ଅପ୍ରତିଦ୍ୱନ୍ଦ୍ୱୀ ଅପରାଜେୟ ଅଦମନୀୟ : ବିଶ୍ୱକପ୍‌ରେ ଭାରତର ଆଉ ଏକ ବିଶାଳ ବିଜୟ, ମାଟି କାମୁଡ଼ିଲା ଦକ୍ଷିଣ ଆଫ୍ରିକା

ଦକ୍ଷିଣ ଆଫ୍ରିକାକୁ କୋଲକାତାର ଇଡେନ୍‌ ଗାର୍ଡନସରେ ୨୪୩ ରନ୍‌ରେ ହରାଇ ଚଳିତ ବିଶ୍ୱକପ୍‌ରେ କ୍ରମାଗତ ଅଷ୍ଟମ ବିଜୟ ହାସଲ କରିଛି ଭାରତ

କୋଲକାତା : ରୋକି ହେଉନାହିଁ କି ଚାପି ହେଉ ନାହିଁ । ଯାହା କଲେ ବି ଭାରତ ଜିତୁଛି ବିଶ୍ୱକପ୍‌ରେ । କଣ କଲେ ଭାରତୀୟ ଦଳକୁ ହରାଇ ହେବ ଏବେ ଏଇ ଚିନ୍ତା ଘାରିଛି ବିପକ୍ଷ ଦଳଙ୍କୁ । ଆଜି ଏହି ଦଳ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ବି ମାଟି କାମୁଡ଼ାଇ ଦେଇଛି । ପଏଣ୍ଟ ତାଲିକାର ଦ୍ୱିତୀୟ ସ୍ଥାନରେ ଥିବା ଦକ୍ଷିଣ ଆଫ୍ରିକାକୁ କୋଲକାତାର ଇଡେନ୍‌ ଗାର୍ଡନସରେ ୨୪୩ ରନ୍‌ରେ ହରାଇ ଚଳିତ ବିଶ୍ୱକପ୍‌ରେ କ୍ରମାଗତ ଅଷ୍ଟମ ବିଜୟ ହାସଲ କରିଛି । ଦକ୍ଷିଣ ଆଫ୍ରିକା ୨୭.୧ ଓଭର ଖେଳି ମାତ୍ର ୮୩ ରନ୍‌ରେ ଅଲଆଉଟ୍‌ ହୋଇ ଯାଇଛି । ଏହା ହେଉଛି ଦକ୍ଷିଣ ଆଫ୍ରିକା ଦଳର ସବୁଠାରୁ ବଡ଼ ପରାଜୟ ।

ମୋଟ ୯ଟି ମ୍ୟାଚ୍‌ ଖେଳିବାକୁ ଥିବା ବେଳେ ୮ଟି ଜିତି ୧୬ ପଏଣ୍ଟ ସହ ଟେବୁଲର ଶୀର୍ଷ ସ୍ଥାନ ବଜାୟ ରଖିଛି ରୋହିତ ବାହିନୀ । ବିପକ୍ଷ ଦଳ ନିଶ୍ଚୟ ଭାବୁଥିବେ କେମିତି ରୋକିବେ ଟିମ୍‌ ଇଣ୍ଡିଆକୁ । ଯିଏ ବୁଲଡୋଜର ଭଳି ଦଳି ଚାଲିଛି ସବୁ ଦଳଙ୍କୁ ।

ଆଜି ପ୍ରଥମେ ବ୍ୟାଟିଂ କରି ବିରାଟ କୋହଲିଙ୍କ ଶତକ ସହାୟତାରେ ୫ ଓ୍ଵିକେଟ୍‌୍‌ରେ ୩୨୬ ରନ୍‌ କରିଥିଲା ଘରୋଇ ଦଳ । ପରେ ଦକ୍ଷିଣ ଆଫ୍ରିକା ଦଳ ଭଲ ଫାଇଟ୍‌ ଦେବ ବୋଲି ଆଶା କରାଯାଉଥିଲା । ହେଲେ ଜୋରଦାର ଫର୍ମରେ ଥିବା ଭାରତୀୟ ବୋଲର ଦକ୍ଷିଣ ଆଫ୍ରିକାର ବ୍ୟାଟରମାନଙ୍କୁ ବେଶି ସମୟ ଓ୍ଵିକେଟ୍‌୍‌ରେ ରହିବାକୁ ଦେଇନଥିଲେ । ପେସ୍‌ ବୋଲର ମହମ୍ମଦ ସିରାଜ କୁଇଣ୍ଟନ୍‌ ଡିକକଙ୍କୁ ଦ୍ୱିତୀୟ ଓଭରରେ ଆଉଟ୍‌ କରିବା ପରେ ଅନ୍ୟମାନେ ପାଭିଲିଅନକୁ ଧାଡ଼ି ଲଗାଇ ଦେଇଥିଲେ ।

INDIA
image source : bcci twitter

ରବୀନ୍ଦ୍ର ଜାଡେଜା ଏବଂ କୁଲଦୀପ ଯାଦବଙ୍କ ସ୍ପିନ ଏବଂ ମହମ୍ମଦ ସାମିଙ୍କ ପେସ୍‌ ଆକ୍ରମଣରେ ଧରାଶାୟୀ ହୋଇ ଯାଇଥିଲା ଦକ୍ଷିଣ ଆଫ୍ରିକା ଦଳ । ଜାଡେଜା ୯ ଓଭରରେ ୩୩ ରନ୍‌ ଦେଇ ୫ଟି ଏବଂ ସାମି ଓ ଯାଦବ ୨ଟି ଲେଖାଏଁ ଓ୍ଵିକେଟ୍‌ ଦଖଲ କରିଛନ୍ତି ।ସାମି ୪ ଓଭରରେ ୧୮ ଏବଂ ଯାଦବ ୫.୧ ଓଭରରେ ମାତ୍ର ୭ ରନ୍‌ ଦେଇଛନ୍ତି । ବିରାଟ କୋହଲି ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି ।

ଲିଗ୍‌ ପର୍ଯ୍ୟାୟରେ ଭାରତର ନବମ ତଥା ଅନ୍ତିମ ମ୍ୟାଚ୍‌ ଆସନ୍ତା ୧୨ ତାରିଖ ଦୀପାବଳି ଦିନ ନେଦରଲାଣ୍ଡସ ସହିତ ରହିଛି । ତେବେ ପ୍ରଥମ ଦଳ ଭାବେ ଭାରତ ସେମିଫାଇନାଲରେ ପ୍ରବେଶ କରି ସାରିଛି ।

 

score-1

score-2

score-3

score-4

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.