ଟି-୨୦ ବିଶ୍ୱକପ୍‌: କରୋନା ସଂକ୍ରମିତ ଖେଳାଳି ମଧ୍ୟ ଖେଳି ପାରିବେ ଟୁର୍ଣ୍ଣାମେଣ୍ଟ; ICC କଲା ବଡ଼ ଘୋଷଣା

ଟି-୨୦ ବିଶ୍ୱକପ୍‌ ଅଷ୍ଟ୍ରେଲିଆରେ ଆରମ୍ଭ ହୋଇଯାଇଛି। ଏଥର ଟୁର୍ଣ୍ଣାମେଣ୍ଟରେ ଅନେକ କିଛି ପରିବର୍ତ୍ତନ ହୋଇଥିବାର ନଜର ଆସିବ। ଇଣ୍ଟରନ୍ୟାସନାଲ କ୍ରିକେଟ କାଉନସିଲ (ICC ) କରୋନା ସମ୍ବନ୍ଧୀୟ ପ୍ରସଙ୍ଗରେ ସବୁଠାରୁ ବଡ଼ ପରିବର୍ତ୍ତନ କରିଛି।

ଯେବେଠାରୁ କରୋନା ଆସିଛି, ସେବେଠାରୁ ଏଥିରେ ସଂକ୍ରମିତ ଖେଳାଳିମାନଙ୍କୁ ନିର୍ଦ୍ଦିଷ୍ଟ ଦିନ ପାଇଁ ଆଇସୋଲେଟ୍‌ ହେବାକୁ ପଡ଼ିଥାଏ। କିନ୍ତୁ ବର୍ତ୍ତମାନ ଆଇସିସି ଏଥିରେ ବଡ଼ ପରିବର୍ତ୍ତନ କରିଛି। ବିଶ୍ୱକପ୍‌ରେ କରୋନା ସଂକ୍ରମିତ ଖେଳାଳିଙ୍କୁ ମଧ୍ୟ ଖେଳିବାକୁ ଅନୁମତି ମିଳିବ।

ଚଳିତ ସପ୍ତାହ ଆରମ୍ଭରେ ହିଁ ଅଷ୍ଟ୍ରେଲିଆ ସରକାର କରୋନା ସଂକ୍ରମିତ ଲୋକଙ୍କ ଆଇସୋଲେସନକୁ ବନ୍ଦ କରିଥିଲେ। ଏବେ ବିଶ୍ୱ କପ ଖେଳୁଥିବା ଖେଳାଳିଙ୍କ ପାଇଁ ଆଇସିସି ମଧ୍ୟ ଏମିତି କରିବାକୁ ନିଷ୍ପତ୍ତି ନେଇଛି। ଟୁର୍ନାମେଣ୍ଟ ସମୟରେ ବାଧ୍ୟତା ମୂଳକ ଭାବରେ ପରୀକ୍ଷା କରାଯିବ ନାହିଁ। ଯଦି କୌଣସି ଖେଳାଳି କରୋନା ସଂକ୍ରମିତ ହୋଇ ଥାଆନ୍ତି, ତା’ ହେଲେ ତାଙ୍କୁ ନେବା କିମ୍ବା ବିଶ୍ରାମ ଦେବାର ନିଷ୍ପତ୍ତି ଟିମ୍‌ ଡାକ୍ତରଙ୍କୁ ନେବାକୁ ହେବ। ଉକ୍ତ ଖେଳାଳିଙ୍କୁ ମଇଦାନକୁ ଅଣାଯିବ ନା ବାକି ଖେଳାଳିଙ୍କ ଠାରୁ ଅଲଗା କରାଯିବ, ସେ ନେଇ ଟିମ୍‌ର ଡାକ୍ତର ସମ୍ପୂର୍ଣ୍ଣ ଦାୟିତ୍ୱ ଗ୍ରହଣ କରିବେ।

ଗତ ବର୍ଷ ୟୁଏଇରେ ଖେଳା ଯାଇଥିବା ଟି-୨୦ ବିଶ୍ୱ କପ ପାଇଁ କଡ଼ା ବାୟୋ ବବଲ କରାଯାଇଥିଲା। ଏହି ସମୟରେ ଖେଳାଳି ମାନେ ବବଲରୁ ବାହାରକୁ ଯାଇ ପାରି ନ ଥିଲେ ଏବଂ ବାହାରେ କୌଣସି ବ୍ୟକ୍ତିଙ୍କୁ ଭେଟି ପାରି ନ ଥିଲେ। ଗତ ବର୍ଷର ବିଶ୍ୱ କପ୍‌ରେ କରୋନା ସଂକ୍ରମିତ ବ୍ୟକ୍ତିଙ୍କୁ ଏକ ସପ୍ତାହ ପାଇଁ ମଧ୍ୟ ଆଇସୋଲେଟ୍‌ କରାଯାଇଥିଲା। ଯଦିଓ ଆଶ୍ୱସ୍ତିକର କଥା ଥିଲା ଯେ ଗତ ବର୍ଷ କରୋନା ଯୋଗୁ ଟୁର୍ନାମେଣ୍ଟ ପ୍ରଭାବିତ ହୋଇ ନ ଥିଲା।

ରାଜ୍ୟଗୋଷ୍ଠୀ କ୍ରୀଡ଼ା ଫାଇନାଲରେ ଖେଳିଥିଲେ କରୋନା ସଂକ୍ରମିତ ଖେଳାଳି

ଚଳିତ ବର୍ଷ ହୋଇଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମହିଳା କ୍ରିକେଟ୍‌କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଥିଲା। ଏହାର ଫାଇନାଲ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିଲା। ଫାଇନାଲର ସକାଳେ ଅଷ୍ଟ୍ରେଲିଆର ଅଲରାଉଣ୍ଡର ତାଲିୟା ମ୍ୟାକଗ୍ରାଥ କରୋନା ସଂକ୍ରମିତ ମିଳିଥିଲେ, କିନ୍ତୁ ତାଙ୍କୁ ଫାଇନାଲରେ ଖେଳିବାକୁ ଅନୁମତି ଦିଆଯାଇଥିଲା, ଯାହା ଫଳରେ ସେ ଫାଇନାଲରେ ଖେଳିବାର ସୁଯୋଗ ପାଇଥିଲେ।

ଜାଣନ୍ତୁ ଟୁର୍ଣ୍ଣାମେଣ୍ଟର ଫର୍ମାଟ୍‌

ଚଳିତ ଟି-୨୦ ବିଶ୍ୱକପ୍‌ର ଫର୍ମାଟ୍‌ କ’ଣ ଆସନ୍ତୁ ଜାଣିବା। ଏଥର ଟୁର୍ଣ୍ଣାମେଣ୍ଟ ତିନିଟି ପର୍ଯ୍ୟାୟରେ ଖେଳାଯିବ। ପ୍ରଥମ ରାଉଣ୍ଡରେ ୮ଟି ଟିମ୍‌ ରାଉଣ୍ଡରବିନ ଭିତ୍ତିରେ ପରସ୍ପରକୁ ଭେଟିବେ। ଏହାକୁ ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡ କହିଲେ ଭୁଲ ହେବ ନାହିଁ। ସେଥିରୁ ୪ଟି ଟିମ୍‌ ସୁପର-୧୨ ରାଉଣ୍ଡକୁ ଯିବେ। ଅକ୍ଟୋବର ୨୨ରୁ ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ସୁପର-୧୨ ରାଉଣ୍ଡ ମ୍ୟାଚ୍‌ ଖେଳାଯିବ। ଏଥିରେ ମୋଟ୍‌ ୩୦ଟି ମ୍ୟାଚ ରହିଛି। ଏଥିରୁ ୪ଟି ଟିମ୍‌ ସେମିଫାଇନାଲ୍‌କୁ ଯିବେ। ପ୍ରଥମ ସେମି ଫାଇନାଲ୍‌ ନଭେମ୍ବର ୯ ଏବଂ ଦ୍ୱିତୀୟ ସେମି ଫାଇନାଲ୍‌ ନଭେମ୍ବର ୧୦ ତାରିଖରେ ଖେଳାଯିବ। ଫାଇନାଲ୍‌ ମ୍ୟାଚ୍‌ ହେବ ନଭେମ୍ବର ୧୩ ତାରିଖରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.