ICC ବିଶ୍ୱକପ୍‌ ପାଇଁ ପୁରସ୍କାର ରାଶି ଘୋଷଣା, ଚାମ୍ପିୟନ୍‌ ଟିମ୍‌କୁ ମିଳିବ କୋଟି କୋଟି ଟଙ୍କା

ଆନ୍ତର୍ଜାତିକ କ୍ରିକେଟ୍‌ କାଉନ୍‌ସିଲ (ଆଇସିସି) ବିଶ୍ୱକପ୍‌ର ପୁରସ୍କାର ରାଶି ଘୋଷଣା କରିଛି। ICC ଅନୁସାରେ, ଭାରତରେ ଆୟୋଜିତ ହେବାକୁ ଥିବା ବିଶ୍ୱକପ୍‌ ୨୦୨୩ ପାଇଁ ସମୁଦାୟ ୧୦ ମିଲିୟନ ଆମେରିକୀୟ ଡଲାର ପୁରସ୍କାର ରାଶି ଘୋଷଣା କରାଯାଇଛି।

ICC ଦିନିକିଆ କ୍ରିକେଟ୍‌ ବିଶ୍ୱକପ୍‌ ଅକ୍ଟୋବର ୫ରୁ ଆରମ୍ଭ ହେଉଛି। ଏହି କ୍ରିକେଟ୍‌ ମହାକୁମ୍ଭ ପାଇଁ ସାରା ବିଶ୍ୱରେ କ୍ରିକେଟ୍‌ ପ୍ରେମୀଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳୁଛି। ନଭେମ୍ବର ୧୯ ପର୍ଯ୍ୟନ୍ତ ଘରୋଇ ଗ୍ରାଉଣ୍ଡରେ ଖେଳା ଯିବାକୁ ଥିବା ICC ବିଶ୍ୱକପ୍‌ ପାଇଁ ଅଧିକାଂଶ ଷ୍ଟାଡିୟମ୍‌ରେ ସିଟ୍‌ ବୁକ୍‌ ସରିଗଲାଣି। ଏହାରି ଭିତରେ ଆନ୍ତର୍ଜାତିକ କ୍ରିକେଟ୍‌ କାଉନ୍‌ସିଲ (ଆଇସିସି) ବିଶ୍ୱକପ୍‌ର ପୁରସ୍କାର ରାଶି ଘୋଷଣା କରିଛି।

ICC ଅନୁସାରେ, ଭାରତରେ ଆୟୋଜିତ ହେବାକୁ ଥିବା ବିଶ୍ୱକପ୍‌ ପାଇଁ ସମୁଦାୟ ୧୦ ମିଲିୟନ ଆମେରିକୀୟ ଡଲାର ପୁରସ୍କାର ରାଶି ଘୋଷଣା କରାଯାଇଛି। ଏହାର ମୂଲ୍ୟ ଭାରତୀୟ ମୁଦ୍ରା ହିସାବରେ ୮୨.୯୩ କୋଟି ଟଙ୍କା। ବିଶ୍ୱ କପ୍‌ର ଚାମ୍ପିୟନ ଦଳକୁ ୪ ମିଲିୟନ ଆମେରିକୀୟ ଡଲାର (୩୩.୧୮ କୋଟି ଟଙ୍କା) ମିଳିବାକୁ ଥିବା ବେଳେ ରନର୍ସ ଅପ୍‌ ଦଳ ପାଇବ ୨ ମିଲିୟନ ଆମେରିକୀୟ ଡଲାର (୧୬.୫୯ କୋଟି ଟଙ୍କା)। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ନଭେମ୍ବର ୧୯ରେ ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ।

ଗ୍ରୁପ୍ ପର୍ଯ୍ୟାୟରେ ସମସ୍ତ ୧୦ଟି ଦଳ ପରସ୍ପର ସହ ରାଉଣ୍ଡ-ରବିନ ଫର୍ମାଟରେ ଖେଳିବେ। ଏଥିରୁ ଶ୍ରେଷ୍ଠ ୪ଟି ଦଳ ସେମିଫାଇନାଲରେ ପହଞ୍ଚିବେ। ଗ୍ରୁପ୍ ପର୍ଯ୍ୟାୟ ଖେଳ ଜିତିଲେ ମଧ୍ୟ ପୁରସ୍କାର ରାଶି ଦେବାକୁ ଘୋଷଣା କରାଯାଇଛି। ଟିମ୍‌ ଗୁଡ଼ିକୁ ପ୍ରତ୍ୟେକ ବିଜୟ ପାଇଁ ୪୦,୦୦୦ ଆମେରିକୀୟ ଡଲାର (୩୩.୧୭ ଲକ୍ଷ ଟଙ୍କା) ମିଳିବ। ଗ୍ରୁପ୍ ପର୍ଯ୍ୟାୟ ଶେଷରେ ଯେଉଁ ଟିମ୍‌ ନକ୍ଆଉଟ୍‌ରେ ପହଞ୍ଚିବାରେ ବିଫଳ ହେବେ, ପ୍ରତ୍ୟେକଙ୍କୁ ୧୦୦,୦୦୦ ଡଲାର୍ (୮୨.୯୪ ଲକ୍ଷ) ମିଳିବ। ଏହିପରି ୬ଟି ଦଳ ରହିବେ।

ଆଇସିସି କହିଛି ଯେ ପୁରସ୍କାର ରାଶି ୨୦୨୫ରେ ହେବାକୁ ଥିବା ଆଇସିସି ମହିଳା କ୍ରିକେଟ୍ ବିଶ୍ୱକପ୍ ପାଇଁ ମଧ୍ୟ ଏକ ଉଦାହରଣ ସୃଷ୍ଟି କରିବ। ୨୦୨୩ ଜୁଲାଇରେ ଦକ୍ଷିଣ ଆଫ୍ରିକାର ଡରବନରେ ଆୟୋଜିତ ବାର୍ଷିକ ସମ୍ମିଳନୀରେ ଆଇସିସି ଉଭୟ ପୁରୁଷ ଏବଂ ମହିଳାଙ୍କ ପାଇଁ ସମାନ ରାଶି ଘୋଷଣା କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.