ଫିଫା ବିଶ୍ୱକପ୍‌ : ଏଥର ଖେଳା ଯାଉଛି ସେନସର ଲାଗିଥିବା ବଲ୍‌ରେ, ନାଁ ହେଉଛି ‘ଅଲ ରିହଲା’

କେନ୍ୟୁଜ୍ ବ୍ୟୁରୋ: ଚଳିତ ଫିଫା ବିଶ୍ୱକପରେ କିଛି ନୂଆ ହେବାକୁ ଯାଉଛି । ଏଥର ପଡ଼ିଆରେ ଗଡ଼ିବ ନୂଆ ଟେକନୋଲୋଜିରେ ନିର୍ମିତ ବଲ, ଯାହାର ନାମ ରହିଛି ‘ଅଲ ରିହାଲ’ । ଆରବିକ୍ ଭାଷାରେ ଏହାର ଅର୍ଥ ହେଉଛି, ‘ ଦ ଜର୍ଣ୍ଣି’ । ଏହି ବଲ୍ରେ ଯେଉଁ ଜ୍ଞାନ କୌଶଳ ବ୍ୟବହାର କରାଯାଇଛି ତାହା ବିଶ୍ୱକପରେ ଖେଳ ପରିଚାଳନା ପାଇଁ ବହୁତ ସାହାଯ୍ୟ କରିବ । ପ୍ରଥମ କରି ବଲ୍ରେ ଅନେକ କିଛି ନୂତନ ଜିନିଷ ସଂଯୋଗ କରାଯାଇଛି । ଏଥିରେ ଅତ୍ୟାଧୁନିକ ‘ବଲ ସଂଯୋଗ ଜ୍ଞାନକୌଶଳ’ ବ୍ୟବହାର କରା ହୋଇଛି । ଯାହା ଦ୍ୱାରା ରେଫରିଙ୍କ ପାଖକୁ ସଠିକ ତଥ୍ୟ ଏବଂ ଶୀଘ୍ର ପହଞ୍ଚି ପାରିବ । ଏହା ଫଳରେ ମ୍ୟାଚ୍ ପରିଚାଳନା ଅଧିକାରୀ ସଠିକ୍ ଏବଂ ଶୀଘ୍ର ନିଷ୍ପତି ନେଇ ପାରିବେ ।

ଏହି ବଲରେ ବ୍ୟବହାର ହୋଇଥିବା ଜ୍ଞାନ କୌଶଳ ଯୋଗୁଁ ରେଫରି ଯେକୌଣସି ସମୟରେ ଖେଳର ଗତି ବିଧି ଏବଂ ଖେଳାଳିଙ୍କ ଉପରେ ନଜର ରଖି ପାରିବେ । ଏଥିରେ ରେଫରି ମଧ୍ୟ ପୂରା ଲାଇଭ୍ ଭିଡିଓ ଦେଖି ପାରିବେ । ଏହି ବଲ, ବଲ ସଂଯୋଗ କୌଶଳ ମାଧ୍ୟମରେ ମ୍ୟାଚ୍ର ପରିଚାଳନା କମିଟି ଏବଂ ରେଫରିଙ୍କୁ ଭିଡିଓ ମାଧ୍ୟମରେ ସୂଚନା ଦେବ । ପୁଣି ଖେଳର ପରିଚାଳନାକୁ ପୂରା ସହଜ ସୁନ୍ଦର କରିବା ସହିତ ସମୟ ବି ବଞ୍ଚାଇବ ।
ଏହି ବଲକୁ ବହୁରାଷ୍ଟ୍ରୀୟ କମ୍ପାନୀ ଆଦିଦାସ୍ ପକ୍ଷରୁ ତିଆରି କରାଯାଇଛି । ଗତ ମାର୍ଚ୍ଚ ମାସ ରେ କମ୍ପାନି ପକ୍ଷରୁ ଏହି ବଲକୁ ଉନ୍ମୋଚନ କରାଯାଇଥିଲା । ବଲର ଉପର ଭାଗରେ ପାଣି ମିଶ୍ରିତ ରଙ୍ଗ ଏବଂ ଅଠାକୁ ବ୍ୟବହାର କରାଯାଇଛି । ଆରବୀୟ କଳା, ସଂସ୍କୃତି ଏବଂ ଜାତୀୟ ପତାକାର ରଙ୍ଗକୁ ବଲ ଉପରେ ଚିତ୍ରଣ କରାଯାଇଛି ।ଏହି ବଲର ମଝିରେ ଆଦିଦାସ୍ର ସସ୍ପେନ୍ସ ସିଷ୍ଟମ ଲଗାଯାଇଛି । ଏଥିରେ ୫୦୦ ହର୍ଜର ଇଣ୍ଟେରିଆଲ୍ ମେଜରମେଣ୍ଟ ୟୁନିଟ୍ (ଆଇଏମ୍ୟୁ) ମୋସନ ସେନ୍ସର ରହିଛି । ଏହି ସେନ୍ସର ପ୍ରତ୍ୟେକ ସେକେଣ୍ଡର ତଥ୍ୟକୁ ରେକର୍ଡ କରିବ । ସେନ୍ସରଗୁଡ଼ିକ ମଧ୍ୟ ଏକ ବ୍ୟାଟେରୀ ଦ୍ୱାରା ପରିଚାଳିତ ହେବ । ଏହି ସବୁ ଜ୍ଞାନକୌଶଳ ବଲର ଭିତର ଅଂଶରେ ବ୍ୟବହାର ହେଉଥିବାରୁ ଏହା ଖେଳାଳିଙ୍କୁ ଦେଖାଯିବ ନାହିଁ । ତେଣୁ ଖେଳ ଏବଂ ଖେଳାଳିଙ୍କ ପ୍ରଦର୍ଶନ ଉପରେ ଏହା କୌଣସି ପ୍ରଭାବ ପକାଇବ ନାହିଁ ବୋଲି କମ୍ପାନି ଦାବି କରିଛି ।

ଏହି ନୂଆ ପ୍ରକାରର ଜ୍ଞାନକୌଶଳକୁ ଫିଫା ଏବଂ ସେନସର୍ ନେଟ୍ଓ୍ଵର୍କ ସଂସ୍ଥା ‘କାଇନେକ୍ସନ’ସହିତ ମିଶି ଆଦିଦାସ୍ ପକ୍ଷରୁ ପ୍ରସ୍ତୁତ ବଲରେ ବ୍ୟବହାର କରା ହୋଇଛି । ଖେଳାଳି ବଲ୍କୁ ଛୁଇଁବା ମାତ୍ରେ ସ୍ୱତଃ ପ୍ରବୃତ୍ତ ଭାବରେ ତଥ୍ୟ ଖେଳ ପରିଚାଳନା ଅଧିକାରୀଙ୍କ ପାଖକୁ ଚାଲିଯିବ । ଏକ ସେକେଣ୍ଡକୁ ୫୦୦ ପ୍ରକାରର ତଥ୍ୟ ଅଧିକାରୀଙ୍କ ପାଖରେ ତତ୍କ୍ଷଣାତ ପହଞ୍ଚିଯିବ । ଯାହା ଦ୍ୱାରା ଅଫସାଇଡ୍‌୍‌କୁ ସହଜରେ ନିର୍ଣ୍ଣୟ କରାଯାଇ ପାରିବ । ଏହି ବଲକୁ ଅନେକ ପ୍ରତିଯୋଗିତାରେ ସଫଳ ଭାବରେ ବ୍ୟବହାର କରାଯାଇଛି ।

ଫିଫା ଆରବ କପ, ଫିଫା କ୍ଲବ ବିଶ୍ୱକପ ଇତ୍ୟାଦି ମ୍ୟାଚ୍ରେ ଖେଳା ଯାଇଛି ଏବଂ ଖେଳାଳିମାନଙ୍କର କିଛି ଅସୁବିଧା ହୋଇନାହିଁ । ଅନେକ ପରୀକ୍ଷାରେ ଏହା ପାସ୍ ହେବା ପରେ ଏହି ବଲକୁ ଫିଫା ବିଶ୍ୱକପରେ ଖେଳାଯିବା ନେଇ ସବୁଜ ସଂକେତ ମିଳିଛି । ଆଶା କରିବା ଫିଫା କର୍ତ୍ତୃପକ୍ଷଙ୍କର ଏହି ଯୁଗାନ୍ତକାରୀ ପଦକ୍ଷେପ ଏହି ବିଶ୍ୱକପରେ ମଧ୍ୟ ସଫଳ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.