Below header

‘ଶାହରୁଖଙ୍କ ‘ପଠାନ୍‌’ ଯେଉଁ ଥିଏଟରରେ ପଡ଼ିବ, ତାକୁ ଜାଳିଦିଅ…’; ଲୋକଙ୍କୁ ଏଭଳି ଅପିଲ୍‌ କଲେ ଅଯୋଧ୍ୟା ମହନ୍ତ ରାଜୁ ଦାସ

ଅଯୋଧ୍ୟାର ମହନ୍ତ ରାଜୁ ଦାସ ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ୍‌’କୁ ବହିଷ୍କାର କରିବାକୁ ଅପିଲ୍‌ କରିଛନ୍ତି। ସେ କହିଛନ୍ତି, ଯେଉଁ ଥିଏଟରରେ ପଠାନ୍‌ ଫିଲ୍ମ ପଡ଼ିବ, ସେଠାରେ ନିଆଁ ଲଗାଇ ଦେବାକୁ ମୁଁ ଦର୍ଶକମାନଙ୍କୁ ଅପିଲ୍‌ କରୁଛି। ରାଜୁ ଦାସ ବଲିଉଡ୍‌ ଏବଂ ଶାହରୁଖ ଖାନଙ୍କ ଉପରେ କ୍ରମାଗତ ଭାବେ ସନାତନ ଧର୍ମକୁ ପରିହାସ କରୁଥିବା ନେଇ ଅଭିଯୋଗ ଲଗାଇଛନ୍ତି।

ଅଯୋଧ୍ୟା ମହନ୍ତ ରାଜୁ ଦାସଙ୍କ କହିବା ହେଲା, ‘କିଭଳି ଭାବେ ସନାତନ ଧର୍ମକୁ ପରିହାସ କରାଯିବ ଏବଂ କିଭଳି ଭାବେ ହିନ୍ଦୁ ଦେବୀ, ଦେବତାଙ୍କୁ ଅପମାନ କରାଯିବ, ବଲିଉଡ୍‌ ଲଗାତାର ଏହି ପ୍ରୟାସରେ ରହୁଛି। ପଠାନ୍‌ ଫିଲ୍ମରେ ଦୀପିକା ପାଦୁକୋନଙ୍କ ଦ୍ୱାରା ପିନ୍ଧା ଯାଇଥିବା ବିକିନୀ ସାଧୁସନ୍ଥ ଏବଂ ରାଷ୍ଟ୍ର ରଙ୍ଗ ଗେରୁଆକୁ ଠେସ୍‌ ପହଞ୍ଚାଇଛି। ଏହା ଦୁଃଖଦ କଥା’।

ରାଜୁ ଦାସ ଆହୁରି କହିଥିଲେ କି, ଶାହରୁଖ ଖାନ କ୍ରମାଗତ ଭାବେ ସନାତନ ଧର୍ମକୁ ପରିହାସ କରୁଛନ୍ତି। ଏହି ପ୍ରସଙ୍ଗରେ ରାଜୁ ଦାସ ପ୍ରଶ୍ନ ଉଠାଇଛନ୍ତି ଯେ କ’ଣ ଆବଶ୍ୟକତା ଥିଲା ଫିଲ୍ମରେ ବିକିନୀ ରୂପେ ଗେରୁଆ ବ୍ୟବହାର କରି ଲଙ୍ଗଳା ପ୍ରଦର୍ଶନ କରିବାକୁ। ସେ କହିଥିଲେ, ଏହି କାମ ଭାବନାଗୁଡ଼ିକୁ ଆଘାତ ପହଞ୍ଚାଇବା ପାଇଁ କରାଯାଇଛି। ଏଭଳି ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍‌। ତାଙ୍କ କହିବା ହେଲା, ଯେସାକୁ ତେସା ଭଳି ବ୍ୟବହାର ହେବା ଉଚିତ୍‌।

କହି ରଖୁଛୁ, ଶାହରୁଖ ଖାନ ଓ ଦୀପିକା ପାଦୁକୋନଙ୍କ ଫିଲ୍ମ ‘ପଠାନ୍‌’ ୨୫ ଜାନୁୟାରୀରେ ରିଲିଜ୍‌ ହେବାର ଅଛି। କିନ୍ତୁ ଏଥି ପୂର୍ବରୁ ଫିଲ୍ମ ବିବାଦ ଘେରକୁ ଆସିଛି, ଯାହାର କାରଣ ଫିଲ୍ମର ଏକ ଗୀତରେ ଥିବା ଦୀପିକାଙ୍କ ପୋଷାକ। ବାସ୍ତବରେ, ପଠାନ୍‌ର ବେସରମ୍‌ ରଙ୍ଗ୍‌ ଗୀତର ଏକ ସିନ୍‌ରେ ଦୀପିକା କେସରୀ ରଙ୍ଗର ବିକିନୀ ପିନ୍ଧିଛନ୍ତି, ଯାହାକୁ ହିନ୍ଦୁ ସଙ୍ଗଠନ ବିରୋଧ କରୁଛନ୍ତି।

ସେପଟେ ଫିଲ୍ମକୁ ନେଇ ମଧ୍ୟପ୍ରଦେଶ ମନ୍ତ୍ରୀ ଚେତାବନୀ ଦେଇଛନ୍ତି ଯେ ଯଦି ଫିଲ୍ମରେ ଦୀପିକାଙ୍କ କପଡ଼ା ଏବଂ କିଛି ସିନ୍‌କୁ ବଦଳାଯିବ ନାହିଁ, ତା’ ହେଲେ ସେ ନିଜ ରାଜ୍ୟରେ ଫିଲ୍ମକୁ ରିଲିଜ୍‌ ହେବାକୁ ଦେବେ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.