ପର୍ଥ ଟେଷ୍ଟ : ଭାରତ ଆଗରେ ବଡ଼ ସ୍କୋର ରଖିବାର ପ୍ରୟାସ କରୁଛି କଙ୍ଗାରୁ ଦଳ

ପର୍ଥ : ବର୍ତ୍ତମାନ ସୁଦ୍ଧା ଦ୍ୱିତୀୟ ଟେଷ୍ଟରେ ଭାରତୀୟ ଦଳର ପ୍ରଦର୍ଶନକୁ ନେଇ ଖୁସି ନଥିବେ ଅଧିନାୟକ ବିରାଟ କୋହଲି । କାରଣ ତାଙ୍କ ଶତକ ସତ୍ତ୍ୱେ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସ୍ରେ ପଛରେ ପଡ଼ିଗଲା ଟିମ୍ ଇଣ୍ଡିଆ । ପରେ ଦ୍ୱିତୀୟ ଇନିଂସ୍ ଆରମ୍ଭ କରି ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ଦଳ ୪ ଓ୍ଵିକେଟ୍ରେ ୧୩୨ ରନ୍ କରି ମୋଟ୍ ୧୭୫ ରନ୍ରେ ଆଗୁଆ ରହିଛି ।
ପୂର୍ବ ଦିନ ୮୨ ରନ୍ରେ ଅପରାଜିତ ଥିବା କୋହଲି ଆଜି ତାଙ୍କର ୨୫ତମ ଟେଷ୍ଟ ଶତକ ପୂରଣ କରିଥିଲେ । ରାହାଣେ ୫୧ ରନ୍ କରି ଆଉଟ୍ ହେବା ପରେ କୋହଲି ଓ ବିହାରୀ (୨୦)ଙ୍କ ଯୋଡ଼ିରେ ୫୦ ରନ୍ ସଂଗ୍ରହ ହୋଇଥିଲା । ଅଧିନାୟକ ୧୨୩ ରନ୍ କରି ଆଉଟ୍ ହେବା ପରେ ୠଷଭ ପନ୍ତ ୩୬ ରନ୍ କରି କିଛି ସମୟ ଆଷ୍ଟ୍ରେଲିଆ ବୋଲରଙ୍କ ମୁକାବିଲା କରିଥିଲେ । ହେଲେ ଶେଷରେ ପୂରା ଦଳ ୨୮୩ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ଭ୍ରମଣକାରୀ ଦଳର ବ୍ୟାଟ୍ସମ୍ୟାନ୍ଙ୍କୁ ସବୁଠାରୁ ବେଶି ଅସୁବିଧାରେ ପକାଇ ଥିଲେ ନାଥନ୍ ଲାୟନ୍ । ସେ ୬୭ ରନ୍ ଦେଇ ୫ଟି ଓ୍ଵିକେଟ୍ ଦଖଲ କରିଥିଲେ ।
ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସ୍ରେ ଉସମାନ ଖ୍ଵାଜା ୪୧ ଏବଂ ଅଧିନାୟକ ଟିମ୍ ପାଇନ୍ ୮ ରନ୍ କରି ଅପରାଜିତ ଅଛନ୍ତି । ଯଦି ଭାରତୀୟ ବୋଲର୍ ଘରୋଇ ଦଳର ବାକି ଓ୍ଵିକେଟ୍ ଶୀଘ୍ର ଦଖଲ ନକରନ୍ତି ତେବେ ବିରାଟ ବାହିନୀ ପାଇଁ ସମସ୍ୟା ସୃଷ୍ଟି ହେବ । କାରଣ ଶେଷ ଇନିଂସ୍ରେ ପର୍ଥ ପିଚ୍ରେ ପେସ୍ ବୋଲର୍ଙ୍କୁ ମୁକାବିଲା କରିବା ସହଜ ହେବ ନାହିଁ ।
ବିରାଟଙ୍କ ୨୫ତମ ଟେଷ୍ଟ ଶତକ
ମିଚେଲ ଷ୍ଟାର୍କଙ୍କ ବଲ୍ରେ ଏକ ଚମତ୍କାର ଷ୍ଟ୍ରେଟ୍ ଡ୍ରାଇଭ୍ ମାରି ଆଜି ବିରାଟ ତାଙ୍କ ୨୫ତମ ଟେଷ୍ଟ ଶତକ ପୂରଣ କରିଥିଲେ । ସେ ୨୧୪ଟି ବଲ୍ର ସାମନା କରି ଶତକ ଭିତରେ ୧୧ଟି ଚୌକା ମାରିଥିଲେ । ଆଷ୍ଟ୍ରେଲିଆ ବିପକ୍ଷରେ ଏହା ହେଉଛି ତାଙ୍କର ଷଷ୍ଠ ଶତକ । ଏହା ସହିତ ସେ ସଚିନ୍ ତେନ୍ଦୁଲକରଙ୍କ ସମକକ୍ଷ ହୋଇଛନ୍ତି । ଚଳିତ ବର୍ଷ ବିରାଟଙ୍କର ଏହା ହେଉଛି ପଞ୍ଚମ ଶତକ । ଖାଲି ସେତିକି ନୁହେଁ ଖୁବ୍ କମ୍ ଇନିଂସ ଖେଳି ୨୫ଟି ଶତକ କରିବାରେ ବିରାଟ ହେଛନ୍ତି ଡନ୍ ବ୍ରାଡ୍ମ୍ୟାନ୍ଙ୍କ ପରେ ଦ୍ୱିତୀୟ ବ୍ୟାଟ୍ସମ୍ୟାନ୍ । ବ୍ରାଡ୍ମ୍ୟାନ୍ ୬୮ଟି ଇନିଂସ୍ ଖେଳି ୨୫ଟି ଶତକ କରିଥିବା ବେଳେ ନିଜର ୭୫ତମ ଟେଷ୍ଟ ଖେଳୁଥିବା ବିରାଟ କୋହଲି ୧୨୭ଟି ଇନିଂସ୍ରେ ଏହି ସଫଳତା ଲାଭ କରିଛନ୍ତି । ତାଙ୍କ ପଛକୁ ଅଛନ୍ତି ତେନ୍ଦୁଲକର । ସେ ୧୩୦ଟି ଇନିଂସ୍ରେ ୨୫ ଶତକ କରିଥିଲେ । ଆଷ୍ଟ୍ରେଲିଆ ବିପକ୍ଷରେ ତେନ୍ଦୁଲକର ୨୦ଟି ଟେଷ୍ଟରେ ୬ଟି ଶତକ କରିଥିବା ବେଳେ ବିରାଟ କୋହଲି ୧୦ଟି ଟେଷ୍ଟରେ ୬ଟି ଶତକ କରିଛନ୍ତି ।
ସ୍କୋର : ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍-୩୨୬ । ଦ୍ୱିତୀୟ ଇନିଂସ୍-୧୩୨/୪, ୪୮ ଓଭର (ହ୍ୟାରିସ୍ ୨୦, ଫିଞ୍ଚ ୨୫, ଖ୍ଵାଜା ଅପରାଜିତ ୪୧, ମାର୍ଶ ୫, ହ୍ୟାଣ୍ଡସ୍କମ୍ବ ୧୩, ହେଡ୍ ୧୯, ପାଇନ୍ ଅପରାଜିତ ୮ । ଇଶାନ୍ତ ଶର୍ମା ୯-୦-୩୩-୧, ବୁମରା ୧୩-୫-୨୫-୧, ସାମି ୧୦-୩-୨୩-୨ ) ।
ଭାରତ ପ୍ରଥମ ଇନିଂସ୍-୨୮୩, ୧୦୫.୫ ଓଭର (କୋହଲି ୧୨୩, ରାହାଣେ ୫୧, ପନ୍ତ ୩୬ । ନାଥନ୍ ଲାୟନ ୩୪.୫-୭-୬୭-୫, ଷ୍ଟାର୍କ ୨୪-୪-୭୯-୨, ହାଜେଲଉଡ୍ ୨୧-୮-୬୬-୨) ।