ମହଙ୍ଗା ପଡ଼ିଲା ଅଶ୍ଳୀଳ ମନ୍ତବ୍ୟ, ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ଟିମ୍‌ରୁ ବାଦ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା ଓ କେ.ଏଲ୍‌ ରାହୁଲ

ମହଙ୍ଗା ପଡ଼ିଲା ଅଶ୍ଳୀଳ ମନ୍ତବ୍ୟ। ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ଟିମ୍‌ରୁ ବାଦ୍‌ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଲୋକେଶ ରାହୁଲ । ଦୁଇ କ୍ରିକେଟରଙ୍କୁ ନିଲମ୍ବିତ କରିଛି ବିସିସିଆଇ । ମହିଳା ବିରୋଧୀ ମନ୍ତବ୍ୟ ନେଇ ବିବାଦ ଘେରରେ ଥିଲେ ଏହି ଯୁବ କ୍ରିକେଟର । ଦୁଇ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲା ବିସିସିଆଇ । କମିଟି ଅଫ୍‌ ଆଡ୍‌ମିନିଷ୍ଟ୍ରେଟର ଚିଫ୍‌ ବିନୋଦ ରାୟ ବ୍ୟାନ୍‌ କରିବାକୁ ବିସିସିଆଇକୁ ସୁପାରିଶ କରିଥିଲା । ଏପରି ମନ୍ତବ୍ୟ କ୍ଷମା ଯୋଗ୍ୟ ନୁହଁ ବୋଲି ସେ କହିଥିଲେ । ଏହା ପରେ ସିଓଇ ସଦସ୍ୟ ଡାୟନା ଇଡୁଲଜୀ ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ପର୍ଯ୍ୟନ୍ତ ନିଲମ୍ବନ କରାଯାଉ ବୋଲି ଦାବି କରିଥିଲେ।

ଟିଭି ଚାର୍ଟ ସୋ ‘କଫି ଓ୍ଵିଥ କରଣ’ରେ ଏମାନେ ଅତିଥି ହୋଇଥିଲେ । ହୋଷ୍ଟ ଥିଲେ କରଣ ଜୋହର । ଯେଉଁଠି ହାର୍ଦ୍ଦିକ ଯୁବତୀଙ୍କ ସହ ତାଙ୍କ ଆଫେୟାର୍ସ ଉପରେ ଖୋଲା ମତ ରଖିଥିଲେ । ଏପରିକି ତାଙ୍କ ବାପା ମାଆଙ୍କ ସହ ରିଲେସନସିପକୁ ସେୟାର କରନ୍ତି ବୋଲି କହିଥିଲେ ହାର୍ଦ୍ଦିକ । ସେହିପରି ରାପିଡ ଫାୟାର ରାଉଣ୍ଡରେ ଦୁହେଁ ସଚିନଙ୍କଠାରୁ କୋହଲି ଭଲ ବୋଲି କହିଥିଲେ । ଯାହାକୁ ନେଇ ଫ୍ୟାନଙ୍କ ଟାର୍ଗେଟକୁ ଆସିଥିଲେ ପାଣ୍ଡ୍ୟା ଓ ଲୋକେଶ ରାହୁଲ ।

ବିବାଦ ପରେ ବ୍ୟାକଫୁଟକୁ ଯାଇ କ୍ଷମା ପ୍ରାର୍ଥନା କରିଥିଲେ ହାର୍ଦ୍ଦିକ । ସୋସିଆଲ୍‌ ମିଡିଆରେ ପୋଷ୍ଟ କରି ଲେଖିଥିଲେ, ସୋ’ରେ ମଜି ଯାଇ ଏମିତି ମନ୍ତବ୍ୟ ଦେଇଛନ୍ତି । ଜାଣିଶୁଣି କାହାର ଭାବନାକୁ ଆଘାତ ଦେବା କି କାହାକୁ ଅସମ୍ମାନ କରିବା ଉଦ୍ଦେଶ୍ୟ ନଥିଲା । ତାଙ୍କ ମନ୍ତବ୍ୟ ଯେଉଁମାନଙ୍କୁ ଦୁଃଖ ଦେଇଛି, ସେମାନଙ୍କଠାରୁ କ୍ଷମା ପ୍ରାର୍ଥନା କରିଥିଲେ ହାର୍ଦ୍ଦିକ ।

Leave A Reply

Your email address will not be published.