ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟ ମ୍ୟାଚ୍‌ : ଭାରତ ୪୦୪ରେ ଅଲଆଉଟ୍‌, ୨ଟି ଓ୍ଵିକେଟ ହରାଇଲାଣି ବାଂଲାଦେଶ

ବାଂଲାଦେଶ ବିପକ୍ଷରେ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ୪୦୪ ରନ୍‌ କରି ଅଲଆଉଟ୍‌ ହୋଇଛି ଭାରତ । ଚେତେଶ୍ୱର ପୂଜାରାଙ୍କ ୯୦, ଶ୍ରେୟସ ଆୟରଙ୍କ ୮୬, ରବିଚନ୍ଦ୍ରନ ଅଶ୍ୱିନଙ୍କ ୫୮ ଓ କୁଲଦୀପ ଯାଦବଙ୍କ ୪୦ ରନ ବଳରେ ଭାରତ ୪୦୪ ରନ କରି ଅଲଆଉଟ ହୋଇଛି। ଭାରତ ପ୍ରଥମ ଇନିଂସରେ ଦେଇଥିବା ୪୦୪ ରନ ଟାର୍ଗେଟକୁ ପୂରଣ କରିବା ପାଇଁ ମଇଦାନକୁ ଓହ୍ଲାଇଛି ବାଂଲାଦେଶ । ବାଂଲାଦେଶର ୭ ରନରେ ଦୁଇଟି ଓ୍ଵିକେଟ ପତନ ହୋଇଛି ।

ପ୍ରଥମ ଦିନରେ ଭାରତ ପୂଜାରାଙ୍କ ୯୦ ରନ ଓ ଆୟରଙ୍କ ଅପରାଜିତ ୮୨ ରନ ବଳର ୬ ୱିକେଟ ହରାଇ ୨୭୮ ରନ କରିଥିଲା। ଆଜି ସକାଳୁ ଶ୍ରେୟସ ଆୟରଙ୍କ ସହ ରବି ଅଶ୍ୱିନ ବ୍ୟାଟିଂ କରିବାକୁ ଆସିଥିଲେ। ଆୟର ୮୬ ରନ କରି ଇବାଦତ ହୁସେନଙ୍କ ବଲରେ ଆଉଟ ହୋଇଥିଲେ। ଦଳୀୟ ସ୍କୋର ୩୮୫ ହୋଇଥିବା ବେଳେ ଅଶ୍ୱିନ ୫୮ ରନ କରି ଆଉଟ ହୋଇଥିଲେ। ସେହିପରି କୁଲଦୀପ ଯାଦବ ୪୦ ରନ କରି ତାଇଜୁଲ ଇସଲାମଙ୍କ ବଲର ଶିକାର ହୋଇଥିଲେ । ଉମେଶ ଯାଦବ ୧୦ ବଲରେ ଅପରାଜିତ ୧୫ ଓ ମହମ୍ମଦ ସିରାଜ ୪ ରନ କରିଛନ୍ତି ।

ପ୍ରଥମ ଦିନରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିଲା ଭାରତ । ୧୪ ଓଭରରେ ଟିମର ସ୍କୋର ୪୧ ରନ୍‌ ଥିବା ବେଳେ ପ୍ରଥମ ଓ୍ଵିକେଟ ପଡିଥିଲା। ଶୁଭମନ ଗିଲ୍‌ ୪୦ ବଲ୍‌ରେ ୩ଟି ଚାରି ମାରି ୨୦ ରନ୍‌ କରି ଆଉଟ୍‌ ହୋଇଥିଲେ। ତା’ ପରେ କେଏଲ ରାହୁଲ ଟିମ୍‌ ସ୍କୋର ୪୫ ରନ୍‌ ଥିବା ବେଳେ ଆଉଟ୍‌ ହୋଇଥିଲେ। କେଏଲ ରାହୁଲ ୫୪ ବଲରେ ୨୨ ରନ୍‌ କରିବାକୁ ସକ୍ଷମ ହୋଇଥିଲେ ।

ଦଳୀୟ ସ୍କୋର ୪୫ ହୋଇଥିବା ବେଳେ ୨ଟି ଓ୍ଵିକେଟ ପଡିବା ବେଳେ କିଙ୍ଗ କୋହଲି ମାତ୍ର ୧ ରନରେ ଆଉଟ୍‌ ହୋଇ ଭାରତୀୟଙ୍କ ମନ ଭାଙ୍ଗି ଦେଇଥିଲେ । ୪୮ ରନ ଦଳୀୟ ସ୍କୋର ଥିବା ବେଳେ ଭାରତର ୩ଟି ଓ୍ଵିକେଟ ଚାଲିଯାଇଥିଲା । ପରେ ରିଷଭ ପନ୍ତ ଏବଂ ଚେତେଶ୍ୱର ପୂଜାରା ମ୍ୟାଚ୍‌କୁ ସମ୍ଭାଳିଥିଲେ । ରିଷଭ ପନ୍ତ ୪୬ ରନ, ପୂଜାରା ୯୦ ରନ୍‌ କରି ଆଉଟ୍‌ ହୋଇଥିଲେ। ଶତକରୁ ମାତ୍ର ଅଳ୍ପ ରନ ବାକି ଥିବା ବେଳେ ପୂଜାରାଙ୍କ ଓ୍ଵିକେଟ ପଡିବା ଭାରତ ପାଇଁ ମହଙ୍ଗା ହେଲା ।  ପ୍ରଥମ ଦିନରେ ଭାରତ କେଏଲ ରାହୁଲ(୨୨), ଶୁଭମନ ଗିଲ(୨୦), ପୂଜରା(୯୦), ଋଷଭ ପନ୍ତ(୪୬) ଅକ୍ଷର ପଟେଲ(୧୪)ଙ୍କୁ ହରାଇଥିଲା। ଆଜି ଭାରତ ଆଉ ୪ ୱିକେଟ ହରାଇ ଅଲଆଉଟ ହୋଇଛି।

ବାଂଲାଦେଶ ପକ୍ଷରୁ ଦୁଇ ସ୍ପିନର ତାଇଜୁଲ ଇସଲାମ ଓ ମେହଦି ହାସନ ମିରଜ ୪ଟି ଲେଖାଏ ୱିକେଟ ନେଇଥିବା ବେଳେ ଇବାଦତ ହୁସେନ ଏବଂ ଖାଲେଦ ଅହମଦ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.