ମୁଁ କେବଳ ମ୍ୟାଚ୍‌ ଫିକ୍ସରଙ୍କ ଘେରରେ ଖେଳୁଥିଲି : ସୋଏବ ଅଖତାର

ପାକିସ୍ତାନ୍‌ କ୍ରିକେଟ୍‌ରେ ପ୍ରବଳ ମ୍ୟାଚ୍‌ଫିକ୍ସିଂ ହେଉଥିଲା । ଜଣେ ନୁହେଁ ପୂରା ଦଳ ଏଥିରେ ସାମିଲ ଥିଲା । ଏଭଳି ଅଭିଯୋଗକୁ ପୁଣି ଥରେ ଦୋହରାଇଛନ୍ତି ଦଳର ପୂର୍ବତନ ପେସ୍‌ ବୋଲର୍‌ ସୋଏବ ଅଖତାର । ଅଖତାର କହିଛନ୍ତି, ମୋ ସମୟରେ ମୁଁ କେବଳ ବିରୋଧୀ ଦଳ ସହ ନୁହେଁ ନିଜ ଦଳର ଖେଳାଳିମାନଙ୍କ ସହିତ ମଧ୍ୟ ଲଢ଼େଇ କରୁଥିଲି । ପଡ଼ିଆରେ ବିରୋଧୀ ଦଳର ୧୧ ଜଣ ଏବଂ ଦଳ ଭିତରେ ବାକି ୧୦ ଜଣ, ଏହିପରି ୨୧ ଜଣ ଖେଳାଳିଙ୍କ ସହିତ ମୋତେ ଲଢ଼େଇ କରିବାକୁ ପଡୁଥିଲା ।
ଏକ ଟେଲିଭିଜନ୍‌ କାର୍ଯ୍ୟକ୍ରମରେ ପୁରୁଣା କଥା ମନେ ପକାଇ ସୋଏବ କହିଛନ୍ତି ଯେତେବେଳେ ମୁଁ ଜାଣିଲି ଯେ ମୋ ସାଥୀ ଖେଳାଳିମାନେ ମ୍ୟାଚ୍‌ଫିକ୍ସିଂ କରୁଛନ୍ତି ମୋ ପାଦ ତଳୁ ମାଟି ଖସିଗଲା । ଦୁଇ ପେସ୍‌ ବୋଲର୍‌ ମହମ୍ମଦ ଆସିଫ ଓ ମହମ୍ମଦ ଅମିର ଖୋଲାଖୋଲି ଭାବେ ମୋ ସହ କଥା ହୋଇଥିଲେ । କହିଥିଲେ, କେଉଁ ମ୍ୟାଚ୍‌ ଫିକ୍ସିଂ ହୋଇଥିଲା ଓ କେମିତି ହୁଏ ମ୍ୟାଚ୍‌ ଫିକ୍ସିଂ । ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ସେମାନେ ଏଭଳି କରିଥିଲେ । ସୋଏବ କହିଛନ୍ତି ଯେ ସେମାନଙ୍କୁ ମୁଁ ବୁଝାଇଥିଲି । ପାକିସ୍ତାନ ବା ଦେଶ ସହିତ ବିଶ୍ୱାସଘାତକତା କରନାହିଁ । ହେଲେ ସେମାନେ ଶୁଣିଲେ ନାହିଁ । ମାତ୍ର କେଇଟା ଟଙ୍କା ପାଇଁ ନିଜକୁ ବିକି ଦେଲେ । ଦେଶ ସହ ଗଦ୍ଦାରୀ କଲେ । ସେମାନେ ସିନା ପରେ ଦଣ୍ଡ ଭୋଗିଲେ ହେଲେ ମୁଁ ନିରାଶ ହୋଇଗଲି । କାରଣ ମୁଁ ସବୁ ବେଳେ ଚେଷ୍ଟା କରୁଥିଲି ଦଳକୁ ପଡ଼ିଆରେ ଜିତାଇବା ଲାଗି । ତେଣୁ ନିରାଶ ହୋଇ କେବଳ କାନ୍ଥକୁ ମୁଥ ମାରିବା ଛଡ଼ା ମୋ ପାଖରେ ଆଉ କିଛି ବାଟ ନଥିଲା ।
ପାକିସ୍ତାନରେ କେବଳ ଆତଙ୍କବାଦକୁ ସମର୍ଥନ କରାଯାଉ ନାହିଁ ଏଭଳି ମ୍ୟାଚ୍‌ ଫିକ୍ସିଂର ଘୃଣ୍ୟ କାମ ମଧ୍ୟ କରୁଥିଲେ ଖେଳାଳିମାନେ । ଟଙ୍କା ପାଇଁ ଦେଶର ସମ୍ମାନକୁ ବିକିବାକୁ ମଧ୍ୟ ପଛାଉ ନଥିଲେ । ଏକଥା ନିଜେ ତାଙ୍କ ଦଳର ଖେଳାଳି ତଥା ଜଣାଶୁଣା ପୂର୍ବତନ ପେସ୍‌ ବୋଲରଙ୍କ ମୁହଁରୁ ଶୁଣିବାକୁ ମିଳିଛି । ସତରେ ପାକିସ୍ତାନ…. ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.