକା । ଟିମର ପ୍ରମୁଖ ବୋଲର ଜୋଫ୍ରା ଆର୍ଚର ଟିମରୁ ବାଦ୍‌ ପଡିଛନ୍ତି । ମୁମ୍ବାଇ ଜୋଫ୍ରାଙ୍କୁ ୮ କୋଟି ଟଙ୍କାରେ କିଣିଥିଲା । ଜୋଫ୍ରା ଟିମରୁ ବାଦ୍‌ ପଡିବା ପରେ ତାଙ୍କ ସ୍ଥାନରେ କ୍ରିସ ଜୋର୍ଡନ ସାମିଲ ହୋଇଛନ୍ତି । ଟ୍ଵିଟ୍‌ କରି ସୂଚନା ଦେଇଛି ମୁମ୍ବାଇ ଇଣ୍ଡିଆନ୍ସ । ଆହତ ସମସ୍ୟା ପାଇଁ ଗତ ବର୍ଷ ମୁମ୍ବାଇ ପାଇଁ ଖେଳି ନଥିବା ଆର୍ଚର ଏଥର କମବ୍ୟାକ କରିଥିଲେ।

କିନ୍ତୁ ଫିଟନେସ ଯୋଗୁ ସେ ନିୟମିତ ମ୍ୟାଚ୍ ଖେଳିବାରୁ ବଞ୍ଚିତ ହୋଇଥିଲେ। ସେହିପରି ଯେଉଁ ସବୁ ମ୍ୟାଚ୍ ଖେଳିଥିଲେ, ସେଥିରେ ମଧ୍ୟ ସେ ଆଖି ଦୃଶିଆ ପ୍ରଦର୍ଶନ କରି ନଥିଲେ। ଜୋଫ୍ରା ଚଳିତ ଆଇପିଏଲ୍‌ ସିଜିନରେ ୫ଟି ମ୍ୟାଚ ଖେଳିଛନ୍ତି । ଏହିସବୁ ମ୍ୟାଚରେ ମାତ୍ର ୨ଟି ଓ୍ଵିକେଟ ନେଇଛନ୍ତି । ତାଙ୍କ ଆହତ ସମସ୍ୟାକୁ ଦୃଷ୍ଟିରେ ରଖି ଜୋଫ୍ରା ସ୍କ୍ୱାର୍ଡରୁ ବାହାରି ଯାଇଛନ୍ତି।

ଏବେ ଆର୍ଚର ସ୍ୱଦେଶ ଫେରିଯିବେ ଓ ଇସିବି ତାଙ୍କ ସ୍ୱାସ୍ଥ୍ୟାବସ୍ଥାର ସମୀକ୍ଷା କରିବ। ତେବେ ଟିମରେ ସାମିଲ ହୋଇଥିବା କ୍ରିସ ଜୋର୍ଡନଙ୍କୁ ମୁମ୍ବାଇ ୨ କୋଟି ଟଙ୍କାରେ ଚୁକ୍ତି କରିଛି।

୨୦୧୬ରେ ଆଇପିଏଲରେ ଡେବ୍ୟୁ କରିଥିବା ଜୋର୍ଡାନ ଏଯାଏ ୨୮ଟି ମ୍ୟାଚ୍ ଖେଳି ୨୭ଟି ୱିକେଟ ନେଇଛନ୍ତି। ତେବେ ସେ ଇଂଲଣ୍ଡ ପାଇଁ ୮୭ଟି ଟି-୨୦ରେ ୯୬ଟି ୱିକେଟ ହାସଲ କରିଛନ୍ତି ।

ଗତବର୍ଷ ଜୋର୍ଡାନଙ୍କ ବେସ ପ୍ରାଇସ ଆଇପିଏଲରେ ୨ କୋଟି ରହିଥିଲା। କିନ୍ତୁ ତାଙ୍କୁ କୌଣସି ଟିମ୍‌ କିଣିନଥିଲା । ଜୋର୍ଡାନ ଏହା ପୂର୍ବରୁ ଆଇପିଏଲରେ କିଙ୍ଗସ ଇଲେଭେନ ପଞ୍ଜାବ, ସନରାଇଜର୍ସ ହାଇଦ୍ରାବାଦ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ଚେନ୍ନାଇ ସୁପରକିଙ୍ଗସ ପାଇଁ ଖେଳିସାରିଛନ୍ତି ।

ତେବେ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲରେ ଏପର୍ଯ୍ୟନ୍ତ ୧୧ଟି ମ୍ୟାଚ ଖେଳିଛି । ଯେଉଁଥିରୁ ୬ଟି ମ୍ୟାଚ୍‌ ଜିତିଛି । ମୁମ୍ବାଇ ଏବେ ୧୨ ପଏଣ୍ଟ ହାସଲ କରି ଟେବୁଲରେ ୩ ନମ୍ବର ସ୍ଥାନରେ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.