ଦୂତୀ ଚାନ୍ଦଙ୍କ ପାଇଁ ଦେଢ଼କୋଟି ଟଙ୍କା ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର(କେନ୍ଯୁଜ୍) :ଜାକର୍ତ୍ତା ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ଜିତିବା ପରେ ଦୂତୀ ଚାନ୍ଦଙ୍କ ପାଇଁ ପୁରସ୍କାର ଘୋଷଣା । ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ଦେଢ଼କୋଟି ଟଙ୍କାର ପୁରସ୍କାର ରାଶି ଦିଆଯିବ । ଦୂତୀ କଠିନ ପରିଶ୍ରମ, ଧୈର୍ୟ୍ୟ ବଳରେ ସଫଳତା ହାସଲ କରିଥିବାରୁ ଏହି ପୁରସ୍କାର ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତକାଲି ମହିଳା ଶହେ ମିଟର ରେସ୍‌ରେ ରୌପ୍ୟ ପଦକ ହାସଲ କରିଥିଲେ କିଟ୍‌ ଛାତ୍ରୀ ତଥା ଓଡ଼ିଶାର ଦୌଡ଼ରାଣୀ ଦୂତୀ ଚାନ୍ଦ । ୧୧ ଦଶମିକ ୩୨ ସେକେଣ୍ଡରେ ଶହେ ମିଟର ଦୌଡ଼ି ସଫଳତା ପାଇଥିଲେ ଦୂତୀ । ଏହାସହ ୨୦ ବର୍ଷ ପରେ ଏହି ଇଭେଣ୍ଟରେ ଓଡ଼ିଶା ଆଥଲେଟ୍‌ ଭାବରେ ପଦକ ଜିତି ଦେଶକୁ ଦୂତୀ ଗୌରବାନ୍ଵିତ କରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ୧୯୯୮ ଏସିଆନ୍‌ ଗେମ୍ସରେ ଓଡ଼ିଆ ଖେଳାଳି ରଚିତା ପଣ୍ଡା ମିସ୍ତ୍ରୀ ମହିଳା ଶହେ ମିଟର ରେସ୍‌ରେ ବ୍ରୋଞ୍ଜ ପଦକ ପାଇଥିଲେ ।

ମୁଖ୍ଯମନ୍ତ୍ରୀଙ୍କୁ ପୁରସ୍କାର ପରେ ଦୂତୀଙ୍କ ପ୍ରତିକ୍ରିୟା :

ପୁରସ୍କାର ରାଶି ଘୋଷଣା କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଦୂତୀ ଚାନ୍ଦ । ନିଜ ସଫଳତା ପାଇଁ ଖୁସି ପ୍ରକାଶ କରିଛନ୍ତି । ସେହିପରି କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ବି ଧନ୍ୟବାଦ ଜଣାଇଛନ୍ତି ଦୂତୀ ଚାନ୍ଦ । ଦୂତୀ କହିଛନ୍ତି, କ୍ରୀଡ଼ାର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାର ବହୁ ଯୋଜନା କରୁଛନ୍ତି । ଖେଳାଳିଙ୍କୁ ବି ପ୍ରୋତ୍ସାହିତ କରୁଛନ୍ତି । ଆଗକୁ ୨ ଶହ ମିଟର ଦୌଡରେ ଭଲ ପ୍ରଦର୍ଶନ କରିବେ ବୋଲି କଳିଙ୍ଗ ଟିଭିକୁ ପ୍ରତିକ୍ରିୟାରେ କହିଛନ୍ତି ଦୂତୀ ଚାନ୍ଦ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.