ଏସିଆ କପ୍ ଫାଇନାଲ: ଶ୍ରୀଲଙ୍କା ବ୍ୟାଟରଙ୍କ କି ଦୟନୀୟ ଅବସ୍ଥା କଲେ ସିରାଜ, ୫୦ ରନରେ ଅଲଆଉଟ୍

୫୦ ରନରେ ଶ୍ରୀଲଙ୍କା ଅଲଆଉଟ୍‌ । ମାତ୍ର ୧୬ ଓଭର ଖେଳି ଅଲଆଉଟ୍‌ ହେଲା ଲଙ୍କା ଟିମ୍‌ । ଏସିଆ କପ୍‌ ଫାଇନାଲରେ କମାଲ କଲେ ଭାରତୀୟ ବୋଲର । ଟସ୍‌ ଜିତି ବ୍ୟାଟିଂ କରୁଥିବା ଶ୍ରୀଲଙ୍କା ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଛି ।

କଲମ୍ବୋ : ଏସିଆ କପ୍ ଫାଇନାଲ ମ୍ୟାଚ୍‌ରେ କଡ଼ା ମୁକାବିଲାକୁ ସମସ୍ତଙ୍କ ଅପେକ୍ଷା ଥିଲ । ହେଲେ ଘରୋଇ ଶ୍ରୀଲଙ୍କା ଦଳ ଏମିତି ଦୟନୀୟ ପ୍ରଦର୍ଶନ କରିବ ବୋଲି କେହି କଳ୍ପନା ବି କରି ନଥିଲେ । ଭାରତର ଯୁବ ପେସ୍‌ ବୋଲର୍‌ ମହମ୍ମଦ ସିରାଜ ଏମିତି କମାଲ କଲେ ଯେ ମାତ୍ର ୫୦ ରନରେ ଶ୍ରୀଲଙ୍କା ଅଲଆଉଟ୍ । ୧୬ ଓଭର ଭିତରେ ଲଙ୍କା ଇନିଂସ୍‌ ଶେଷ ହୋଇଗଲା । ଏବେ ଅଟେମ ଏସିଆ କପ୍‌ ଟ୍ରଫି ଜିତିବା ପାଇଁ ଭାରତୀୟ ଦଳକୁ ମାତ୍ର ୫୧ ରନ୍‌ ସ୍କୋର କରିବାକୁ ହେବ ।

ବର୍ଷା ଭୟ ଭିତରେ ଆଜି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଶ୍ରୀଲଙ୍କା ଦଳ । ହେଲେ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ସ୍କୋର୧୨ ରନରେ ପହଞ୍ଚିଲା ବେଳକୁ ଦଳ ୬ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା । ପେସ୍‌ ବୋଲର ମହମ୍ମଦ ସିରାଜ ଗୋଟିଏ ଓଭରରେ ୪ ୱିକେଟ ନେଇ ମ୍ୟାଚ୍‌କୁ ସମ୍ପୂର୍ଣ୍ଣ ଭାବେ ଭାରତ କବଜାକୁ ନେଇ ଆସିଲେ । ପ୍ରଥମ ଓଭରରେ ଯଶପ୍ରୀତ ବୁମରା କୁଶଲ ପେରେରାଙ୍କୁ ଆଉଟ୍ କରିଦେଇଥିଲେ। ଦ୍ୱିତୀୟ ଓଭରରେ ମହମ୍ମଦ ସିରାଜ ମେଡେନ ନେଇଥିଲେ। ତୃତୀୟ ଓଭରରେ ବୁମରା ମାତ୍ର ୧ ରନ ଦେଇଥିଲେ। ୪ର୍ଥ ଓଭର ପୁଣି ସିରାଜ ବୋଲିଂ କରିବାକୁ ଆସିଥିଲେ। ସେ ଏହି ଓଭରରେ ୬ଟି ବଲ୍ ପକାଇ ୪ ୱିକେଟ ନେଇଥିଲେ ।

୫ମ ଓଭରରେ ବୁମରା ମେଡେନ ନେଇଥିଲେ। ୬ଷ୍ଠ ଓଭରରେ ସିରାଜ ପୁଣି କମାଲ କରିଥିଲେ। ସେ ଓଭରର ୪ର୍ଥ ବଲରେ ଶ୍ରୀଲଙ୍କା ଅଧିନାୟକ ଦସୁନ ସନକାଙ୍କୁ ଶୂନରେ ଆଉଟ କରି ଦେଇଥିଲେ। ୧୨ ଓଭରରେ ୭ମ ଓ୍ଵିକେଟ ପଡିଥିବା ବେଳେ ସେହି ଓଭରର ତୃତୀୟ ବଲରେ ଖସି ପଡ଼ିଥିଲା ଶ୍ରୀଲଙ୍କାର ୮ମ ଓ୍ଵିକେଟ୍‌ । ୧୬ତମ ଓଭରର ପ୍ରଥମ ଦୁଇଟି ବଲ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା ଶ୍ରୀଲଙ୍କାର ଶେଷ ଦୁଇଟି ଓ୍ଵିକେଟ ଦଖଲ କରି ନେଇଥିଲେ । ଆଉ ଶେଷରେ ୫୦ ରନରେ ଅଲଆଉଟ ହେଲା ଶ୍ରୀଲଙ୍କା ।

କମାଲ ବୋଲିଂ କରି ମହମ୍ମଦ ସିରାଜ ୭ ଓଭରରେ ୨୧ ରନ୍‌ ଦେଇ ୬ଟି ଓ୍ଵିକେଟ, ପାଣ୍ଡ୍ୟା ୨.୨ ଓଭରରେ ୩ ରନ୍‌ ଦେଇ ୩ଟି ଓ୍ଵିକେଟ୍‌ ହାସଲ କରିଛନ୍ତି । ବୁମରାଙ୍କ ମିଳିଛି ଗୋଟିଏ ସଫଳତା । ଶ୍ରୀଲଙ୍କା ପକ୍ଷରୁ କୁଶଲ ମେଣ୍ଡିସ୍‌ ଏବଂଦୁଶନ ହେମନ୍ତ ଦୁଇ ଅଙ୍କରେ ପହଞ୍ଚିଥିବା ବେଳେ ଅନ୍ୟ ୯ ଜଣଙ୍କ ମଧ୍ୟରୁ ୫ ଜଣ ଶୂନରେ ଆଉଟ୍‌ ହୋଇଛନ୍ତି ।

ଭାରତ ଶେଷଥର ୨୦୧୮ରେ ଏସିଆ କପ୍ ଜିତିଥିଲା । ଏଥର ରୋହିତ ବହିନୀ ଅଷ୍ଟମ ଟାଇଟଲ୍‌ ଜିତିବାର ସବୁ ବାଟ ସଫା ହୋଇ ଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.